ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୫ର ନବମ ମୁକାବିଲାରେ ମୁହାଁମୁହିଁ ହେବେ ଗୁଜରାଟ ଟାଇଟନ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ । ଏହି ମ୍ୟାଚ୍ ଅହମ୍ମଦାବାଦ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ । ଏହି ମଇଦାନ ସର୍ବଦା ହାଇସ୍କୋରିଂ ମ୍ୟାଚ୍ ପାଇଁ ପରିଚିତ । ଗୁଜରାଟ ଓ ପଞ୍ଜାବ ମଧ୍ୟରେ ଚଳିତ ସିଜିନରେ ଖେଳା ଯାଇଥିବା ପ୍ରଥମ ମ୍ୟାଚରେ ଏହାର ଝଲକ ବି ଦେଖିବାକୁ ମିଳିଥିଲା । ପଞ୍ଜାବ ପ୍ରଥମେ ବ୍ୟାଟିଂ କରି ୨୪୩ ରନ କରିଥିଲା । ଜବାବରେ ଗୁଜରାଟ ମଧ୍ୟ ଲକ୍ଷ୍ୟର ପାଖାପାଖି ପହଞ୍ଚି ଯାଇଥିଲା । ଆଜିର ମ୍ୟାଚରେ ବି ବଡ ସ୍କୋର ହେବାର ସମ୍ଭାବନା ରହିଛି । କାରଣ ଦୁଇ ଦଳରେ ଦମଦାର ବିସ୍ଫୋରକ ବ୍ୟାଟର ଅଛନ୍ତି ।
ପାଣିପାଗ ଉପରେ ନଜର ପକାଇଲେ ଆଜି ଅହମ୍ମଦାବାଦରେ ଗରମ ଅନୁଭୂତ ହୋଇପାରେ । ସର୍ବାଧିକ ତାପମାତ୍ରା ୩୮ ଡିଗ୍ରୀ ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । କିନ୍ତୁ ମ୍ୟାଚ୍ ସନ୍ଧ୍ୟାରେ ହେଉଥିବାରୁ ପାରଦ କମିବ । ପବନର ଗତି ଘଣ୍ଟା ପ୍ରତି ୧୦ରୁ ୧୫ କିମି ରହିପାରେ । ବର୍ଷାକୁ ନେଇ କୌଣସି ସତର୍କ ସୂଚନା ବିଭାଗ ପକ୍ଷରୁ ଜାରି କରାଯାଇ ନାହିଁ । କିନ୍ତୁ ଖେଳ ସମୟରେ କାକରର ପ୍ରଭାବ ଦେଖିବାକୁ ମିଳିପାରେ । ବିଶେଷ କରି ଦ୍ୱିତୀୟ ଇନିଂସରେ କାକର ପିଚ୍ ଉପରେ ଦେଖିବାକୁ ମିଳିପାରେ । ଏମିତିରେ ଟସର ଭୂମିକା ଗୁରୁତ୍ୱପୂର୍ଣ୍ଣ ହୋଇପାରେ । ଉଲ୍ଲେଖନୀୟ ପ୍ରଥମ ମ୍ୟାଚରେ ଗୁଜରାଟ ଅଧିନାୟକ ଶୁଭମନ ଗିଲ୍ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ ।
ଅହମ୍ମଦାବାଦରେ ଏ ପର୍ଯ୍ୟନ୍ତ ମୋଟ୍ ୮ଟି ଆଇପିଏଲ୍ ମ୍ୟାଚ୍ ଖେଳା ଯାଇଛି । ଏଥିରୁ ଦ୍ୱିତୀୟ ଇନିଂସରେ ବ୍ୟାଟିଂ କରିଥିବା ଦଳ ୬ଟି ମ୍ୟାଚ୍ ଜିତିଛି । ପିଚର ମିଜାଜ ଦେଖିଲେ ଆଜି ଆଉ ଏକ ହାଇସ୍କୋରିଂ ମୁକାବିଲା ଦେଖିବାକୁ ମିଳିପାରେ । ଏଠାରେ ୨୨୦ରୁ ୨୩୦ ରନ ସ୍କୋର ସାଧାରଣ ରହିଛି । ତେଣୁ ଟସ୍ ଜିତିଥିବା ଦଳ ପ୍ରଥମେ ବୋଲିଂ କରିବାକୁ ପସନ୍ଦ କରିଥାନ୍ତି । କାରଣ ଦ୍ୱିତୀୟ ଇନିଂସରେ ବ୍ୟାଟିଂ କରିବା ଆହୁରି ସହଜ ହୋଇଥାଏ । ପ୍ରଥମ ଇନିଂସରେ ଦ୍ରୁତ ବୋଲରଙ୍କୁ ପିଚରୁ କିଛିଟା ସହାୟତା ମିଳିଥାଏ ।