ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରରେ ଦଣ୍ଡନାଚ ଯାତ୍ରା ଚାଲୁଥିବାବେଳେ ଏକ ଜଘନ୍ୟ ଅପରାଧ ଘଟିଛି । ଜଣେ ଯୁବକଙ୍କୁ ନିର୍ମମଭାବରେ ହତ୍ୟା କରାଯାଇଛି । ବଡ଼ ବଜାର ଥାନା ଜେନା ସାହିରେ ଚାଲିଥିବା ବେଲଗାଁ ଦଣ୍ଡନାଚ ଯାତ୍ରାରେ ଏହି ହତ୍ୟାକାଣ୍ଡ ଘଟିଛି । ମୃତକ ଜଣକ ହେଲେ ବେଲଗାଁ ଅଞ୍ଚଳର ଜଗଦୀଶ ପାଣିଗ୍ରାହୀ । ଦୁଇ ଜଣ ବାପ ପୁଅ ମିଶି ତାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ସେମାନେ ହେଲେ ତ୍ରିନାଥ ପାଣିଗ୍ରାହୀ ଓ ତାଙ୍କ ପୁଅଙ୍କ ପ୍ରଦୀପ ପାଣିଗ୍ରାହୀ ।
ଜଗଦୀଶ ପାଣିଗ୍ରାହୀ ପୂର୍ବରୁ ଦଣ୍ଡନାଚ ଯାତ୍ରା କମିଟିରେ କାମ କରୁଥିଲେ । ଗତକାଲି ବଡ଼ ବଜାର ଥାନା ଜେନା ସାହିରେ ଦଣ୍ଡନାଚ ଚାଲିଥିବାବେଳେ ଯାତ୍ରା ଅଧିକାରୀ ତ୍ରିନାଥ ପାଣିଗ୍ରାହୀ ଓ ତାଙ୍କ ପୁଅଙ୍କ ପ୍ରଦୀପ ପାଣିଗ୍ରାହୀଙ୍କ ସହ ଜଗଦୀଶଙ୍କ ବଚସା ହୋଇଥିଲା । ପରେ ବଚସା ଏତେ ଉଗ୍ରରୂପ ଧାରଣ କରିଥିଲା ଯେ ବାପା ଓ ପୁଅ ଜଗଦୀଶଙ୍କୁ ଛୁରୀରେ ଆକ୍ରମଣ କରିଥିଲେ । ଛୁରାମାଡ଼ରେ ଜଗଦୀଶଙ୍କ ବେକରୁ ପ୍ରବଳ ମାତ୍ରାରେ ରକ୍ତସ୍ରାବ ହୋଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ବ୍ରହ୍ମପୁର ଏମକେସିଜି ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା ।
ଏ ନେଇ ବଡ଼ ବଜାର ଥାନା ପୋଲିସକୁ ଖବର ଦିଆଯାଇଥିଲା । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି । ପୋଲିସ ବାପା ଓ ପୁଅଙ୍କୁ ଅଟକ ରଖିଛି । କେଉଁ କାରଣ ପାଇଁ ଏହି ହତ୍ୟାକାଣ୍ଡ ଘଟିଛି ତାହା ସ୍ପଷ୍ଟ ହୋଇ ନ ଥିବାବେଳେ ସବିଶେଷ ତଦନ୍ତ ପରେ ଏହା ସ୍ପଷ୍ଟ ହେବ ବୋଲି ପୋଲିସ କହିଛି ।