ଭୁବନେଶ୍ବର: ଆଜି ହେଉଛି ଉତ୍କଳ ଦିବସ । ଚଳିତ ବର୍ଷ ୮୭ ତମ ଉତ୍କଳ ଦିବସ ପାଳନ କରୁଛି ଓଡ଼ିଶା । ଏହି ଦିନକୁ ନେଇ ସାରା ରାଜ୍ୟବାସୀ ଉତ୍ସାହିତ ଥିବା ବେଳେ ଗର୍ବର ସହ ଉତ୍କଳ ଦିବସ ପାଳନ କରୁଛନ୍ତି ପ୍ରତିଟି ଓଡ଼ିଆ । ଯେଉଁମାନଙ୍କର ଅଦମ୍ୟ ସାଧନା, ପ୍ରଚେଷ୍ଟା ଲାଗି ଓଡ଼ିଶା ଭାଷାଭିତ୍ତିରେ ସ୍ୱତନ୍ତ୍ର ପରିଚୟ ପାଇପାରିଛି ସେମାନଙ୍କୁ ଆଜି ସମସ୍ତେ ମନେପକାଉଛନ୍ତି। ୧୯୩୬ ଏପ୍ରିଲ ୧ ତାରିଖରେ ଭାଷା ଭିତ୍ତିରେ ଆମ ଓଡ଼ିଶାକୁ ମିଳିଥିଲା ସ୍ବତନ୍ତ୍ର ପ୍ରଦେଶର ମାନ୍ୟତା । ଭାଷା ଭିତ୍ତିରେ ଏକ ସ୍ବତନ୍ତ୍ର ରାଜ୍ୟର ମାନ୍ୟତା ପାଇବାରେ ଓଡ଼ିଶା ପାଲଟିଥିଲା ଭାରତର ପ୍ରଥମ ରାଜ୍ୟ ।
ଏହି ଅବସରରେ ଆଜିଠୁ ରାଜ୍ୟ ସରକାର ପାଳନ କରିବେ ‘ଓଡ଼ିଆ ପକ୍ଷ’। ଏପ୍ରିଲ ୧ ଓଡ଼ିଶା ଦିବସରୁ ଏପ୍ରିଲ ୧୪ ମହାବିଷୁବ ସଂକ୍ରାନ୍ତି ଯାଏଁ ରାଜ୍ୟରେ ଓଡ଼ିଆ ପକ୍ଷ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଓଡ଼ିଆ ପକ୍ଷରେ ହେବାକୁ ଥିବା କାର୍ଯ୍ୟକ୍ରମରେ ସରକାରଙ୍କ ବିଭିନ୍ନ ବିଭାଗ ସାମିଲ ହେବେ । ଏଥିରେ ଏପ୍ରିଲ ୧ ଅର୍ଥାତ ଆଜି ସବୁ ଜିଲ୍ଲାରେ ଧୁମଧାମରେ ପାଳନ ହେବ ଓଡ଼ିଶା ଦିବସ ।
ଆସନ୍ତୁ ଜାଣିବା କେଉଁଦିନ ପାଳନ ହେବ କେଉଁ ଦିବସ ;
ଏପ୍ରିଲ ୧ :- ସ୍ଵତନ୍ତ୍ର ଭାଷା ଭିତ୍ତିକ ଓଡ଼ିଶା ପ୍ରଦେଶ ଗଠନ ଉପଲକ୍ଷେ ରାଜ୍ୟ, ଜିଲ୍ଲା ଏବଂ ଉପଖଣ୍ଡ ସ୍ତରରେ ଓଡ଼ିଶା ଦିବସ ପାଳନ କରାଯିବ। ସୂଚନା ଓ ଲୋକସମ୍ପର୍କ ବିଭାଗ ଆନୁକୂଲ୍ୟରେ ଓଡ଼ିଶା ଦିବସ ପାଳନ କରାଯିବ।
ଏପ୍ରିଲ ୨:- ରାଜ୍ୟର ପ୍ରାଥମିକ ବିଦ୍ୟାଳୟର ଶିଶୁ ବାଟିକାରେ ନାମ ଲେଖାଯିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ମହିଳା ଓ ଶିଶୁ ବିକାଶ ବିଭାଗ ଆନୁକୁଲ୍ୟରେ ଖଡିଛୁଆଁ ଓ ପ୍ରବେଶ ଉତ୍ସବ ପାଳନ କରାଯିବ ।
ଏପ୍ରିଲ ୩:- ପାରମ୍ପରିକ ଓଡ଼ିଆ ପୋଷାକ ତଥା ଓଡ଼ିଶାର ହସ୍ତତନ୍ତ, ବୟନ ଶିଳ୍ପର ପ୍ରଚାର-ପ୍ରସାର ପାଇଁ ହସ୍ତତନ୍ତ, ବୟନ ଶିଳ୍ପ ଓ ହସ୍ତଶିଳ୍ପ ବିଭାଗ ଆନୁକୂଲ୍ୟରେ ପାରମ୍ପରିକ ପୋଷାକ ପରିଧାନ- “ଆମ ପୋଷାକ ଆମ ପରିଚୟ” ଦିବସ ପାଳନ କରାଯିବ।
ଏପ୍ରିଲ ୪:- ରାଜ୍ୟର ବିଭିନ୍ନ ଦୋକାନ ବଜାରରେ ଓଡ଼ିଆ ନାମ ଫଳକର ବ୍ୟବହାର ପାଇଁ ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ବିଭାଗ ପକ୍ଷରୁ “ଓଡ଼ିଆରେ ନାମ ଫଳକ ଅଭିଯାନ – ସଚେତନତା ପଦଯାତ୍ରା” ର ଆୟୋଜନ କରାଯିବ।
ଏପ୍ରିଲ ୫:- କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଐତିହ୍ୟ ଗଣଦୌଡ଼ କାର୍ଯ୍ୟକ୍ରମର ଆୟୋଜନ କରାଯିବ।
ଏପ୍ରିଲ ୬:- ଓଡ଼ିଶାରେ ଥିବା ଦେବାଳୟ ଓ ଐତିହ୍ୟ ସ୍ଥଳୀଗୁଡ଼ିକୁ ସର୍ବଦା ସ୍ୱଚ୍ଛ ରଖିବା ପାଇଁ ସ୍ୱଚ୍ଛତା ଅଭିଯାନର ଆୟୋଜନ କରାଯିବ।
ଏପ୍ରିଲ ୭:- ଓଡ଼ିଆ ଭାଷାର ପ୍ରାରମ୍ଭିକ ପରିଚୟ ପ୍ରଦାନ କରୁଥିବା ଭକ୍ତକବି ମଧୁସୂଦନ ରାଓଙ୍କ ରଚିତ “ବର୍ଣ୍ଣବୋଧ” ନିମନ୍ତେ ଏହି ଦିନଟିକୁ ବର୍ଣ୍ଣବୋଧ ବଣ୍ଟନ-ବର୍ଣ୍ଣବୋଧ ଉତ୍ସବ ଭାବେ ପାଳନ କରାଯିବ।
ଏପ୍ରିଲ ୮:- ରେଡ଼କ୍ରସ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏବଂ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏହି ଦିନଟିକୁ ରକ୍ତଦାନ ଅଭିଯାନ ଭାବରେ ପାଳନ କରାଯିବ।
ଏପ୍ରିଲ ୯:- ଓଡ଼ିଆ ସାହିତ୍ୟ ଓ ପୁସ୍ତକ ପଠନକୁ ପ୍ରୋତ୍ସାହନ ଦେବା ପାଇଁ ଏହି ଦିନଟିକୁ “ଆସ ବହିଟିଏ କିଣିବା” ଅଭିଯାନ ଭାବରେ ପାଳନ କରାଯିବ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଉଚ୍ଚଶିକ୍ଷା ବିଭାଗର ମିଳିତ ଆନୁକୂଲ୍ୟରେ ଏହା ଅନୁଷ୍ଠିତ ହେବ।
ଏପ୍ରିଲ ୧୦:- ଓଡ଼ିଶାର ଲୋକକଳାକୁ ବିଶ୍ୱ ବିଦିତ କରିବା ପାଇଁ “ଲୋକକଳା ପାଇଁ ଦିନ ଟିଏ -ବରିଷ୍ଠ କଳାକାରଙ୍କୁ ସମ୍ବର୍ଦ୍ଧନା ଓ କଳାଗ୍ରାମ ପରିଦର୍ଶନ ଉତ୍ସବର ପାଳନ କରାଯିବ। ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ଏବଂ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଆନୁକୂଲ୍ୟରେ ଏହା ଅନୁଷ୍ଠିତ ହେବ।
ଏପ୍ରିଲ ୧୧:- ଓଡ଼ିଶା ସାହିତ୍ୟ ଏକାଡେମୀ, ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଏହି ଦିନରେ ଯୁବ ଲେଖକ ସମ୍ମିଳନୀର ଆୟୋଜନ କରାଯିବ।
ଏପ୍ରିଲ ୧୨ :-ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଯୁବ ଲେଖକ ସମ୍ମିଳନୀ ।
ଏପ୍ରିଲ ୧୩:- ଖାଦ୍ୟ ପରମ୍ପରା ହେଉଛି ଆମ ଓଡ଼ିଆ ସଂସ୍କୃତିର ଅବିଚ୍ଛେଦ୍ୟ ଅଂଶ। ଏହି ଖାଦ୍ୟ ପରମ୍ପରାକୁ ପାଳନ କରିବା ପାଇଁ “ପାରମ୍ପାରିକ ଖାଦ୍ୟ ପାଳନ ଅଭିଯାନ- ଆମ ରୁଚି ଆମ ଖାଦ୍ୟ” ଉତ୍ସବ ପାଳନ କରାଯିବ।
ଏପ୍ରିଲ ୧୪ :- ଓଡ଼ିଆ ନବବର୍ଷକୁ ମହା ଆଡ଼ମ୍ବର ସହକାରେ ପାଳନ କରାଯିବ।