ପୁରୀ : ମହାରଣା ସେବକଙ୍କ ନିହାଣ ମୁନରେ କମ୍ପୁଛି ଶ୍ରୀମନ୍ଦିର ରଥ ଖଳା । ଜୋରସୋରରେ ଆଗେଇ ଚାଲିଛି ତିନି ରଥ ନିର୍ମାଣ କାର୍ଯ୍ୟ । ଆଜି ଭଉଁରୀ ତିଥିରେ ହେବ ଚକ ଡେରା ନୀତି ।
ତିନି ରଥର ମୋଟ ୧୮ଟି ଚକ ନିର୍ମାଣ ଶେଷ ହୋଇଯାଇଛି। ତୁମ୍ବ ବିନ୍ଧ କାରିଗରଙ୍କ ଦ୍ୱାରା ଅଖ ବିନ୍ଧ କରାଯାଇଛି। ତିନି ରଥର ମହାରଣା ସେବକମାନେ ସିଙ୍ଗଡ଼ାରେ ପଇ ରଖି ମାପ ଚିହ୍ନ ପ୍ରକାରେ ବଳକା ଅର କଟିଂ ତଥା ସାଲ କାର୍ଯ୍ୟ ଶେଷ କରିଛନ୍ତି।
ତେବେ ରଥ ଖଳାରେ ଜାଗା କମ୍ ଯୋଗୁ ଅଧିକ ଚକ ନିର୍ମାଣ କରି ରଖିବା ସମ୍ଭବ ହେଉନାହିଁ। ପରମ୍ପରା ପ୍ରକାରେ ଭଉଁରି ତିଥିରେ ଚକ-ଅଖ ଡେରା ନୀତି ପରେ ନିର୍ମାଣ ସରିଥିବା ଚକଗୁଡ଼ିକୁ ଆସନ୍ତାକାଲି ବିଧି ମତେ ବାହାରକୁ ନିର୍ଦ୍ଦିଷ୍ଟ ସ୍ଥାନକୁ ଅଣାଯିବ।
ଅନ୍ୟପଟେ ରୂପକାର ସେବକମାନେ ତିନି ରଥର ୧୧ଟି ଲେଖାଏଁ ସାଲ ଗୁଜରେ ନୃସିଂହ ରୂପ ଖୋଦେଇ ଜାରି ରଖିବା ସହ ଶେଷ ହୋଇଥିବା ରୂପଗୁଡ଼ିକର ପଲିସ୍ କାର୍ଯ୍ୟ ଜାରି ରଖିଛନ୍ତି। ଦୋଳବେଦି ଅସ୍ଥାୟୀ କମାରଶାଳରେ ଓଝା ସେବକମାନେ ତିନି ରଥର ଆବଶ୍ୟକ ପନ୍ଦାରି, ତୁମ୍ବ ବଳା, ଦଶ ଏଗାରଟି ଚକ ପାଇଁ ଆବଶ୍ୟକ ଅର କଣ୍ଟା ନିର୍ମାଣ ଶେଷ କରିଛନ୍ତି। ଆଜି ଚକା ଅଖ ଡେରା ନୀତି ପାଇଁ ଅନୁକୂଳ ପନ୍ଦାରି ଚାବି ନିର୍ମାଣ ମଧ୍ୟ ଶେଷ କରିଛନ୍ତି।