ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ପରେ ଗୁଜରାଟରେ ନିଆଁ ଲାଗି ୧୧ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ଗୁଜୁରାଟର ବନାସକାଂଠାର ଅନ୍ତର୍ଗତ ଡୀସାରେ ଧୁନୱା ରୋଡ଼ରେ ଥିବା ଏକ ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ ହୋଇଛି । ଏଥିରେ କାମ କରୁଥିବା ଶ୍ରମିକ ପ୍ରାଣ ହରାଇଛନ୍ତି । ଦମକଳ ବାହିନୀ ଘଟଣାସ୍ଥଳରେ ପହଁଚି ନିଆଁ ଲିଭା କାର୍ଯ୍ୟ ଜାରି ରଖିଛନ୍ତି । ଏହି ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାର ସମ୍ଭାବନା ରହିଛି ।
ସୂଚନା ଅନୁଯାୟୀ, ଡୀସାର ଧୁନୱା ରୋଡରେ ଦୀପକ ଟ୍ରେଡର୍ସ ନାମକ ଏକ ବାଣ ଫ୍ୟାକ୍ଟ୍ରିରେ କାରଖାନା ମଙ୍ଗଳବାର ପୂର୍ବାହ୍ନ ସମୟରେ ହଠାତ୍ ବିସ୍ଫୋରକ ସାମଗ୍ରୀ ବିସ୍ଫୋରଣ ହୋଇଥିଲା। ଫ୍ୟାକ୍ଟ୍ରିରେ ବ୍ୟାପକ ପରିମାଣରେ ବାଣ ମହଜୁଦ ଥିବାରୁ ନିଆଁ ଖୁବ୍ ଶୀଘ୍ର ଭୟଙ୍କର ରୂପ ନେଇଥିଲା। ଏ ନେଇ ଅଗ୍ନିଶମ ବିଭାଗର ଖବର ଦିଆଯାଇଥିଲା । ଅଗ୍ନିଶମ ବାହିନୀ ତୁରନ୍ତ ସେଠାରେ ପହଁଚି ନିଆଁକୁ ଆୟତ କରିବାକୁ ଉଦ୍ୟମ କରିଥିଲେ । ଏହି ଅଗ୍ନିକାଣ୍ଡରେ ୧୧ ଜଣ ଶ୍ରମିକ ଜୀବନ୍ତ ଦଗ୍ଧ ହୋଇଯାଇଥିବା ଜଣାପଡ଼ିଛି । ସ୍ଥାନୀୟ ପୋଲିସ ଏବଂ ପ୍ରଶାସନିକ ଅଧିକାରୀମାନେ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଘଟଣାର ଯାଞ୍ଚ କରୁଛନ୍ତି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପରଗନା ଜିଲ୍ଲାର ଧୋଲାହାଟ ଅଞ୍ଚଳରେ ଏକ ବଡ଼ ବିସ୍ଫୋରଣରେ ୭ ଜଣଙ୍କର ମୃତ୍ୟୁ ହୋଇଛି । ସିଲିଣ୍ଡର ଫାଟିବା ପରେ ଘରେ ରଖାଯାଇଥିବା ଫୋଟକା ବିସ୍ଫୋରଣ ଯୋଗୁଁ ଏହି ବିସ୍ଫୋରଣ ଘଟିଥିଲା, ଯାହା ଫଳରେ ସମ୍ପୂର୍ଣ୍ଣ ଘର ନଷ୍ଟ ହୋଇଯାଇଥିଲା।