ପୁରୀ: ୟୁଟ୍ୟୁବର ପ୍ରିୟଙ୍କା ସେନାପତିଙ୍କ ପାଇଁ ବଢିବାରେ ଲାଗିଛି ଅଡୁଆ। ଜ୍ୟୋତି ମାଲହୋତ୍ରାଙ୍କ ସହିତ ସମ୍ପର୍କ ରଖି ଅଡୁଆରେ ପଡ଼ିଛନ୍ତି ପୁରୀର ୟୁଟ୍ୟୁବର ପ୍ରିୟଙ୍କା ସେନାପତି। ବର୍ଷ ବର୍ଷ ଧରି ଶତ୍ରୁରାଷ୍ଟ୍ର ପାକିସ୍ତାନ ପାଇଁ ଗୁପ୍ତଚୋର କରୁଥିବା ଅଭିଯୋଗରେ ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରାକୁ ହରିୟାଣା ପୋଲିସ ଗିରଫ କରିବା ପରେ ଗୋଟେ ପରେ ଗୋଟେ ଗୁମର ଖୋଲିବାରେ ଲାଗିଛି। ଉଭୟଙ୍କ ଲିଙ୍କ୍ ଥିବା ସାମ୍ନାକୁ ଆସିବା ପରେ ଗୁଇନ୍ଦା ଅଧିକାରୀ ଏବଂ ପୋଲିସ ପ୍ରିୟଙ୍କାଙ୍କୁ ଶନିବାର ଜେରା କରିଛି। ମାମଲାର ତଦନ୍ତ ଚାଲିଥିବାରୁ ପ୍ରିୟଙ୍କାଙ୍କୁ ପୁରୀ ଛାଡ଼ି ନ ଯିବାକୁ ପୋଲିସ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।
ୟୁଟ୍ୟୁବରଙ୍କ ପାକିସ୍ତାନୀ ଗୁପ୍ତଚର ଲିଙ୍କ୍ ପ୍ରସଙ୍ଗରେ ତଦନ୍ତ କରୁଛି ଏନ୍ଆଇଏ । ଯାହାର ଲିଙ୍କ୍ ବାହାରିବ ସେ ସମସ୍ତଙ୍କୁ ତଦନ୍ତ ପରିସରଭୁକ୍ତ କରାଯିବ ବୋଲି କହିଛନ୍ତି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଯେଉଁମାନେ ଦୋଷୀ ସେମାନେ କଠିନ ଦଣ୍ଡରେ ଦଣ୍ଡିତ ହେବେ । ଯେଉଁମାନେ ପଡୋଶୀ ଦେଶ ପାଇଁ ଗୁଇନ୍ଦାଗିରି କରୁଛନ୍ତି ବା ସହାୟତା କରୁଛନ୍ତି, ସେମାନଙ୍କୁ କେବେ ବି ଛଡା ଯିବନାହିଁ ।
ପାକିସ୍ତାନ ଗୁପ୍ତଚର ଜ୍ୟୋତି ମଲହୋତ୍ରାଙ୍କ ପୁରୀ ଲିଙ୍କ୍ ମାମଲାରେ ତଦନ୍ତକୁ ଅଧିକ ଜୋରଦାର କରାଯାଇଛି । ମାମଲାର ଅଧିକ ତଦନ୍ତ ପାଇଁ ଖୁବ୍ ଶୀଘ୍ର ପୁରୀ ଯାଇ ତଦନ୍ତ କରିପାରେ ଏନ୍ଆଇଏ । ସେହିପରି ହରିୟାଣା ପୁଲିସ ମଧ୍ୟ ପୁରୀ ଆସିବାର ସମ୍ଭାବନା ରହିଛି । ଏବେ ପୁଲିସ ସ୍କାନରରେ ରହିଛି ପ୍ରିୟଙ୍କାଙ୍କ ପୂରା ପରିବାର । ପୁରୀ ଆସିଥିବା ବେଳେ ଜ୍ୟୋତି ଯାଇଥିବା ସ୍ଥାନକୁ ମଧ୍ୟ ସ୍କାନରରେ ରଖିଛି ପୁଲିସ ।
ପ୍ରିୟଙ୍କାଙ୍କଠାରୁ ତଥ୍ୟ ନେଇ ସେସବୁ ସ୍ଥାନକୁ ଯାଇ ତଦନ୍ତ କରାଯିବ । ପୁରୀ ବେଳାଭୂମି, ଶ୍ରୀମନ୍ଦିର ସହ ଅନ୍ୟାନ୍ୟ ସ୍ଥାନ ବୁଲିଥିଲେ ଜ୍ୟୋତି । ପୁରୀ ଆସିଥିବା ସମୟରେ ଜ୍ୟୋତି କେଉଁଠିକୁ ଯାଇଥିଲେ, କାହା କାହକୁ ଭେଟିଥିଲେ ? ସେ ସଂପର୍କରେ ତଦନ୍ତ କରିପାରେ ଜାତୀୟ ତଦନ୍ତକାରୀ ସଂସ୍ଥା ।
ଅନ୍ୟପଟେ ପ୍ରିୟଙ୍କା ନିଜ ଇନଷ୍ଟାଗ୍ରାମ୍ ରେ ସ୍ପଷ୍ଟୀକରଣ ଦେଇ ଲେଖିଛନ୍ତି, ୟୁଟ୍ୟୁବ ମାଧ୍ୟମରେ ମୁଁ ଜ୍ୟୋତିଙ୍କୁ ଚିହ୍ନିଥିଲି। ତାଙ୍କ ସମ୍ପର୍କରେ ମୁଁ ଏତେ ମାତ୍ରାରେ ଅବଗତ ନଥିଲି। ସେ ପାକିସ୍ତାନ ଗୁପ୍ତଚର ଭାବେ କାମ କରୁଛନ୍ତି ବୋଲି ମୁଁ ଜାଣିଥିଲେ କେବେ ବି ତାଙ୍କ ସହ ଯୋଗାଯୋଗରେ ଆସିନଥାନ୍ତି। ତାଙ୍କ ସମ୍ପର୍କରେ ଏସବୁ ଜାଣିବା ପରେ ଏବେ ମୋତେ ମଧ୍ୟ ଆଶ୍ଚର୍ୟ୍ୟ ଲାଗୁଛି। ତଦନ୍ତକାରୀ ସଂସ୍ଥାକୁ ମୁଁ ସମ୍ପୂର୍ଣ୍ଣ ସହଯୋଗ କରିବି।
ଏପରିକି ପ୍ରିୟଙ୍କା ବାପା ମଧ୍ୟ ସମାନ ପତିକ୍ରିୟା ଦେଇ କହିଛନ୍ତି ପୋଲିସଙ୍କୁ ଆମେ ପୂର୍ଣ୍ଣ ସହଯୋଗ କରିବୁ। ଜ୍ୟୋତି ପାକିସ୍ତାନ ଗୁପ୍ତଚର ବୋଲି ଆମେ ଜାଣିଥିଲେ ଝିଅ ପୋଲିସକୁ ପୂର୍ବରୁ ଖବର ଦେଇସାରନ୍ତାଣି। ସେହିପରି ପ୍ରିୟଙ୍କାଙ୍କ ବଡ଼ବାପା ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଆଗ ଦେଶ, ଝିଅ ପଛ। ଆମ ଝିଅ ଉପରେ ପୂରା ବିଶ୍ଵାସ ରହିଛି। ସେ ସେଭଳି ଝିଅ ନୁହେଁ। ତଥାପି ଯଦି ସେ ଭୁଲ କରିଥିବ କାର୍ଯ୍ୟାନୁଷ୍ଠାନ ହେଉ।