ପୁରୀ: ଆଜି ସପ୍ତପୁରୀ ଅମାବାସ୍ୟା। ଭାଦ୍ରବ ମାସର ଅମାବାସ୍ୟାକୁ ସପ୍ତପୁରୀ ଅମାବାସ୍ୟା ବା କୁଶଗ୍ରହଣୀ ଅମାବାସ୍ୟା । ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଠାରେ ସପ୍ତପୁରୀ ଭୋଗ ଲାଗିଥାଏ। ଏହି ନୀତି ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଶ୍ରୀଜୀଉଙ୍କର ଏହିଦିନ ବିଶେଷ ପୂଜାନୀତି ଅନୁଷ୍ଠିତ ହେବା ସହ ସେବାୟତଙ୍କଦ୍ୱାରା ଏକ ବଡ଼ ସପ୍ତପୁରୀ (ସାତପୁରୀ) ପ୍ରସ୍ତୁତ କରାଯାଇ ଠାକୁରଙ୍କଠାରେ ଭୋଗଲାଗି ହୋଇଥାଏ । ଏହାକୁ ସପ୍ତପୁରୀ ତାଡ଼ ମଧ୍ୟ କୁହାଯାଇଥାଏ ।ଅଠର ନଳା ନିକଟରେ ଅବସ୍ଥିତ ଅଲାମଚଣ୍ଡୀ ମନ୍ଦିରରୁ ସପ୍ତପୁରୀ ଅମାବାସ୍ୟାରେ ସପ୍ତପୁରୀ ଭୋଗ ପାଇଁ ଆବଶ୍ୟକ ତାଡ଼ ଶ୍ରୀମନ୍ଦିରକୁ ଯାଇଥାଏ । କୁମ୍ଭକାର ସେବକ ମାନେ ମୁହଁରେ ବାଘତୁଣ୍ଡି ଭିଡି ତାଡ଼ ଗୁଡିକୁ ନେଇ ଶ୍ରୀମନ୍ଦିରକୁ ଆସନ୍ତି । ବେଢ଼ା ଏକ ଥର ବୁଲାଯିବା ପରେ ତାଡ଼ ରୋଷ ବେହରଣଠାରେ ରଖାଯାଏ ।
ହିନ୍ଦୁଧର୍ମର ପରମ୍ପରାରେ ଅନେକ ପ୍ରକାର ପୂଜାକାର୍ଯ୍ୟରେ କୁଶ (ଏକ ବିଶେଷ ପ୍ରକାରର ଘାସ, ଯାହାର ଉପଯୋଗ କେବଳ ଧାର୍ମିକ କାର୍ଯ୍ୟରେ କରାଯାଇଥାଏ) କରାଯାଇଥାଏ । ପ୍ରତ୍ୟେକ ଗୃହସ୍ଥ ଏହି ଅମାବାସ୍ୟା ଦିନ କୁଶଗୁଡ଼ିକୁ ସଂଗ୍ରହ କରିଥାନ୍ତି । ସୂର୍ଯ୍ୟ ଉଦୟ ସମୟରେ ଉତ୍ତର କିମ୍ବା ପୂର୍ବାଭିମୁଖି ହୋଇ କୁଶ ହାତରୁ ବାହାର କରାଯାଇଥାଏ । ବର୍ଷତମାମ କରାଯାଇଥିବା ପୂଜା ଏବଂ ଧାର୍ମିକ କାର୍ଯ୍ୟରେ ଉପଯୋଗ ହୋଇଥିବା ଶାସ୍ତ୍ରରେ ଦଶ ପ୍ରକାରର କୁଶ ବିଷୟରେ ବର୍ଣ୍ଣନା କରାଯାଇଛି । ସେଥିପାଇଁ ପିତୃଦେବଙ୍କ ତୃପ୍ତି ନିମନ୍ତେ ଏହି ଦିନ ତର୍ପଣ, ଦାନପୂଣ୍ୟ ଆଦି କରାଯାଏ । ଏହାକୁ ଦୃଷ୍ଟିରେ ରଖି କୁଶାଗ୍ରହଣୀ ଅମାବାସ୍ୟା ଦିନ ତୀର୍ଥ, ସ୍ନାନ, ଜପ, ତପ ଏବଂ ବ୍ରତ କରିବାଦ୍ୱାରା ପାପ ଦୂର ହୋଇ ପୂଣ୍ୟ ବଳରେ ଋଣ ଆଦି ପୀଡ଼ାରୁ ମୁକ୍ତି ପ୍ରାପ୍ତ ହୁଏ । ସଂଯମ, ସାଧନା ଏବଂ ତପ ନିମନ୍ତେ ଏହା ଶ୍ରେଷ୍ଠ ଦିନ ବୋଲି ବିଶ୍ୱାସ କରାଯାଏ । ଏହି ବ୍ରତ ବର୍ଷକୁ ଥରେ ଏହିଦିନ କରାଯାଇଥାଏ । ଯଦ୍ୱାରା ମାନସିକ ଶାନ୍ତି ପ୍ରାପ୍ତ ହୁଏ ।
ଅଧିକ ପଢନ୍ତୁ:ଆଜି ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି; କୃଷ୍ଣ-ବଳରାମ ବେଶରେ ଦର୍ଶନ ଦେବେ ଶ୍ରୀଜିଉ