ନୂଆଦିଲ୍ଲୀ: ଅପରେସନ ସିନ୍ଦୂରରେ ଭାରତୀୟ ସେନା ପାକିସ୍ତାନକୁ ଚିତ୍ କରିବା ପରେ ବି ଏହି ପଡୋଶୀ ଦେଶର ମୁହଁଟାଣ ଯାଇନି । ଏହା ମଧ୍ୟରେ ଏକ ଚାଞ୍ଚଲ୍ୟକର ରିପୋର୍ଟ ସାମ୍ନାକୁ ଆସିଛି, ଯେଉଁଥିରେ କୁହାଯାଇଛି ଯେ, ଲଢେଇ ସମୟରେ ଚୀନ ପାକିସ୍ତାନ ପାଇଁ ଭାରତର ଗୁଇନ୍ଦାଗିରି କରିଥିଲା । ଏପରିକି ସାଟେଲାଇଟ୍ ତଥ୍ୟ ବି ଚୀନ ପାକିସ୍ତାନକୁ ଦେଇଥିଲା । ପ୍ରତିରକ୍ଷା ମନ୍ତ୍ରଣାଳୟ ସମ୍ବନ୍ଧିତ ଥିଙ୍କ ଟ୍ୟାଙ୍କ ‘ସେଣ୍ଟର ଫର ଜଏଣ୍ଟ ୱାର ଫେୟାର ଷ୍ଟଡିଜ’ର ଏହି ରିପୋର୍ଟରେ ଦୁଇ ବଡ ଖୁଲାସା ହୋଇଛି । ଦୁଇ ଆଣବିକ ଶକ୍ତି ସଂପନ୍ନ ଦେଶ ମଧ୍ୟରେ ସଂଘର୍ଷ ଶାନ୍ତ ପଡିଥିବା ସମୟରେ ଏହି ରିପୋର୍ଟ ସାମ୍ନାକୁ ଆସିଛି । ଏଥିରେ ତୃତୀୟ ପକ୍ଷ ଅର୍ଥାତ ଚୀନର ଭୂମିକା ଉପରେ ଗମ୍ଭୀର ପ୍ରଶ୍ନ ଉଠିଛି ।
ଋିପୋର୍ଟର ଖୁଲାସାରୁ ଏହା ଜଣା ପଡିଛି ଯେ, ଚୀନ ପାକିସ୍ତାନକୁ ଜିତାଇବା ପାଇଁ ପୂରା ଶକ୍ତି ଲଗାଇ ଦେଇଥିଲା । ମାତ୍ର ଭାରତୀୟ ସେନାର ପରାକ୍ରମ ଆଗରେ ଦୁଇ ଦଳର ମିଳିତ ରଣନୀତି ଫସର ଫାଟିଥିଲା । ସେନା କେବଳ ଆତଙ୍କୀ କେନ୍ଦ୍ରକୁ ଧ୍ୱସ୍ତ କରି ନାହାନ୍ତି ବରଂ ସଠିକ୍ ହମଲାରେ ଅନେକ ବଡ ବଡ ଆତଙ୍କବାଦୀଙ୍କୁ ଚିର ନିଦ୍ରାରେ ଶୁଆଇ ଦେଇଛନ୍ତି ।
ପାକିସ୍ତାନକୁ କେମିତି ସାହାଯ୍ୟ କଲା ଚୀନ
ଋିପୋର୍ଟ ଅନୁସାରେ ଚୀନ ପାକିସ୍ତାନକୁ ଭାରତର ସୈନ୍ୟ ମୁତୟନର ନିରୀକ୍ଷଣ ପାଇଁ ନିଜର ଏୟାର ଡିଫେନ୍ସ ଓ ରାଡାର ସିଷ୍ଟମକୁ ନୂଆ ଢଙ୍ଗରେ ବ୍ୟବସ୍ଥିତ କରିବା ପାଇଁ ସାହାଯ୍ୟ କରିଥିଲା । ଏହା ବ୍ୟତୀତ ଏପ୍ରିଲ ୨୨ରେ ଜମ୍ମୁ-କାଶ୍ମୀରର ପହଲଗାମ ଆତଙ୍କୀ ହମଲା ଏବଂ ଏହା ପରେ ଆରମ୍ଭ ହୋଇଥିବା ସଂଘର୍ଷର ୧୫ ଦିନ ଭିତରେ ଚୀନ ପାକିସ୍ତାନର ଉପଗ୍ରହ ନିରୀକ୍ଷଣ ପ୍ରଣାଳୀକୁ ଭାରତ ଉପରେ ସଠିକ ଢଙ୍ଗରେ ଫୋକସ କରିବାରେ ବି ସାହାଯ୍ୟ କରିଥିଲା ।
ପାକିସ୍ତାନ ଦାବି କରିଛି ଯେ, ସେ କେବଳ ଚୀନରୁ ମିଳିଥିବା ଅସ୍ତ୍ରଶସ୍ତ୍ରର ଉପଯୋଗ କରିଥିଲା । କିନ୍ତୁ ରିପୋର୍ଟରେ ପାକିସ୍ତାନର ସବୁ ମିଛ ଧରା ପଡିଛି । ଏଥିରୁ ଜଣା ପଡିଛି ଯେ, କିଭଳି ଚୀନ ପାକିସ୍ତାନକୁ ରଣନୈଥିକ, ଗୁଇନ୍ଦା ଓ ଜ୍ଞାନକୌଶଳରେ ସହାୟତା କରିଛି ।
ବିଶ୍ଳେଷକଙ୍କ କହିବା କଥା ଚୀନ ଏହ ସଂଘର୍ଷକୁ ନିଜର ପ୍ରତିରକ୍ଷା ପ୍ରଣାଳୀର ଲାଇଭ ଫାୟର ଟେଷ୍ଟିଂ ଭାବେ ଦେଖିଥିଲା । ହେଲେ ଚୀନର ଅନେକ ସିଷ୍ଟମ ବିଫଳ ସାବ୍ୟସ୍ତ ହୋଇଥିବା ଜଣା ପଡିଛି । ରିପୋର୍ଟ ଅନୁସାରେ ଭାରତର ପ୍ରତିରକ୍ଷା ନେଟୱର୍କ ପାକିସ୍ତାନର ଡ୍ରୋନ ହମଲାକୁ ପ୍ରଭାବୀ ଢଙ୍ଗରେ ରୋକିବାରେ ସଂପୂର୍ଣ୍ଣ ସକ୍ଷମ ହୋଇଛି ।