ନୂଆଦିଲ୍ଲୀ: ସୂର୍ଯ୍ୟକୁମାର ଯାଦବ ସୋମବାର କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ବିସ୍ଫୋରକ ଇନିଂସ ଖେଳିଛନ୍ତି । ଏହି ସମୟରେ ସେ ଏକ ଖାସ୍ ଉପଲବ୍ଧି ହାସଲ କରିଛନ୍ତି । ସେ ଭାରତର ପଞ୍ଚମ ବ୍ୟାଟର ଭାବେ ଟି-୨୦ କ୍ରିକେଟରେ ୮ ହଜାର ରନ ପୂରଣ କରିଛନ୍ତି । ତାଙ୍କ ପୂର୍ବରୁ ଆଉ ୪ ଜଣ ବ୍ୟାଟର ଏହି କ୍ଲବରେ ସାମିଲ ହୋଇଛନ୍ତି ।
ଟି-୨୦ରେ ଭାରତର ବିରାଟ କୋହଲି ସର୍ବପ୍ରଥମ ବ୍ୟାଟର ଭାବେ ଏହି କ୍ଲବରେ ସାମିଲ ହୋଇଥିଲେ । ସେ ବର୍ତ୍ତମାନ ୧୩ ହଜାର ରନ ପାଖାପାଖି ପହଞ୍ଚି ଗଲେଣି । ଆଇପିଏଲ, ଚାମ୍ପିଅନ ଲିଗ୍ ଟି-୨୦, ଘରୋଇ ଟି-୨୦ କ୍ରିକେଟ୍ ଓ ଟି-୨୦ ଅନ୍ତର୍ଜାତୀୟକୁ ମିଶାଇ ମୋଟ୍ ୧୨ ହଜାର ୯୭୬ ରନ କଲେଣି କୋହଲି ।
ଭାରତୀୟ ଅଧିନାୟକ ରୋହିତ ଶର୍ମା ତାଲିକାରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି । ସେ ଭାରତ ପାଇଁ ଟି-୨୦ରେ ୧୨ ହଜାର ରନର ନିକଟତର ଅଛନ୍ତି । ସେ ଏ ପର୍ଯ୍ୟନ୍ତ ୧୧୮୫୧ ରନ କରିଛନ୍ତି । ପୂର୍ବତନ ଓପନର ଶିଖର ଧାୱନ ୮୦୦୦ କିମ୍ବା ସେଥିରୁ ଅଧିକ ରନ କରିବାରେ ତୃତୀୟ ଭାରତୀୟ ବ୍ୟାଟର । ସେ ନିଜ କ୍ୟାରିୟରରେ ୯୭୯୭ ରନ କରିଛନ୍ତି । କିନ୍ତୁ ଏବେ ସେ ଆଉ ପେଶାଦାର କ୍ରିକେଟ୍ ଖେଳୁ ନାହାନ୍ତି ।
ରୈନା ମଧ୍ୟ ଏହି ତାଲିକାରେ ସାମିଲ । ସେ ଟି-୨୦ କ୍ରିକେରେ ୮ ହଜାରରୁ ଅଧିକ ରନ କରିଛନ୍ତି । ଆଇପିଏଲ୍, ଚାମ୍ପିଅନ୍ସ ଲିଗ୍ ଟି-୨୦, ଟି-୨୦ ଅନ୍ତର୍ଜାତୀୟ ଓ ଘରୋଇ କ୍ରିକେଟକୁ ମିଶାଇ ସେ ୮୬୫୪ ରନ କରିଛନ୍ତି । ଆଉ ଏହି ତାଲିକାରେ ପଞ୍ଚମ ବ୍ୟାଟର ଭାବେ ଏଣ୍ଟ୍ରି ମାରିଛନ୍ତି ସୂର୍ଯ୍ୟକୁମାର ଯାଦବ । ସେ ଟି-୨୦ କ୍ୟାରିୟରରେ ଅଦ୍ୟାବଧି ୮୦୦୭ ରନ କରିଛନ୍ତି ।