ନୂଆଦିଲ୍ଲୀ: ଲୋକସଭାରେ ୱାକଫ ସଂଶୋଧନ ବିଧେୟକ ଉପସ୍ଥାପିତ ହୋଇଛି । ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ ଏହି ବିଧେୟକକୁ ସଂସଦର ନିମ୍ନ ସଦନରେ ଉପସ୍ଥାପନ କରିଛନ୍ତି । ଏହି ବିଲ୍ ଉପରେ ଆଲୋଚନା ପାଇଁ ୮ ଘଣ୍ଟାର ସମୟ ରଖାଯାଇଛି । ସରକାର କହିଛନ୍ତି ଯେ, ଯଦି ଗୃହର ସହମତି ହୁଏ ତେବେ ଆଲୋଚନା ପାଇଁ ସମୟ ବୃଦ୍ଧି କରାଯିବ । ସରକାରଙ୍କ ପକ୍ଷରୁ ଆଜି ଆଲୋଚନା ସମୟରେ ପ୍ରଶ୍ନର ଉତ୍ତର ଦିଆଯିବ । ଏହା ପୂର୍ବରୁ କ୍ଷମତାସୀନ ବିଜେପି ନିଜର ସମସ୍ତ ସାଂସଦଙ୍କୁ ହ୍ୱିପ୍ ଜାରି ଗୃହରେ ଉପସ୍ଥିତ ରହିବାକୁ କହିଥିଲା । ଏହିପରି ଟିଡିପି, ଜେଡିୟୁ, ଆରଏଲଡି ନିଜର ସାଂସଦଙ୍କୁ ହ୍ୱିପ୍ ଜାରି କରିଛନ୍ତି । ଅନ୍ୟପଟେ ସମସ୍ତ ବିରୋଧୀ ଏହି ବିଧେୟକକୁ ତୀବ୍ର ବିରୋଧ କରିଛନ୍ତି । ଏହାକୁ ନେଇ ଆଜି ଗୃହରେ ପ୍ରବଳ ହଟ୍ଟଗୋଳ ହୋଇପାରେ ।
କିରେନ ରିଜିଜୁ ୱାକଫ ବିଲ୍ ଉପରେ ଆଲୋଚନା ସମୟରେ କହିଛନ୍ତି, ସରକାର କୌଣସି ବି ଧର୍ମରେ ହସ୍ତକ୍ଷେପ କରନ୍ତି ନାହିଁ । ଆମେ ମସଜିଦ ପରିଚାଳନା ଉପରେ ଦଖଲ ଦେବାକୁ ଚାହୁଁ ନାହୁଁ । ଏହି ସମୟରେ କିଛି ପୁରୁଣା ଦସ୍ତାବିଜ ବିଷୟରେ ଉଲ୍ଲେଖ କରି କିରେନ ରିଜିଜୁ କହିଛନ୍ତି, ସଂସଦର ବିଲ୍ଡିଂ ଉପରେ ମଧ୍ୟ ୱାକଫ ଦାବି କରିଛି । ଆମେ ସଂଶୋଧ ନ ଆଣିଲେ ଯେଉଁ ସ୍ଥାନରେ ଆମେ ବସିଛୁ ତାହା ମଧ୍ୟ ୱାକଫ ସଂପତ୍ତି ହୋଇଯିବ । ୟୁପିଏ ସରକାର ହୋଇଥିଲେ ଜଣା ନାହିଁ କେତେ ସଂପତ୍ତି ଚିହ୍ନଟ ବି ହୋଇ ନ ଥାନ୍ତା।
ରିଜିଜୁଙ୍କ ଏମିତି ଟିପ୍ପଣୀକୁ ଗୃହରେ ସମସ୍ତ ବିରୋଧୀ ଦଳ ବିରୋଧ କରିଛନ୍ତି । ସଂସଦୀୟ ବ୍ୟାପାର ମନ୍ତ୍ରୀ ଏହା ମଧ୍ୟ କହିଛନ୍ତି, ମୁଁ ଦସ୍ତାବିଜ ଆଧାରରେ କହୁଛି । ୟୁପିଏ ସମୟରେ ୧୨୩ ସଂପତ୍ତି ୱାକଫକୁ ଦିଆଯାଇଛି । ଆମେ ପୁରୁଣା ବିଧେୟକରେ ସଂଶୋଧନ କରିବାକୁ ଚାହୁଁଛୁ । ଏଥିରେ ବିରୋଧୀଙ୍କ ଆପତ୍ତି ବୁଝି ହେଉନି । ଆପଣ ଖୋଲା ମନରେ ଥରୁଟିଏ ଚିନ୍ତା କରନ୍ତୁ । ୱାକଫକୁ ନେଇ ବିରୋଧୀ ଲୋକଙ୍କୁ ଭ୍ରମିତ କରିବାକୁ ଚେଷ୍ଟା କରୁଛି ।
ରିଜିଜୁ କହିଛନ୍ତି, ସଂସଦୀୟ ଇତିହାସରେ ଏତେ ଆଲୋଚନା କୌଣସି ବିଧେୟକକୁ ନେଇ ହୋଇ ନାହିଁ, ଯେତିକି ୱାକଫ ସଂଶୋଧନ ବିଧେୟକ ଉପରେ ହେଉଛି । ଯୁଗ୍ମ କମିଟିରେ ସାମିଲ ସମସ୍ତ ସଦସ୍ୟଙ୍କୁ ମୁଁ ଧନ୍ୟବାଦ ଦେବାକୁ ଚାହୁଁଛି । ୯୭ ଲକ୍ଷରୁ ଅଧିକ ପ୍ରସ୍ତାବ ଆସିଛି । କେବେ ବି କୌଣସି ବିଧେୟକ ଉପରେ ଏତେ ପ୍ରସ୍ତାବ ଆସିନାହିଁ । ଆଶା କରୁଛି ବିରୋଧୀଙ୍କ ହୃଦୟ ବଦଳିବ ଏବଂ ଏହି ବିଧେୟକ ଉପରେ ସମର୍ଥନ ଦେବେ । ଏହି ବିଲ୍ କୌଣସି ନୂଆ ନୁହେଁ । ଏହା ଇଂରେଜ ଅମଳରୁ ଚାଲି ଆସିଛି ।