କଟକ: କଟକ ନିର୍ଗୁଣ୍ଡି ରେଳ ଷ୍ଟେସନ ନିକଟରେ ବେଙ୍ଗାଲୁରୁ-କାମାକ୍ଷା ଟ୍ରେନ ଦୁର୍ଘଟଣା ପରେ ଟ୍ରାକ୍ ମରାମତି କରାଯାଇଛି । ଟ୍ରାକ୍ ମରାମତି କାର୍ଯ୍ୟ ସମାପ୍ତ ହେବା ପରେ ରେଳ ଚଳାଚଳ ସୋମବାର ସ୍ୱାଭାବିକ ହୋଇଛି । ଅନ୍ୟପକ୍ଷରେ ଦୁର୍ଘଟଣା କାରଣ ଜାଣିବା ପାଇଁ ରେଲୱେ ସେଫଟି କମିଶନର ସରଜମିନ ତଦନ୍ତ ଆରମ୍ଭ କରିଛନ୍ତି ।
ନିର୍ଗୁଣ୍ଡି ରେଳ ଷ୍ଟେସନ ନିକଟରେ ବେଙ୍ଗାଲୁରୁ-କାମାକ୍ଷା ଏକ୍ସପ୍ରେସ୍ ଦୁର୍ଘଟଣାଗସ୍ତ ହେବା ପରେ ଟ୍ରାକ୍ କ୍ଷତିଗ୍ରସ୍ତ ହୋଇଥିଲା । ଉଦ୍ଧାର କାର୍ଯ୍ୟ ଶେଷ ହେବା ପରେ ଯୁଦ୍ଧକାଳୀନ ଭିତ୍ତିରେ ଟ୍ରାକ୍ ମରାମତି କରାଯାଇଥିଲା । ରାତି ତମାମ ଟ୍ରାକ୍ ମରାମତି କରାଯିବାପରେ ଆଜି ସକାଳ ୭ଟା ୧୫ ବେଳକୁ ଶେଷ ହୋଇଥିଲା । ଏହା ପରେ ୯ଟା ୩୦ବେଳେ ପ୍ରଥମ ଡାଉନ ଟ୍ରେନ୍ ଗଡ଼ିଥିଲା । ସଫଳତାର ସହିତ ନିର୍ଗୁଣ୍ଡି ଷ୍ଟେସନ ଦେଇ ଡାଉନ ଟ୍ରେନ୍ ଚାଲିବା ପରେ ମାଲବାହୀ ଟ୍ରେନ୍ ଚଳାଚଳ ଆରମ୍ଭ ହୋଇଛି । ଅନ୍ୟପକ୍ଷରେ ଗତକାଲିଠାରୁ ରେଲୱେ ସେଫଟି କମିଶନର ବ୍ରିଜେଶ ମିଶ୍ର ଦୁର୍ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛନ୍ତି । କେଉଁ କାରଣ ପାଇଁ ଦୁର୍ଘଟଣା ହେଲା ସେ ନେଇ ଯାଞ୍ଚ କରିଛନ୍ତି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଗତକାଲି ପୂର୍ବାହ୍ନ ୧୧ଟା ୫୦ରେ କାମାକ୍ଷା ଏକ୍ସପ୍ରେସ୍ ର ୧୧ଟି ବଗି ଲାଇନଚ୍ୟୁତ ହୋଇଥିଲା। କଟକ ବିରୂପା ସେତୁ ଅତିକ୍ରମ କରିବା ପରେ ଟ୍ରେନ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା । ଫଳରେ ଜଣେ ଯାତ୍ରୀ ପ୍ରାଣ ହରାଇଥିବାବେଳେ ୧୬ ଜଣ ଆହତ ହୋଇଥିଲେ । ମୃତକ ହେଲେ ପଶ୍ଚିମବଙ୍ଗର ଶୁଭଙ୍କର ରାୟ(୨୩) । ୧୬ ଜଣ ଆହତଙ୍କୁ କଟକ ବଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ ୧୪ ଜଣଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡ଼ି ଦିଆଯାଇଛି। ଅନ୍ୟ ଦୁଇ ଜଣ ନ୍ୟୁରୋ ଓ ପେଡିଆଟ୍ରିକ୍ ବିଭାଗରେ ଚିକିତ୍ସାଧୀନ ଅଛନ୍ତି । ଏହା ପରେ ଉକ୍ତ ଟ୍ରାକରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା ।