ନୂଆଦିଲ୍ଲୀ: ସାରା ଦେଶରେ ଏବେ ଗୋଟିଏ ନାଁ ଚର୍ଚ୍ଚାରେ “ହରିୟାଣା ୟୁଟ୍ୟୁବର୍ ଜ୍ୟୋତି ମଲହୋତ୍ରା” । ଜ୍ୟୋତିଙ୍କ ପାକିସ୍ତାନୀ ଲିଙ୍କ୍ ସାମ୍ନାକୁ ଆସିବା ପରେ ତାଙ୍କ ସହିତ ଯେଉଁମାନେ ଜଡ଼ିତ ଅଛନ୍ତି ସେମାନେ ମଧ୍ୟ ଏବେ ଅଡ଼ୁଆରେ ପଡ଼ିଛନ୍ତି । ଏବେ ‘ଯାତ୍ରୀ ଡକ୍ଟର’ ନାମରେ ଆଉ ଜଣେ ବ୍ଲଗର୍ ତଥା ୟୁଟ୍ୟୁବରଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି । ଯିଏ ଗୁଇନ୍ଦା ବିଭାଗ ଦ୍ୱାରା ଜେରା ସମ୍ମୁଖୀନ ହୋଇପାରନ୍ତି ବୋଲି ଅନୁମାନ କରାଯାଉଛି ।
ଜ୍ୟୋତି ମଲହୋତ୍ରାଙ୍କ ଗିରଫଦାରୀ ପରେ ଏବେ ଅନେକ ବ୍ଲଗରଙ୍କ ପାକିସ୍ତାନୀ ଲିଙ୍କ୍ ନେଇ ଖୋଳତାଡ଼ କରାଯାଉଛି । ଏବେ ଜଣେ ଯାତ୍ରୀ ଡକ୍ଟର ନାମକ ଯୁବକ ଚର୍ଚ୍ଚାକୁ ଆସିଛନ୍ତି । ତାଙ୍କ ବିରୋଧରେ ଆସିଥିବା ପାକିସ୍ତାନ ସହ ସମ୍ପର୍କ ଅଭିଯୋଗକୁ ସେ ଖଣ୍ଡନ କରିଛନ୍ତି । ଏହା ଏକ ଭିତ୍ତିହୀନ ଅଭିଯୋଗ ବୋଲି ସେ କହିଛନ୍ତି । ତେବେ କିଏ ଏହି ଯାତ୍ରୀ ଡକ୍ଟର ? ତାଙ୍କର ଜ୍ୟୋତି ମଲହୋତ୍ରାଙ୍କ ସହିତ ସମ୍ପର୍କ କ’ଣ ?
“ଯାତ୍ରୀ ଡକ୍ଟର”ଙ୍କ ଅସଲି ପରିଚୟ ହେଉଛି ନବଙ୍କୁର ଚୌଧୁରୀ । ୧୯୯୬ ମସିହା ମାର୍ଚ୍ଚ ୨ରେ ହରିୟାଣାର ରୋହତକରେ ତାଙ୍କର ଜନ୍ମ । ସେ ମାଡ୍ରାସ୍ ମେଡିକାଲ କଲେଜରୁ ୨୦୧୫ରେ ଏମବିବିଏସ୍ ପଢ଼ା ସାରିବା ପରେ କିଛି ଦିନ ଚାକିରି କରିଥିଲେ । ୨୦୧୭ରେ ସେ ଚାକିରି ଛାଡ଼ି ଭ୍ରମଣ କରି ବ୍ଲଗ୍ ତିଆରି କରୁଥିଲେ । ତାଙ୍କ ଚ୍ୟାନେଲ ନାଁ ହେଉଛି “ଯାତ୍ରୀ ଡକ୍ଟର” (ଣବଗ୍ଧକ୍ସସ ଊକ୍ଟମଗ୍ଧକ୍ଟକ୍ସ) । ଇନଷ୍ଟାଗ୍ରାମରେ ତାଙ୍କର ୬ ଲକ୍ଷ ୫୦ ହଜାର ଫଲୋର୍ସ ଥିବାବେଳେ ୟୁଟ୍ୟୁବ୍ ଚ୍ୟାନେଲ ମଧ୍ୟ ବେଶ ଲୋକପ୍ରିୟତା ହାସଲ କରିଛି । ସେ ବର୍ତ୍ତମାନ ସୁଦ୍ଧା ୧୪୪ଟି ଦେଶ ଭ୍ରମଣ କରି ସାରିଲେଣି । ସେ ଆଗକୁ ୧୯୭ଟି ଦେଶ ଭ୍ରମଣ କରିବେ ବୋଲି ଲକ୍ଷ୍ୟ ରଖିଛନ୍ତି ।
ତେବେ ନବଙ୍କୁର ଚୌଧୁରୀଙ୍କ ଆକାଉଣ୍ଟରେ ତାଙ୍କର ପୁରୁଣା ଭିଡ଼ିଓ ଏବଂ ପାକିସ୍ତାନୀ ଗୁପ୍ତଚର ଅଭିଯୋଗରେ ଗିରଫ ହୋଇଥିବା ଜ୍ୟୋତି ମଲହୋତ୍ରାଙ୍କ ସହିତ ଫଟୋ ଭାଇରାଲ ହେବା ପରେ ଚର୍ଚ୍ଚାକୁ ଆସିଛନ୍ତି । ପାକିସ୍ତାନ ହାଇକମିଶନଙ୍କ ସହିତ ତାଙ୍କର ଏକ ଫଟୋ ଭାଇରାଲ ହେଉଛି । ସେହିପରି ସେ ଭାରତୀୟ ବିଏସଏଫ୍ ଯବାନଙ୍କୁ ମଧ୍ୟ ସମାଲୋଚନା କରୁଥିବା ଦେଖାଯାଇଛି । ଭାରତର ଏକ ଭୁଲ ମାନଚିତ୍ର ଦେଖାଇବାକୁ ନେଇ ମଧ୍ୟ ତାଙ୍କୁ ସମାଲୋଚନା କରାଯାଉଛି ।
ନବଙ୍କୁର ଚୌଧୁରୀ ଏକ ଭିଡ଼ିଓରେ କହିଛନ୍ତି ଯେ ତାଙ୍କର ସମସ୍ତ ଦେଶ ବୁଲିବାର ଲକ୍ଷ୍ୟ ରହିଛି । ପାକିସ୍ତାନ ଯିବା ମଧ୍ୟ ସେପରି ଏକ କାର୍ଯ୍ୟକ୍ରମର ଅନ୍ତର୍ଭୁକ୍ତ । ସେ ମାତ୍ର ଥରେ ପାକିସ୍ତାନ ଭ୍ରମଣରେ ଯାଇଛନ୍ତି । ଏହା ସହିତ ସେ କହିଛନ୍ତି, ତାଙ୍କ ପରିବାର ଏକାଧିକ ସଦସ୍ୟ ସଶସ୍ତ୍ର ସେନାରେ କାର୍ଯ୍ୟ କରି ସାରିଛନ୍ତି । ସେ କୌଣସି ତଦନ୍ତ ପରିସର ଭୁକ୍ତ ହୋଇ ନାହାଁନ୍ତି । ଯଦି ଆବଶ୍ୟକ ପଡ଼େ ସେ ସମ୍ପୂର୍ଣ୍ଣ ସହଯୋଗ କରିବେ ବୋଲି କହିଛନ୍ତି ।
ଜ୍ୟୋତି ମଲହୋତ୍ରାଙ୍କ ସହିତ ତାଙ୍କର ସମ୍ପର୍କ ନେଇ ମଧ୍ୟ ସ୍ପଷ୍ଟୀକରଣ ଦେଇଛନ୍ତି ନବଙ୍କୁର । ଜ୍ୟୋତି ଜଣେ ପ୍ରଶଂସକ ଭାବେ ତାଙ୍କୁ ଫଟୋ ଉଠାଇବାକୁ କହିଥିଲେ । ଏହା ପୂର୍ବରୁ ସେ ତାଙ୍କୁ ବ୍ୟକ୍ତିଭାବେ ଜାଣି ନାହାଁନ୍ତି ବୋଲି କହିଛନ୍ତି ।