ଚଣ୍ଡିଗଡ଼: ଟ୍ରାଫିକ୍ରେ ଗାଡ଼ିମଟର ଅଟକାଇ ରିଲ୍ସ କରିବା ମହିଳାଙ୍କ ମହଙ୍ଗା ପଡ଼ିଛି। ପ୍ରଥମେ ମହିଳା ଜଣକ ଗିରଫ ହେବା ପରେ ଏବେ ତାଙ୍କ କନେଷ୍ଟବଳ ସ୍ୱାମୀ ମଧ୍ୟ ନିଲମ୍ବିତ ହୋଇଛନ୍ତି। ଭିଡ଼ିଓ ଭାଇରାଲ ପରେ ପୋଲିସ ବିଭାଗ ଏବେ ତାଙ୍କ ସ୍ୱାମୀଙ୍କୁ ନିଲମ୍ବିତ କରିଛି। ଏହା ପୂର୍ବରୁ ପୋଲିସ ରିଲ୍ସ କରୁଥିବା ମହିଳା ଓ ତାଙ୍କ ଭାଉଜଙ୍କୁ ବି ଗିରଫ କରିଛି। ଭାଉଜଙ୍କ ଅପରାଧ ଏହା ଥିଲା କି, ମହିଳା ଜଣକ ବିଚ୍ ରାସ୍ତାରେ ନାଚୁଥିବା ବେଳେ ସେ ତାର ଭିଡିଓ କରୁଥିଲେ। ଯଦିଓ ତାଙ୍କୁ ଥାନାରୁ ଜାମିନ୍ ମିଳିଛି, ହେଲେ ବର୍ତ୍ତମାନ ମହିଳାଙ୍କ ସ୍ୱାମୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇ ତାଙ୍କୁ ନିଲମ୍ବିତ କରାଯାଇଛି।
ସୂଚନା ମୁତାବିକ, ଘଟଣାଟି ଚଣ୍ଡୀଗଡ଼ର ସେକ୍ଟର-୨୦ ଗୁରୁଦ୍ବାରା ଲାଇଟ ପଏଣ୍ଟ ନିକଟରେ ଘଟିଛି। ଜ୍ୟୋତି ନାମକ ଜଣେ ମହିଳା ନିଜର ଭାଉଜ ସହିତ ଜେବ୍ରା କ୍ରସିଂରେ ନାଚୁଥିବାର ଭିଡିଓ ତିଆରି କରିଥିଲେ। ଜ୍ୟୋତି ଏହି ଭିଡିଓକୁ ନିଜ କନେଷ୍ଟବଳ ସ୍ବାମୀ ଅଜୟ କୁଣ୍ଡୁଙ୍କ ସାସାମଜିକ ଗଣମାଧ୍ୟମ ଆକାଉଣ୍ଟରେ ଅପଲୋଡ କରିଥିଲେ। ଏହି ଭିଡିଓ ତୁରନ୍ତ ଭାଇରାଲ ହୋଇଯାଇଥିଲା।
ଭିଡିଓ ସାମ୍ନାକୁ ଆସିବା ପରେ ପୁଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିଲା। ତଦନ୍ତରୁ ଜଣାପଡ଼ିଥିଲା ଯେ ଭିଡିଓଟି ଅଜୟଙ୍କ ଆକାଉଣ୍ଟରୁ ଅପଲୋଡ୍ କରାଯାଇଛି। ଅଜୟ ଚଣ୍ଡୀଗଡ଼ ପୁଲିସରେ କନଷ୍ଟେବଳ ପଦବୀରେ ନିଯୁକ୍ତ ଥିବାବେଳେ ସେ ସେକ୍ଟର-୧୯ ଥାନାରେ କାର୍ଯ୍ୟରତ ଥିଲେ। ଚଣ୍ଡୀଗଡ଼ ପୁଲିସ ମାମଲାକୁ ଗମ୍ଭୀରତାର ସହିତ ନେବା ସହ ଅଜୟଙ୍କୁ ନିଲମ୍ବନ କରିଥିଲା। ଏହା ସହିତ ତାଙ୍କ ବିରୋଧରେ ସେକ୍ଟର-୩୪ ଥାନାରେ ମାମଲା ରୁଜୁ ହୋଇଛି। ଭିଡିଓ ତିଆରି କରିଥିବା ଦୁଇ ମହିଳା ଜ୍ୟୋତି ଏବଂ ତାଙ୍କ ଭାଉଜ ପୂଜାଙ୍କ ବିରୋଧରେ ବି ମାମଲା ରୁଜୁ ହୋଇଛି।