ପୁରୀ: ନାବାଳିକା ଶିଶୁକନ୍ୟାକୁ ଦୁଷ୍କର୍ମ ଅଭିଯୋଗରେ ଗିରଫ ହେଲେ ଅଭିଯୁକ୍ତ ପିଉସା। ଅଭିଯୋଗର ୨୩ ଦିନ ପରେ ଗିରଫ ଅଭିଯୁକ୍ତଙ୍କୁ କରାଯାଇଛି। ସୋମବାର ପିପିଲି ପୋଲିସ ସମ୍ପର୍କୀୟ ପିଉସାଙ୍କୁ ଗିରଫ କରି ପୁରୀର ସ୍ୱତନ୍ତ୍ର ପୋକ୍ସୋ କୋର୍ଟକୁ ଚାଲାଣ କରିଛି। ତେବେ ଅଭିଯୁକ୍ତର ନିଜ ଘର ଖୋର୍ଦ୍ଧା ଜିଲାରେ ହୋଇଥିବା ବେଳେ ସେ ଦୀର୍ଘ ୨୫ ବର୍ଷ ଧରି ପିପିଲି ଥାନା ଅନ୍ତର୍ଗତ ନିଜ ଶ୍ୱଶୁର ଘର ନିକଟରେ ପରିବାର ସହ ବାସ କରିଆସୁଥିବା ସୂଚନା ମିଳିଛି।
ସୂଚନା ମୁତାବକ, ଅଭିଯୁକ୍ତ ଜୟକୃଷ୍ଣ ଦ୍ୱିତୀୟ ଶ୍ରେଣୀରେ ପାଠ ପଢୁଥିବା ଜଣେ ୭ ବର୍ଷୀୟା ଶିଶୁକନ୍ୟାକୁ ଦୁଷ୍କର୍ମ କରିଥିଲା। ଗତ ୩୦ ତାରିଖ ଅପରାହ୍ନ ପ୍ରାୟ ୩ଟାରେ ନାବାଳିକା ଜଣକ ଖାଇସାରି ହାତ ଧୋଇବାକୁ ନଳକୂପ ପାଖକୁ ଯାଇଥିବା ବେଳେ ଅଭିଯୁକ୍ତ ତାକୁ ସେଠାରୁ ଜୋର ଜବରଦସ୍ତ ନିଜ ଘରକୁ ଉଠାଇନେଇ ଦୁର୍ଷ୍କମ କରିଥିଲା। ପରେ ଘଟଣା ସମ୍ପର୍କରେ କାହାରିକୁ ନ କହିବାକୁ ଧମକ ଦେଇଥିଲା। ହେଲେ ଝିଅ ଏ ସଂପର୍କରେ ନିଜ ବାପା ଓ ମାଆଙ୍କୁ କହିଥିଲା। ପରିବାର ଲୋକେ ଏନେଇ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଅଭିଯୋଗକୁ ଭିର୍ତ୍ତି କରି ତଦନ୍ତ କରିଥିଲା। ଏହାପରେ ଆଜି ସୋମବାରରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି।