ନୂଆଦିଲ୍ଲୀ: ଆନ୍ଧ୍ର ପ୍ରଦେଶ ନିର୍ମାଣ କରୁଥିବା ପୋଲାଭରମ ପ୍ରକଳ୍ପକୁ ନେଇ ବଡ଼ ବୈଠକ କରିବାକୁ ଯାଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆସନ୍ତା ୨୮ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତରେ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ବୈଠକରେ ପ୍ରକଳ୍ପ ସହିତ ଜଡ଼ିତ ଥିବା ଓଡ଼ିଶା, ଛତିଶଗଡ଼, ଆନ୍ଧ୍ର ଏବଂ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ସାମିଲ ହେବେ ।
ପୋଲାଭରମକୁ ନେଇ ପ୍ରଧାନମନ୍ତ୍ରୀ ଏବଂ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ସହିତ ଏହା ପ୍ରଥମ ବୈଠକ ହେବାକୁ ଯାଉଛି । ପ୍ରଥମଥର ପାଇଁ ପ୍ରଧାନମନ୍ତ୍ରୀ ସିଧାସଳକ ହସ୍ତକ୍ଷେପ କରିବାକୁ ଯାଉଛନ୍ତି । ମେ ୨୮ ତାରିଖରେ ୪ ରାଜ୍ୟ ମୁଖ୍ୟମନ୍ତ୍ରୀ, ଜଳ ସମ୍ପଦ ବିଭାଗର ଅଧିକାରୀ, ବିଭାଗୀୟ ମନ୍ତ୍ରୀଙ୍କୁ ନେଇ ବୈଠକ ଅନୁଷ୍ଠିତ ହେବାର ରହିଛି । ଏହ ସହିତ ବୈଠକରେ କେନ୍ଦ୍ର ଜଳ ଶକ୍ତି, କେନ୍ଦ୍ର ଜଳ ଆୟୋଗ ଏବଂ ପୋଲାଭରମ ପ୍ରକଳ୍ପ ଅଧିକାରୀମାନ ଉପସ୍ଥିତ ରହିବେ । ଭିଡ଼ିଓ କନଫରେନ୍ସିଂ ଜରିଆରେ ପ୍ରଧାନମନ୍ତ୍ରୀ ବୈଠକ କରିବେ ।
ପୋଲାଭରମ ପ୍ରକଳ୍ପ ଆନ୍ଧ୍ର ପ୍ରଦେଶ ତାର ଜୀବନ ରେଖା ବୋଲି କହୁଛି । ଏହା ପୂର୍ବରୁ ଅନେକ ଉଚ୍ଚ ସ୍ତରୀୟ ବୈଠକ ହେବା ସହିତ ପିଟିସନ୍ ମଧ୍ୟ ଦାଖଲ କରାଯାଇଛି । ଓଡ଼ିଶା, ଛତିଶଗଡ଼ ଏବଂ ତେଲେଙ୍ଗାନା ମାନ୍ୟବର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇ ସାରିଛନ୍ତି । କିନ୍ତୁ କୌଣସି ଗୋଟିଏରୁ ବି ନିଷ୍କର୍ଷ ବାହାରିପାରି ନାହିଁ । ପୋଲଭରମକୁ କେନ୍ଦ୍ର ସରକାର ଜାତୀୟ ପ୍ରକଳ୍ପ ବୋଲି ଘୋଷଣା କରିଛନ୍ତି । ଗୋଟିଏ ପଟେ ଆନ୍ଧ୍ର ପ୍ରଦେଶରେ ବର୍ତ୍ତମାନ ଏନଡିଏ ସମର୍ଥିତ ସରକାର ରହିଛି । ଅନ୍ୟପକ୍ଷେ ପ୍ରଥମଥର ପାଇଁ ପ୍ରଧାନମନ୍ତ୍ରୀ ସିଧାସଳକ ହସ୍ତକ୍ଷେପ କରିବାକୁ ଯାଉଛନ୍ତି । ତେଣୁ ଏଥର ସମାଧାନ ବାଟ ଫିଟିବ ବୋଲି ଆଶା କରାଯାଉଛି ।