ଭୁବନେଶ୍ୱର : ଆସନ୍ତା ୪ ଦିନ ଯାଏଁ ରାଜ୍ଯର ବିଭିନ୍ନ ଜିଲ୍ଲାକୁ କାଳବୈଶାଖୀ ସତର୍କତା । ଆଜିଠାରୁ ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ।
ପାଣିପାଗ ସୂଚନା ଅନୁସାରେ ରାଜ୍ୟରେ ଭୀଷଣ ଗୁଳୁଗୁଳି ଅନୁଭବ ହେବ। ଆଗକୁ ତାତି କମିବ ହେଲେ ଗୁଳୁଗୁଳି ଅସ୍ତବ୍ୟସ୍ତ କରିବ ।
ରବିବାର ଉପକୂଳ ଓଡ଼ିଶାରେ ପ୍ରବଳ ଗୁଳୁଗୁଳି ଅନୁଭୂତ ହୋଇଥିଲା । ସକାଳ ସାଢ଼େ ୮ଟା ସୁଦ୍ଧା ଭୁବନେଶ୍ୱରରେ ତାପମାତ୍ରା ୩୨.୬ଡିଗ୍ରୀ ରହିଥିଲା । କିନ୍ତୁ ଆର୍ଦ୍ରତା ୬୯% ଛୁଇଁ ଯାଇଥିଲା ।ପୂରା ଉପକୂଳ ଓଡ଼ିଶାରେ ଏଭଳି ଅସ୍ୱାଭାବିକ ଗୁଳୁଗୁଳି ସ୍ଥିତି ରହିଥିଲା । ସକାଳୁ ବାଲେଶ୍ୱରରେ ୮୮%, ଅନୁଗୁଳରେ ୭୪%, ତାଳଚେରରେ ୮୦% ଆର୍ଦ୍ରତା ରହିଥିଲା ।
ସୋମବାର ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା ଓ ଗଜପତିରେ କାଳବୈଶାଖୀ ପ୍ରଭାବରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ଏଥି ସହ ୪୦ରୁ ୫୦ କିମି ବେଗରେ ପବନ ଝଟ୍କା ବି ହୋଇପାରେ ।
ସେହିପରି ମଙ୍ଗଳବାର ୨୦ ତାରିଖରେ ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ଗଜପତି ଓ ଗଞ୍ଜାମରେ ବର୍ଷା ଓ ଘଡ଼ଘଡ଼ି ସହିତ ୩୦ରୁ ୪୦ କିମି ବେଗରେ ପବନ ବହିପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ତେବେ ୨୧, ୨୨, ୨୩ ଓ ୨୪ ତାରିଖରେ ମଧ୍ୟ ଦକ୍ଷିଣ ଓଡ଼ିଶା, ଉତ୍ତର ଓଡ଼ିଶା ଓ ଅନ୍ୟ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି।