ଆସନ୍ତାକାଲି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ନୂଆ ଟାରିଫ ପ୍ଲାନ ଘୋଷଣା କରିବାକୁ ଯାଉଥିବାବେଳେ ଏହି ଦିବସକୁ ଆମେରିକାର ମୁକ୍ତି ଦିବସ ଭାବେ ମାନ୍ୟତା ଦିଆଯାଇଛି। କେଉଁ ରାଷ୍ଟ୍ର ଲାଗି କେତେକ ପ୍ରତିଶତ ଟାରିଫ ଲାଗିବ ତାହା ଟ୍ରମ୍ପ୍ ଘୋଷଣା କରିବେ। ତେବେ ଆମେରିକାର ନୂଆ ଟାରିଫ ପ୍ଲାନରେ କ୍ଷତିଗ୍ରସ୍ତ ହୋଇପାରେ ଭାରତ। ପାରସ୍ପରିକ ଆମଦାନୀ ଶୁଳ୍କ ଯୋଗୁଁ ଭାରତ କ୍ଷତି ସହିବ। ବିଶେଷ କରି ଏହାର ପ୍ରଭାବ ଦେଶର ଅଟୋମୋବାଇଲ୍, ଲୁଗା, ଖାଦ୍ୟ ସାମଗ୍ରୀ, ଜୁଏଲରୀ ଓ ଅନ୍ୟ ଉଦ୍ୟୋଗ ଉପରେ ପଡିବ ବୋଲି କୁହାଯାଉଛି । ଏହାର ପ୍ରଭାବ ଦିନକ ପୂର୍ବରୁ ହିଁ ସେୟାର ବଜାରରେ ବି ଦେଖିବାକୁ ମିଳିଛି ।
ଆମେରିକୀୟ ଚାଉଳ ଉପରେ ଜାପାନର ୭୦୦ ପ୍ରତିଶତ ଟାରିଫ, ଆମେରିକୀୟ ଦୁଗ୍ଧଜାତ ସାମଗ୍ରୀ ଉପରେ ୟୁରୋପୀୟ ୟୁନିଅନର ୫୦ ପ୍ରତିଶତ ଟାରିଫ, ଆମେରିକୀୟ କୃଷିଭିତ୍ତିକ ସାମଗ୍ରୀ ଉପରେ ଭାରତର ୧୦୦ ପ୍ରତିଶତ ଟାରିଫ ଯୋଗୁ ଆମେରିକା ବିଶେଷ ଚିନ୍ତିତ ହୋଇଛି। ସେହିପରି ଆମେରିକୀୟ ଲହୁଣୀ ଓ ଘିଅ ଉପରେ କାନାଡାର ୩ ୦୦ ପ୍ରତିଶତ ଟାରିଫ ବି ଆମେରିକା ଲାଗି ଚିନ୍ତାର କାରଣ ହୋଇଛି। ସେପଟେ ଟାରିଫ ପ୍ରସଙ୍ଗ ନେଇ ଷ୍ଟକ ମାର୍କେଟ ଉପରେ ପଡ଼ିଛି ପ୍ରଭାବ। ସେନସେକ୍ସ ପ୍ରାୟ ୧ ହଜାର ପଏଣ୍ଟ ଖସିଥିବାବେଳେ ନିଫ୍ଟି ୨୨୫ ପଏଣ୍ଟ ହ୍ରାସ ପାଇଛି। ସବୁଠାରୁ ଅଧିକ କ୍ଷତି ସହିଛନ୍ତି ଆଇଟି ସେକ୍ଟର।
କେଉଁଠି ପଡିବ ସର୍ବାଧିକ ପ୍ରଭାବ?
ଏପ୍ରିଲ ୨ରୁ ପାରସ୍ପରିକ ଆମଦାନୀ ଶୁଳ୍କ ଲାଗୁ ହେଲେ ଏହାର ପ୍ରଭାବ ସବୁଠୁ ଅଧିକ ଔଷଧ ଉପରେ ପଡିବ । ଭାରତରୁ ଆମେରିକାକୁ ଶସ୍ତା ଔଷଧ ଯାଉଥିଲା, ଯାହାର ଦର ବଢିବ । ଆମେରିକା ଭାରତଠାରୁ ୧୨ବିଲିୟନ ଡଲାରରୁ ଅଧିକ ମୂଲ୍ୟର ଔଷଧ ଆମଦାନୀ କରେ । ଏବେ ଆମେରିକାରେ ଫାର୍ମା ସାମଗ୍ରୀ ଉପରେ ୧.୦୬ପ୍ରତିଶତ ତ ଭାରତରେ ୯.୬୮ପ୍ରତିଶତ ଟାରିଫ ଲଗାଯାଉଛି । ଏହାସହ ଅଟୋମୋବାଇଲ୍, ଲୁଗା, ଖାଦ୍ୟ ସାମଗ୍ରୀ, ଜୁଏଲରୀ ଓ ଅନ୍ୟ ଉଦ୍ୟୋଗ ଉପରେ ବି ପ୍ରଭାବ ପଡିବ । ଭାରତ ଟାରିଫ୍ ହ୍ରାସ କଲେ ଦେଶର ରାଜସ୍ବ ପ୍ରଭାବିତ ହେବ। ଆଉ ଆମେରିକା ଟାରିଫ ବଢାଇଲେ ଦେଶ ପ୍ରଭାବିତ ହେବ । ଟାରିଫ ବୃଦ୍ଧି ଉଭୟ ବାଣିଜ୍ୟ ଓ ଉଭୟ ଦେଶର ଖାଉଟିଙ୍କ ଉପରେ ପ୍ରଭାବ ପକାଇବ ।