ନୂଆଦିଲ୍ଲୀ: ବଦଳିଯିବ ଆଗ୍ରାସ୍ଥିତ ତାଜମହଲ ନିକଟରେ ଥିବା ଶାହଜାନ ଉଦ୍ୟାନର ନାମ । ଶାହଜାନଙ୍କ ନାମ ବଦଳରେ ରହିବ ବୀର ସଂଗ୍ରାମୀଙ୍କ ନାମ । ଯୋଦ୍ଧା ତଥା ରାଣୀ ଅହଲ୍ୟାବାଇ ହୋଲକରଙ୍କ ନାମରେ ନାମିତ ହେବ ଶାହଜାନ ଉଦ୍ୟାନ । ଏଥିପାଇଁ ଉତ୍ତର ପ୍ରଦେଶ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି ।
ଗତ କିଛି ଦିନ ହେବ ବିଭିନ୍ନ ସାମାଜିକ ସଂଗଠନ ଓ କ୍ୟାବିନେଟ୍ ମନ୍ତ୍ରୀ ବେବି ରାଣୀ ମୌର୍ଯ୍ୟ ଶାହଜାହାନ ଉଦ୍ୟାନର ନାମ ପରିବର୍ତ୍ତନ କରିବାକୁ ଦାବି କରିଆସୁଥିଲେ । ମନ୍ତ୍ରୀ ବେବି ରାଣୀ ମୌର୍ଯ୍ୟ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଏକ ଚିଠି ଲେଖିଲେ । ଶାହଜାହାନ ଗାର୍ଡେନର ନାମ ପରିବର୍ତ୍ତନ କରିବାକୁ ସୁପାରିଶ କରାଯାଇଥିଲା। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅତିରିକ୍ତ ମୁଖ୍ୟ ସଚିବ ଏସ୍ ପି ଗୋୟଲ ଏହି ମାମଲାକୁ ଗମ୍ଭୀରତାର ସହ ନେଇଥିଲେ ଏବଂ ଏହା ଉପରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।
ରାଣୀ ଅହଲ୍ୟାବାଇଙ୍କୁ ଏହା ଏକ ଶ୍ରଦ୍ଧାଞ୍ଜଳି ହେବ ବୋଲି ସରକାର କହିଛନ୍ତି । ଏହି ନାମକରଣ କେବଳ ଯୋଦ୍ଧା ମହିଳା ଅହଲ୍ୟାବାଇଙ୍କ ମହାନତାକୁ ସମ୍ମାନ ଦେବ ନାହିଁ ବରଂ ମହିଳା ସଶକ୍ତିକରଣ ଏବଂ ସମାଜ ପ୍ରତି ତାଙ୍କର ଅବଦାନକୁ ମଧ୍ୟ ଉଜ୍ଜ୍ୱଳ କରିବ । ରାଣୀ ଅହଲ୍ୟାବାଇ ହୋଲକର ଅଷ୍ଟାଦଶ ଶତାବ୍ଦୀର ଜଣେ ମହାନ ବୀରାଙ୍ଗନା ଥିଲେ । ତାଙ୍କର କାର୍ଯ୍ୟକାଳ ଧର୍ମ, ସେବା ଏବଂ ମହିଳା ସଶକ୍ତିକରଣ କ୍ଷେତ୍ରରେ ଅବିସ୍ମରଣୀୟ ହୋଇ ରହିଛି । ତାଙ୍କ ଶାସନ କାଳରେ ଅନେକ ଐତିହାସିକ କାର୍ଯ୍ୟ ଘଟିଥିଲା ଏବଂ ସେ ମରାଠା ସାମ୍ରାଜ୍ୟର ବିସ୍ତାର କରିଥିଲେ। ତାଙ୍କ ଅବଦାନକୁ ସମ୍ମାନ ଜଣାଇବା ପାଇଁ ଏହି ପଦକ୍ଷେପ ନିଆଯାଇଛି ।
ଏହା ପୂର୍ବରୁ ମଧ୍ୟ, ବେବି ରାଣୀ ମୌର୍ଯ୍ୟ ଆଗ୍ରାର ବିଜଲି ଘର ମେଟ୍ରୋ ଷ୍ଟେସନକୁ ଡକ୍ଟର ଭୀମରାଓ ଆମ୍ବେଦକରଙ୍କ ନାମରେ ନାମିତ କରିବାକୁ ଦାବି କରିଥିଲେ । ୟୁପି ସରକାର ସେହି ନାମକୁ ପରିବର୍ତ୍ତନ କରି ଏକ ଐତିହାସିକ ପଦକ୍ଷେପ ନେଇଥିଲେ ।