ନୂଆଦିଲ୍ଲୀ: ଭାରତ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଗଣମାଧ୍ୟମ ଓ ଯୋଗାଯୋଗ ଅଧିକାରୀଙ୍କ ପାଇଁ ଏକ ଦିବସୀୟ କାର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ସଠିକ ତଥ୍ୟର ପ୍ରସାରଣ ଏବଂ ଭ୍ରମାତ୍ମକ ସୂଚନାର ମୁକାବିଲା ଉପରେ ଗୁରୁତ୍ୱାରୋପ କରାଯାଇଛି ।
ଭାରତ ନିର୍ବାଚନ ଆୟୋଗ ଶୁକ୍ରବାର ନୂଆଦିଲ୍ଲୀର ଭାରତ ମଣ୍ଡପମଠାରେ କର୍ମଶାଳା ଆୟୋଜନ କରିଥିଲେ । ଯେଉଁଥିରେ ସମସ୍ତ ୩୬ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ନିର୍ବାଚନ ଅଧିକାରୀ କାର୍ଯ୍ୟାଳୟ ଏହାକୁ ଆୟୋଜନ କରିଥିଲେ । ଏହି କାର୍ଯ୍ୟକ୍ରମରେ ୫୧ ଜଣ ଗଣମାଧ୍ୟମ ନୋଡାଲ ଅଧିକାରୀ (MNO) ଏବଂ ସାମାଜିକ ଗଣମାଧ୍ୟମ ନୋଡାଲ ଅଧିକାରୀ (SMNO) ଅଂଶଗ୍ରହଣ କରିଥିଲେ । ଭ୍ରମାତ୍ମକ ସୂଚନାର ବର୍ଦ୍ଧିତ ବିପଦକୁ ଦୃଷ୍ଟିରେ ରଖି, ଭାରତରେ ନିର୍ବାଚନ ସମ୍ବିଧାନ ଅନୁସାରେ ପୁରାପୁରି ସ୍ୱଚ୍ଛତା ଓ ପାରଦର୍ଶିତାର ସହିତ ଅନୁଷ୍ଠିତ ହେଉଥିବାର ସବିଶେଷ ସୂଚନା ସୁସ୍ପଷ୍ଟ ଭାବରେ ସବୁଠି ପହଂଚିବା ନିତାନ୍ତ ଜରୁରୀ । ସଠିକ ସରକାରୀ ତଥ୍ୟ ମାଧ୍ୟମରେ ସବୁ ସମୟରେ ଭ୍ରମିତ ସୂଚନା ଗୁଡିକୁ ପରାସ୍ତ କରାଯିବାର ନିରବଛିନ୍ନ ପ୍ରୟାସ ଜରୁରୀ ବୋଲି ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର, ନିର୍ବାଚନ କମିଶନର ଡକ୍ଟର ସୁଖବୀର ସିଂହ ସାନ୍ଧୁ ଏବଂ ଡକ୍ଟର ବିବେକ ଯୋଶୀ ପ୍ରମୁଖ ଗୁରୁତ୍ୱାରୋପ କରିଛନ୍ତି । ସେହିପରି ସମୟୋଚିତ ତଥ୍ୟଯୁକ୍ତ ସୂଚନା ପ୍ରସାରଣ କରିବା ପାଇଁ ସିଇଓ କାର୍ଯ୍ୟାଳୟ ଗୁଡ଼ିକର ଯୋଗାଯୋଗ ଇକୋସିଷ୍ଟମକୁ ମଜବୁତ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି ।
ଏହା ସହିତ କର୍ମଶାଳାରେ ଗଣମାଧ୍ୟମ ଏବଂ ସାମାଜିକ ଗଣମାଧ୍ୟମ ଦୃଷ୍ଟିକୋଣରୁ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ଉପରେ ଏକ ସ୍ୱତନ୍ତ୍ର ଅଧିବେଶନ ଅନୁଷ୍ଠିତ ହୋଇଥିଲା । ଭୁଲ ସୂଚନାର ମୁକାବିଲା ପାଇଁ ବିଭିନ୍ନ ବୈଷୟିକ ଉପକରଣ, ପ୍ରଣାଳୀ ଓ କୌଶଳ ଉପରେ ଏକ ବିଶେଷଜ୍ଞ ଅଧିବେଶନ ମଧ୍ୟ ଆୟୋଜନ କରାଯାଇଥିଲା।