ଝାଡ଼ଖଣ୍ଡ: ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିର ସବୁଠୁ ବଡ଼ ହସ୍ପିଟାଲ ରିମ୍ସର ଜଣେ ଡାକ୍ତର ଜଳପ୍ରପାତରେ ବୁଡ଼ି ପ୍ରାଣ ହରାଇଛନ୍ତି। ରିମ୍ସ ହସ୍ପିଟାଲର ୨୬ ଜଣିଆ ଇଣ୍ଟର୍ନ ଡାକ୍ତରୀ ଦଳ ରାଞ୍ଚିରୁ ପ୍ରାୟ ୪୦ କିଲୋମିଟର ଦୂରରେ ଥିବା ଏକ ଜଳପ୍ରପାତକୁ ପିକନିକ୍ ପାଇଁ ଯାଇଥିଲେ। ତେବେ ଗାଧେଇବା ସମୟରେ ୪ ଜଣ ଡାକ୍ତର ବୁଡ଼ିଯାଇଥିଲେ। ସେମାନଙ୍କ ମଧ୍ୟରୁ ଜଣଙ୍କ ମୃତ୍ୟୁ ହୋଇଛି।
ଘଟଣା ମୁତାବିକ, ଋାଞ୍ଚିଠାରୁ ୪୦ କିଲୋମିଟର ଦୂରରେ ଥିବା ଖୁଣ୍ଟି ଜିଲ୍ଲାର ପେରୱାପା ଜଳପ୍ରପାତକୁ ପିକନିକରେ ଯାଇଥିଲେ। ଏଇ ସମୟରେ ଡକ୍ଟର ଅଭିଷେକ ଖାଲଖୋ, ଡକ୍ଟର କୀର୍ତ୍ତି ବର୍ଦ୍ଧନ, ଡକ୍ଟର ଜସୁଆ ଟପ୍ପୋ ଏବଂ ଡକ୍ଟର ଅଜୟ ମୋଦି, ଅନ୍ୟମାନଙ୍କ ମଧ୍ୟରେ ପାଣି ଭିତରକୁ ପଶି ଗାଧୋଇବା ଆରମ୍ଭ କଲେ। ଗଭୀର ପାଣିରେ ଯିବା ଯୋଗୁଁ, ଚାରିଜଣ ଡାକ୍ତର ବୁଡ଼ି ଯିବାକୁ ଲାଗିଲେ। ସାଥୀ ଇଣ୍ଟର୍ନ ଡାକ୍ତରମାନେ ବୁଡ଼ିଯିବା ପରେ ପାଟି କରିଥିଲେ। ଏହା ଶୁଣି ସ୍ଥାନୀୟ ଲୋକେ ସମସ୍ତଙ୍କୁ ଉଦ୍ଧାର କରିଥିଲେ । ଶେଷରେ ଉଦ୍ଧାର ହୋଇଥିଲେ ଅଭିଶେକ । ତାଙ୍କ ଅବସ୍ଥା ଗୁରୁତର ରହିଥିଲା। ପ୍ରଥମେ ତାଙ୍କୁ ସ୍ଥାନୀୟ ହସ୍ପିଟାଲ ଏବଂ ପରେ ରିମ୍ସକୁ ସ୍ଥାନାନ୍ତର କରାଯାଇଥିଲା । ଡାକ୍ତରୀ ଦଳ ତାଙ୍କ ଚିକିତ୍ସା କରିଥିଲେ । ମାତ୍ର ତାଙ୍କୁ ମୃତ ଘୋଷଣା କରିଥିଲେ । ସେପଟେ ଏହି ଖବର ପ୍ରଚାର ହେବା ପରେ ରିମ୍ସରେ ଶୋକର ଛାୟା ଖେଳିଯାଇଛି ।