ଭଦ୍ରକ: ସତରେ ମୃତ୍ୟୁ କାହାକୁ କେତେବେଳେ ଆସି ଡାକି ନେବ ତାହା କେହି ଜାଣି ନାହାଁନ୍ତି । ସମସ୍ତଙ୍କୁ ପ୍ରଭୁ ଶ୍ରୀରାମ ମହିମା ଶୁଣାଉ ଶୁଣାଉ ସେହି ଷ୍ଟେଜ ଉପରେ ଟଳିପଡ଼ିଲେ ପ୍ରବଚକ । ସେ ହେଲେ ଅଧ୍ୟାପକ ତଥା ରାମଚରିତ ମାନସ ପ୍ରବଚକ ଗୋପାଳ ପ୍ରସାଦ ବେଜ । ସେ ହେଉଛି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଆଢୁଆଁ ଧାତାପୁରର ଜଣେ ବିଶିଷ୍ଠ ପ୍ରବଚକ ।
ଭଦ୍ରକ ଜିଲ୍ଲା ସାହାଡ଼ା ପଞ୍ଚାୟତରେ ଥିବା ରାମ ମନ୍ଦିରରେ ତିନି ଦିନ ବ୍ୟାପୀ ଶ୍ରୀରାମ ଚରିତ ମାନସର ନବାହ୍ନ ପାରାୟଣ ଓ ପ୍ରବଚନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏଥିପାଇଁ ପ୍ରବଚନ ଦେବାକୁ ବାସୁଦେବପୁର ବ୍ଲକ ଆଢୁଆଁ ଧାତାପୁରର ପ୍ରବଚକ ଗୋପାଳ ପ୍ରସାଦ ବେଜଙ୍କୁ ନିମନ୍ତ୍ରଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମର ଦ୍ଵିତୀୟ ଦିବସରେ ଗୋପାଳ ପ୍ରସାଦ ପ୍ରବଚନ ଦେଉଥିବାବେଳେ ଷ୍ଟେଜ୍ ଉପରେ ସେ ଅସୁସ୍ଥ ଅନୁଭବ କରିଥିଲେ । ସେଠାରେ ଉପସ୍ଥିତ ଥିବା ତାଙ୍କର ସହଯୋଗୀ ତାଙ୍କୁ ତୁରନ୍ତ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ମାତ୍ର ସେଠାର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଗୋପାଳ ପ୍ରସାଦଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।