ବେଙ୍ଗାଲୁରୁ: ଦୁଇ ଦିନର ଲଗାଣ ବର୍ଷାରେ ବେହାଲ ହୋଇପଡିଛି କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁ ସହର । ପ୍ରବଳ ବର୍ଷା ଯୋଗୁଁ ଅନେକ ସ୍ଥାନରେ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଅନେକ ତଳିଆ ଅଞ୍ଚଳ ଜଳମଗ୍ନ ହୋଇ ରହିଛି। ଫଳରେ ସହରର ବିଭିନ୍ନ ସ୍ଥାନରେ ଟ୍ରାଫିକ ସମସ୍ୟା ଦେଖାଦେଇଛି। ଏପରିକି ରାସ୍ତାରେ ଲହଡି ଭାଙ୍ଗୁଛି ବର୍ଷା ପାଣି । ଯେଉଁ ରାସ୍ତାରେ ଯାନବାହନ ଚାଳାଚଳ କରୁଥିଲା ସେହି ରାସ୍ତାରେ ଚାଲୁଛି ଲାଇଭ ବୋଟ ।
ଏପରିକି ବର୍ଷା ପ୍ରଭାବିତ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ତେବେ ଡ୍ରେନେଜ ସମସ୍ୟା ପାଇଁ ଏଭଳି ଜଳବନ୍ଦୀ ସମସ୍ୟା ଉପୁଜିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ବେଙ୍ଗାଲୁରୁର କେଙ୍ଗରୀରେ ସର୍ବାଧିକ ୧୩୨ ମିଲିମିଟର ବର୍ଷା ରେକର୍ଡ ହୋଇଥିବା ବେଳେ ବେଙ୍ଗାଳୁରୁର ଉତ୍ତରାଞ୍ଚଳରେ ୧୩୧.୫ ମିଲିମିଟର ବର୍ଷିଛି । ସେହିପରି କିଛି ଅଞ୍ଚଳରେ ରାତି ସାରା ଶହେ ମିଲିମିଟର ବର୍ଷା ରେକର୍ଡ କରିଛି ପାଣିପାଗ ବିଭାଗ ।
କେଙ୍ଗେରିର ୧୩୨ ମିମି ବର୍ଷା ରେକର୍ଡ :
କର୍ଣ୍ଣାଟକ ରାଜ୍ୟ ବିପର୍ଯ୍ୟୟ ମନିଟରିଂ ସେଲ୍ ଅନୁଯାୟୀ, କେଙ୍ଗେରିରେ ସର୍ବାଧିକ ୧୩୨ ମିମି ବର୍ଷା ରେକର୍ଡ କରାଯାଇଛି, ଏହା ପରେ ଉତ୍ତର ବେଙ୍ଗାଲୁରୁର ଭଡେରାହାଲ୍ଲିରେ ୧୩୧.୫ ମିମି ବର୍ଷା ରେକର୍ଡ କରାଯାଇଛି। ସହରର ଅନେକ ଅଞ୍ଚଳରେ ୧୦୦ ମିମିରୁ ଅଧିକ ବର୍ଷା ହୋଇଛି। ପାଣିପାଗ ଅଧିକାରୀଙ୍କ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ସହରର ହାରାହାରି ବର୍ଷା ୧୦୫.୫ ମିମି ଥିଲା, ଯାହା ସୋମବାର ସକାଳ ୮.୩୦ ରେ ରେକର୍ଡ କରାଯାଇଥିଲା।
୨୨ ମଇ ଯାଏଁ ପ୍ରବଳ ବର୍ଷା ନେଇ ସତର୍କତା:
ଭାରତୀୟ ପାଣିପାଗ ବିଭାଗ ୨୨ ମଇ, ୨୦୨୫ ପର୍ଯ୍ୟନ୍ତ କର୍ଣ୍ଣାଟକରେ ପ୍ରବଳ ବର୍ଷା, ଝଡ଼ ଏବଂ ବଜ୍ରପାତ ନେଇ ଚେତାବନୀ ଦେଇଛି। ବେଙ୍ଗାଲୁରୁ, ବେଲାଗାଭି, ଶିବମୋଗା ସମେତ ଅନେକ ଜିଲ୍ଲାରେ ହଳଦିଆ ଏବଂ ଲାଲ ଆଲର୍ଟ ବଳବତ୍ତର ରହିଛି। ୧୯ ମଇରେ ଅତ୍ୟଧିକ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ଚିତ୍ରଦୁର୍ଗରେ ରେଡ୍ ଆଲର୍ଟ ଜାରି କରାଯାଇଛି। ଅନେକ ସ୍ଥାନ ପାଇଁ ହଳଦିଆ ଆଲର୍ଟ ଜାରି କରାଯାଇଛି।