କଟକ: କମିସନରେଟ୍ ପୁଲିସ ଅଧୀନ ବାଦାମବାଡ଼ି ଥାନା ଅନ୍ତର୍ଗତ ଦୋଳମୁଣ୍ଡାଇସ୍ଥିତ ଏକ ବ୍ୟାଗ୍ ସୋ’ ରୁମ୍ରେ ଆଜି ପୂର୍ବାହ୍ଣରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ସମ୍ପୂର୍ଣ୍ଣ ସୋ’ ରୁମ୍ଟି ଜଳିଯାଇ ବଡ଼ଧରଣର କ୍ଷତି ହୋଇଛି।
ସୂଚନା ଅନୁଯାୟୀ ଆଜି ପୂର୍ବାହ୍ଣରେ ସକାଳେ ସ୍ଥାନୀୟ ଲୋକମାନେ ପ୍ରଥମେ ଏକ କୋଠାର ଉପର ମହଲାରେ ଥିବା ଦୋକାନରୁ ଧୂଆଁ ବାହାରୁଥିବାର ଦେଖିଥିଲେ। ସେମାନେ ଏନେଇ ଅଗ୍ନିଶମ ବାହିନୀକୁ ସୂଚନା ଦେଇଥିଲେ। ଲୋକମାନଙ୍କ ଠାରୁ ଖବର ମିଳିଲା ପରେ ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା ପାଇଁ ପ୍ରୟାସ କରିଥିଲେ। ଦୀର୍ଘ ୨ଘଣ୍ଟା ପରେ ନିଆଁ ଆୟତ୍ତ ହୋଇଥିବା ସୂଚନା ରହିଛି।
ତେବେ ସୋ' ରୁମ୍ ମାଲିକଙ୍କ କହିବା ଅନୁଯାୟୀ ସକାଳ ୧୦ଟା ସମୟରେ ସେ ଦୋକାନ ଖୋଲିଥିଲେ। ଦୋକାନର ଏସି ଅନ୍ କରିଥିଲେ। ଏହି ସମୟରେ ଏସି ହଠାତ୍ ବିସ୍ଫୋରଣ ଘଟିଥିଲା। ଯାହା ଫଳରେ ଦୁଇ ମହଲା କୋଠା ବିଶିଷ୍ଠ ଏହି ସୋ’ ରୁମରେ ଅଗ୍ନି ଚାରିଆଡ଼େ ବ୍ୟାପିଥିଲା। ଏହି ଅଗ୍ନିକାଣ୍ଡ ଫଳରେ ସ୍ଥାନୀୟ ଅଞ୍ଚଳ ସମ୍ପୂର୍ଣ୍ଣ ଧୂଆଁମୟ ହୋଇଯାଇଥିଲା। ଏହି ଘଟଣା ଘଟିବା ପରେ ସ୍ଥାନୀୟ ଅଞ୍ଚଳରେ ଥିବା ସମସ୍ତ ଦୋକାନକୁ ବନ୍ଦ କରଯାଇଛି। ସୋ’ ରୁମରେ ଫାୟାର ସେଫ୍ଟି ଥିବା ସହ ୮୦ ଲକ୍ଷ ଟଙ୍କାର ସାମଗ୍ରୀ ପୋଡି ଯାଇଛି।
ତେବେ ନିଆଁ ଲାଗିବା ସମୟରେ କୌଣସି କର୍ମଚାରୀ ସୋ’ ରୁମ ରେ ନଥିବାରୁ କେହି ମୃତାହତ ହୋଇନାହାନ୍ତି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ କରୁଛି।
ଅଧିକ ପଢନ୍ତୁ :- ଆଜିଠୁ ପାଳନ ହେବ ‘ଓଡ଼ିଆ ପକ୍ଷ’; ଜାଣନ୍ତୁ କେଉଁଦିନ ପାଳନ ହେବ କେଉଁ ଦିବସ