ଭୁବନେଶ୍ୱର: ଭରତପୁର ଥାନା ବନଦୁର୍ଗା ବସ୍ତିରେ ପୈତୃକ ସମ୍ପତ୍ତି ପାଇଁ ସାନ ଭାଇକୁ ବଡ଼ ଭାଇ ସଂଘବଦ୍ଧଭାବେ ମରଣାନ୍ତକ ଆକ୍ରମଣ ଓ ପୋଲିସକୁ ଆକ୍ରମଣ ଘଟଣାରେ କମିଶନରେଟ୍ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଏହି ମାମଲାରେ ପୋଲିସ ମୁଖ୍ୟ ଅଭିଯୁକ୍ତ ସମେତ ୬ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ବଡ଼ ଭାଇ ସୂର୍ଯ୍ୟ ମହାରଣା, ତାଙ୍କ ପତ୍ନୀ ଆରତୀ ମହାରଣା, ଦୁଇ ପୁଅ ମନୋଜ ମହାରଣା ଓ ଅକ୍ଷୟ ମହାରଣା, ବୋହୂ ରଶ୍ମିତା ନାୟକ ଏବଂ ଶାଳକ ରାକେଶ ନାୟକ । ଏ ନେଇ ଭୁବନେଶ୍ୱର ଡିସିପି ଜଗମୋହନ ମୀନା ସୂଚନା ଦେଇଛନ୍ତି ।
ଡିସିପିଙ୍କ ସୂଚନା ମୁତାବକ, ପୈତୃକ ସମ୍ପତ୍ତିକୁ ନେଇ ବଡ଼ ଭାଇ ସୂର୍ଯ୍ୟ ମହାରଣା ଏବଂ ସାନ ଭାଇ ଅଶୋକ ମହାରଣାଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା । ଏହାକୁ ନେଇ ଗତ ୨୬ ତାରିଖରେ ୨ଟି ମାମଲା ହୋଇଥିଲା । ଏହା ପରେ ଏକାଧିକବାର ବୈଠକ ମଧ୍ୟ ବସିଥିଲା । ତେବେ ଗତକାଲି ରାତିରେ ସୂର୍ଯ୍ୟ ମହାରଣା ନିଜ ପରିବାର ଲୋକଙ୍କ ସହିତ ମିଶି ଅଶୋକଙ୍କୁ ଆକ୍ରମଣ କରିଥିଲେ । ଫଳରେ ତାଙ୍କ ହାତରେ ଏକ ଗଭୀର କ୍ଷତ ସୃଷ୍ଟି ହୋଇଥିଲା ।
ଏ ନେଇ ସ୍ଥାନୀୟ ଲୋକ ପୋଲିସକୁ ଖବର ଦେଇଥିଲେ । କିନ୍ତୁ ଆଉ କିଛି ଲୋକ ସୂର୍ଯ୍ୟଙ୍କୁ ଏକ ଘରେ ଲୁଚାଇ ରଖିଥିଲେ । ପୋଲିସ ତାଙ୍କୁ ଗିରଫ କରିବାକୁ ଯାଇଥିବାବେଳେ ପୋଲିସକୁ ଆକ୍ରମଣ କରିବା ସହିତ ଗାଡ଼ି ଭଙ୍ଗାରୁଜା ଥିଲେ । ଫଳରେ ଦୁଇ ପୋଲିସ କର୍ମୀ ମଧ୍ୟ ଆହତ ହୋଇଥିଲେ ।