ଉତ୍ତରାଖଣ୍ଡ: ଉତ୍ତରାଖଣ୍ଡର ୧୧ଟି ସ୍ଥାନର ନାମ ପରିବର୍ତ୍ତନ କଲେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି । ହରିଦ୍ୱାର, ଡେରାଡୁନ, ନୈନିତାଲ ଏବଂ ଉଧମ ସିଂହ ନଗର ଜିଲ୍ଲାର ୧୧ଟି ସ୍ଥାନର ନାମ ପରିବର୍ତ୍ତନ ଘୋଷଣା କରିଛନ୍ତି । ଘୋଷଣା ମୁତାବିକ, ହରିଦ୍ୱାରରେ ୫ଟି, ଡେରାଡୁନରେ ୩, ନୈନୀତାଲରେ ୨ଟି ଉଧମ ସିଂ ନଗରର ଗୋଟିଏ ସ୍ଥାନର ନାଁ ପରିବର୍ତ୍ତନ କରାଯାଇଛି ।
ମୁସଲମାନ ନାଁ ରହିଥିବା କିଛି ଅଞ୍ଚଳର ନାଁ ବର୍ତ୍ତମାନ ହିନ୍ଦୁ ଦେବତାଙ୍କ ନାଁ ଆଧାରରେ ପରିବର୍ତ୍ତିତ କରାଯାଇଛି । ଯେପରିକି ଡେରାଡୁନ ଅଞ୍ଚଳରେ ମିୟାଁବାଲ କ୍ଷେତ୍ରର ନାଁକୁ ପରିବର୍ତ୍ତିତ କରାଯାଇ ରାମଜୀବାଲା କରିଦିଆଯାଇଛି । ସେହିପରି ଔରଙ୍ଗଜେବ ନଗରର ନାଁ ବଦଳାଇ ଏବେ ଶିବାଜୀ ନଗର କରିଦିଆଯାଇଛି । ସେହିପରି ଖାନପୁର ଗାଁର ନାଁକୁ ପରିବର୍ତ୍ତତ କରାଯାଇ ଶ୍ରୀକୃଷ୍ଣ ନଗରୀ କରିଦିଆଯାଇଛି ।
ତେବେ ସ୍ଥାନର ନାମ ପରିବର୍ତ୍ତନ ସମୟରେ ମୁଖ୍ୟମନ୍ତ୍ରୀ କହିଛନ୍ତି, "ଜନସାଧାରଣଙ୍କ ଭାବନା ଏବଂ ଭାରତୀୟ ସଂସ୍କୃତି ଏବଂ ଐତିହ୍ୟ ଅନୁଯାୟୀ ବିଭିନ୍ନ ସ୍ଥାନର ନାମ ପରିବର୍ତ୍ତନ କରାଯାଉଛି। ଭାରତୀୟ ସଂସ୍କୃତି ଏବଂ ଏହାର ସଂରକ୍ଷଣରେ ଅବଦାନ ରଖିଥିବା ମହାପୁରୁଷଙ୍କ ନାମରେ ସେଗୁଡ଼ିକର ନାମକରଣ କରାଯାଉଛି" ।