ନୂଆଦିଲ୍ଲୀ: ଭାରତ ଏକ ଧର୍ମଶାଳା (ମାଗଣା ଆଶ୍ରୟସ୍ଥଳ) ନୁହେଁ ଯାହା ସାରା ବିଶ୍ୱର ଶରଣାର୍ଥୀଙ୍କୁ ଆଶ୍ରୟ ଦେଇପାରିବ । ଜଣେ ଶ୍ରୀଲଙ୍କା ନାଗରିକଙ୍କୁ ଆଶ୍ରୟ ଆବେଦନକୁ ପ୍ରତ୍ୟାଖ୍ୟାନ କରି ଏପରି କହିଛନ୍ତି ମାନ୍ୟବର ସୁପ୍ରିମକୋର୍ଟ ।
ବିଚାରପତି ଦୀପଙ୍କର ଦତ୍ତା ଏବଂ ବିଚାରପତି କେ ବିନୋଦ ଚନ୍ଦ୍ରନଙ୍କ ଖଣ୍ଡପୀଠ ଶ୍ରୀଲଙ୍କା ନାଗରିକଙ୍କ ଆବେଦନର ଶୁଣାଣି କରିଛନ୍ତି । ସେ ଜଣେ ଶ୍ରୀଲଙ୍କା ତାମିଲ, ଯିଏ ୨୦୧୫ରେ ଶ୍ରୀଲଙ୍କାରେ ସକ୍ରିୟ ଏକ ଆତଙ୍କବାଦୀ ସଂଗଠନ ଲିବରେସନ ଟାଇଗର୍ସ ଅଫ୍ ତାମିଲ ଏଲମ୍ (LTTE) ସହିତ ଜଡିତ ଥିବା ସନ୍ଦେହରେ ଗିରଫ ହୋଇଥିଲେ । ୨୦୧୮ରେ ତଳ କୋର୍ଟ ତାଙ୍କୁ ବେଆଇନ କାର୍ଯ୍ୟକଳାପ (ନିବାରଣ) ଆଇନ ଅନୁଯାୟୀ ଦୋଷୀ ସାବ୍ୟସ୍ତ କରିଥିଲେ ଏବଂ ୧୦ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଥିଲେ । ୨୦୨୨ରେ, ମାଡ୍ରାସ ହାଇକୋର୍ଟ ତାଙ୍କ ଦଣ୍ଡାଦେଶକୁ ସାତ ବର୍ଷକୁ ହ୍ରାସ କରିଥିଲେ, କିନ୍ତୁ ତାଙ୍କ ଦଣ୍ଡ ଶେଷ ହେବା ମାତ୍ରେ ଦେଶ ଛାଡି ଚାଲିଯିବାକୁ ନିର୍ଦ୍ଦେଶ ଦେଇଥିଲେ ଏବଂ ନିର୍ବାସନ ପୂର୍ବରୁ ଏକ ଶରଣାର୍ଥୀ ଶିବିରରେ ରହିବାକୁ କହିଥିଲେ।
ଆବେଦନକାରୀ ଶ୍ରୀଲଙ୍କା ନାଗରିକ ସୁପ୍ରିମକୋର୍ଟଙ୍କୁ କହିଛନ୍ତି ଯେ ସେ ଭିସା ନେଇ ଭାରତ ଆସିଥିଲେ ଏବଂ ନିଜ ଦେଶ (ଶ୍ରୀଲଙ୍କା)ରେ ତାଙ୍କ ଜୀବନ ବିପଦରେ ଅଛି । ତାଙ୍କ ସ୍ତ୍ରୀ ଏବଂ ପିଲାମାନେ ଭାରତରେ ରହୁଛନ୍ତି । ପ୍ରାୟ ତିନି ବର୍ଷ ଧରି ଅଟକ ଅଛନ୍ତି ଏବଂ ନିର୍ବାସନ ପ୍ରକ୍ରିୟା ଆରମ୍ଭ ହୋଇନାହିଁ ବୋଲି କୋର୍ଟକୁ କହିଛନ୍ତି ।
ଏହାର ଜବାବରେ ବିଚାରପଚି ଦୀପଙ୍କର ଦତ୍ତା ପ୍ରଶ୍ନ କରିଥିଲେ, “ଭାରତ କ'ଣ ସାରା ବିଶ୍ୱରୁ ଶରଣାର୍ଥୀଙ୍କୁ ଆତିଥ୍ୟ ଦେବ ? ଆମେ ୧୪୦ କୋଟି ଲୋକଙ୍କୁ ନେଇ ସଂଘର୍ଷ କରୁଛୁ । ଏହା କୌଣସି ଧର୍ମଶାଳା ନୁହେଁ ଯେଉଁଠାରେ ଆମେ ସାରା ବିଶ୍ୱର ବିଦେଶୀ ନାଗରିକଙ୍କ ମନୋରଞ୍ଜନ କରିପାରିବୁ”।
ଆବେଦନକାରୀଙ୍କ ଓକିଲ ସମ୍ବିଧାନର ଧାରା ୨୧ (ଜୀବନ ଏବଂ ସ୍ୱାଧୀନତାର ସୁରକ୍ଷା) ଏବଂ ଧାରା ୧୯ (ବାକ୍ ସ୍ୱାଧୀନତା ) ଅନୁଯାୟୀ ଯୁକ୍ତି ଉପସ୍ଥାପନ କରିଥିଲେ । ଜଷ୍ଟିସ୍ ଦତ୍ତା କହିଛନ୍ତି ଯେ ଆବେଦନକାରୀଙ୍କ ଅଟକ ଧାରା ୨୧ ଲଙ୍ଘନ କରେ ନାହିଁ କାରଣ ତାଙ୍କୁ ଆଇନ ଅନୁଯାୟୀ ହେପାଜତକୁ ନିଆଯାଇଥିଲା । କୋର୍ଟ ଦର୍ଶାଇଛନ୍ତି ଯେ ଧାରା ୧୯ କେବଳ ଭାରତୀୟ ନାଗରିକଙ୍କ ପାଇଁ ଉପଲବ୍ଧ । "ଏଠାରେ ରହିବାର ଆପଣଙ୍କର ଅଧିକାର କ'ଣ ?" କୋର୍ଟ ପ୍ରଶ୍ନ କରିଥିଲେ । ଯେତେବେଳେ ଆବେଦନକାରୀଙ୍କ ଓକିଲ ଜୋର ଦେଇଥିଲେ ଯେ ସେ ଜଣେ ଶରଣାର୍ଥୀ ଏବଂ ଶ୍ରୀଲଙ୍କାରେ ତାଙ୍କ ଜୀବନ ବିପଦରେ ଅଛି, କୋର୍ଟ ତାଙ୍କୁ ଅନ୍ୟ ଦେଶକୁ ଯିବାକୁ କହିଥିଲେ।