ମୁମ୍ବାଇ: ମହାରାଷ୍ଟ୍ର ରତ୍ନଗିରି ଜିଲ୍ଲାର ଏକ ଭୟଙ୍କର ସଡ଼କ ଦୁର୍ଘଟଣା ହୋଇଛି । ଶବଦାହ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିବାବେଳେ ନିଜେ ଶବ ହୋଇଗଲେ । ସୋମବାର ସକାଳେ ରତ୍ନଗିରି ଜିଲ୍ଲା ଦେଇ ଯାଇଥିବା ମୁମ୍ବାଇ-ଗୋଆ ଜାତୀୟ ରାଜପଥ ଉପରୁ ଏକ କାର୍ ଭାରସାମ୍ୟ ହରାଇ ନଦୀକୁ ଖସିପଡ଼ିବାରୁ ୫ ଜଣଙ୍କର ମୃତ୍ୟୁ ହୋଇଛି । କାରରେ ଥିବା ଯାତ୍ରୀମାନେ ଏକ ଶବଦାହ କାର୍ଯ୍ୟରେ ଯୋଗଦେବାକୁ ମୁମ୍ବାଇରୁ ଦେବରୁଖ ଯାଉଥିବାବେଳେ ଏଭଳି ଏକ ମର୍ମୁନ୍ତଦ ସଡ଼କ ଦୁର୍ଘଟଣାର ଶୀକାର ହୋଇଥିବା ଜଣାପଡ଼ିଛି ।
ପ୍ରାଥମିକ ସୂଚନା ମୁତାବକ, ଦୁର୍ଘଟଣାର ସ୍ପଷ୍ଟ କାରଣ ଜଣା ପଡ଼ିନଥିବାବେଳେ ଭୋର ପ୍ରାୟ ୫ଟା ସମୟରେ କାରଟି ମୁମ୍ବାଇରୁ ଦେବରୁଖ ଯାଉଥିବାବେଳେ ହଠାତ୍ ନିୟନ୍ତ୍ରଣ ହରାଇଥିଲା । ଏହାପରେ ଜଗବୁଡ଼ି ନଦୀରେ ପ୍ରାୟ ୧୦୦ ଫୁଟ୍ ତଳକୁ ଖସିପଡ଼ିଥିଲା । ସ୍ଥାନୀୟ ଲୋକମାନେ ତୁରନ୍ତ ସେଠାରେ ପହଁଚି ପୋଲିସକୁ ସୂଚନା ଦେଇଥିଲେ । ପୋଲିସ କ୍ରେନ୍ ସାହାଯ୍ୟରେ କାରକୁ ନଦୀରୁ ବାହର କରିବା ପରେ ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ । ମାତ୍ର ସେମାନଙ୍କ ମଧ୍ୟରୁ ୫ ଜଣଙ୍କର ମୃତ୍ୟୁ ହୋଇଥିଲା । ଏହା ପରେ କାର ଚାଳକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ମେଡ଼ିକାଲରେ ଭର୍ତ୍ତି କରିଛନ୍ତି ।
ପୋଲିସ ମୃତ ଦେହ ଗୁଡ଼ିକୁ ଜବତ କରି ସେମାନଙ୍କ ପରିଚୟ ଖୋଜି ବାହାର କରିବାକୁ ଚେଷ୍ଟା କରୁଛି । ଏହା ସହିତ ଦୁର୍ଘଟଣା ସମ୍ପର୍କରେ ଯାଞ୍ଚ କରାଯାଉଛି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ନିକଟରେ ମହାରାଷ୍ଟ୍ର ସତାରା-ଲୋନାନ୍ଦରେ ଏକ ଟେମ୍ପୋକୁ ଟ୍ରକ୍ ଧକ୍କା ଦେବାରୁ ୩ ଜଣ ପ୍ରାଣ ହରାଇଥିବାବେଳେ ୮ ଜଣ ଆହତ ହୋଇଥିଲେ । ସେହିପରି ରାଇଗଡ଼ରେ ଟ୍ରକ୍ ବସକୁ ଧକ୍କା ଦେବାରୁ ୪ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୦ ଜଣ ଆହତ ହୋଇଥିଲେ ।