ନୂଆଦିଲ୍ଲୀ: ଆତଙ୍କବାଦ ବିରୁଦ୍ଧରେ ଭାରତୀୟ ସେନାର ଅପରେସନ୍ ସିନ୍ଦୂର ପରେ ରକ୍ତମୁଖା ହୋଇପଡ଼ିଥିଲା ପଡ଼ୋଶୀ ଦେଶ ପାକିସ୍ତାନୀ । ଯାହାର ପ୍ରତିଶୋଧ ନେବାକୁ ଯାଇ ସୀମାବର୍ତ୍ତୀ ରାଜ୍ୟଗୁଡ଼ିକୁ ନିଶାଣ କରାଯାଇଥିଲା । ତେବେ ପାକିସ୍ତାନୀ ସେନା ଟାର୍ଗେଟର କୌଣସି ସଠିକ୍ ଲକ୍ଷ୍ୟ ନ ଥିଲା । ବରଂ ଭାରତୀୟ ବାୟୁସେନାର ଏୟାରବେସ୍ ସହିତ ସାଧାରଣ ଜନତାଙ୍କୁ ଟାର୍ଗେଟ୍ କରାଯାଇଥିଲା । ବିଶେଷ କରି ଧାର୍ମିକ ସ୍ଥଳଗୁଡ଼ିକୁ ଲକ୍ଷ୍ୟ କରି ମିସାଇଲ୍ ଏବଂ ଡ୍ରୋନ୍ ଆକ୍ରମଣ କରିଥିଲା ପାକ୍ । ପଞ୍ଜାବ ଅମ୍ରିତସର ସ୍ୱର୍ଣ୍ଣ ମନ୍ଦିର ମଧ୍ୟ ପାକିସ୍ତାନୀ ସେନାର ଟାର୍ଗେଟରେ ଥିଲା ବୋଲି ଭାରତୀୟ ସେନାର ଜଣେ ବରିଷ୍ଠ ଅଧିକାରୀ ଖୁଲାସା କରିଛନ୍ତି ।
ଜେନେରାଲ ଅଫିସର୍ କମାଣ୍ଡିଂର ମେଜର୍ ଜେନାରାଲ କାର୍ତ୍ତିକ ସି ସେଶାଦ୍ରୀ ସୋମବାର ଦେଇଥିବା ସୂଚନା ଅନୁସାରେ, ଅପରେସନ୍ ସିନ୍ଦୂର ପରେ ମେ ୭-୮ ତାରିଖ ରାତିରେ ପାକିସ୍ତାନ ଘନ ଘନ ମିସାଇଲ୍ ଓ ଡ୍ରୋନ୍ ଆକ୍ରମଣ କରିଥିଲା । ଯାହାକୁ ବିଫଳ କରିବାରେ ଭାରତୀୟ ବାୟୁ ପ୍ରତିରକ୍ଷା ସିଷ୍ଟମ୍ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକ ଗ୍ରହଣ କରିଥିଲା । କିନ୍ତୁ ପାକିସ୍ତାନ ଟାର୍ଗେଟରେ କୌଣସି ନିର୍ଦ୍ଧିଷ୍ଟ ଅଞ୍ଚଳ ନ ଥିଲା । ଭାରତୀୟ ସେନାର ସ୍ଥଳୀ ସହିତ ଧାର୍ମିକ ସ୍ଥଳଗୁଡ଼ିକୁ ଟାର୍ଗେଟ୍ କରାଯାଇଥିଲା ଅନୁମାନ କରାଯାଉଛି । ବିଶେଷ କରି ସ୍ୱର୍ଣ୍ଣ ମନ୍ଦିରକୁ ଲକ୍ଷ୍ୟ ରଖାଯାଇଥିଲା । ବାୟୁ ପ୍ରତିରକ୍ଷା ପ୍ରଣାଳୀ, ଯେପରିକି ଆକାଶ ଏବଂ ଏଲ୍-୭୦ ବାୟୁ ପ୍ରତିରକ୍ଷା ଗନ୍ ସାହାଯ୍ୟରେ ଏହାକୁ ପ୍ରତିହତ କରାଯାଇଥିଲା । ସ୍ୱର୍ଣ୍ଣ ମନ୍ଦିରକୁ ଚାରିପାର୍ଶ୍ୱରୁ ବାୟୁ ପ୍ରତିରକ୍ଷା ଆବରଣ ଦେବା ପାଇଁ ଅତିରିକ୍ତ ଆଧୁନିକ ବାୟୁ ପ୍ରତିରକ୍ଷା ପ୍ରଣାଳୀକୁ ଆପଣାଯାଇଛି ବୋଲି ସେ କହିଛନ୍ତି ।
ବରିଷ୍ଠ ଅଧିକାରୀ କହିଛନ୍ତି, ମେ ୮ ରାତିର ଅନ୍ଧାରେ ପାକିସ୍ତାନ ଡ୍ରୋନ୍ ଏବଂ ଦୂରଗାମୀ କ୍ଷେପଣାସ୍ତ୍ର ବ୍ୟବହାର କରି ଏକ ବଡ଼ ଧରଣର ଆକ୍ରମଣ ଆରମ୍ଭ କରିଥିଲା। ଏହାକୁ ଜବାବ ଦେବାକୁ ଭାରତୀୟ ସେନା ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିଲା ଏବଂ ଏହିପରି ବିପଦକୁ ପ୍ରତିହତ କରି ନଷ୍ଟ କରାଯାଇଥିଲା । ପାକିସ୍ତାନ ଏପରି କରିବ ବୋଲି ପୂର୍ବରୁ ଆଶା କରାଯାଇଥିଲା । ସାହସୀ ଭାରତୀ ଯବାନ ଓ ବାୟୁ ପ୍ରତିରକ୍ଷା ବନ୍ଧୁକଧାରୀମାନେ ପାକିସ୍ତାନ ସେନାର ଘୃଣ୍ୟ ଯୋଜନାକୁ ପଣ୍ଡ କରିଦେଲେ । ସ୍ୱର୍ଣ୍ଣ ମନ୍ଦିରକୁ ଲକ୍ଷ୍ୟ କରି ଛଡ଼ାଯାଉଥିବା ସମସ୍ତ ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ରକୁ ଧ୍ୱଂସ କରି ତଳେ ପକାଇଥିଲେ । ପବିତ୍ର ସ୍ୱର୍ଣ୍ଣ ମନ୍ଦିର ଉପରେ ଗୋଟିଏ ଇଞ୍ଚିଏ ବି ଆଘାତ ଲାଗିବାକୁ ଦିଆଯାଇ ନାହିଁ ।
ପ୍ରତିରକ୍ଷା ମନ୍ତ୍ରଣାଳୟର ଏକ ବିବୃତ୍ତି ପୂର୍ବରୁ ନିଶ୍ଚିତ କରିଥିଲା ଯେ ରାତିସାରା ହୋଇଥିବା ଆକ୍ରମଣରେ ଅମୃତସର, ଜମ୍ମୁ, ଶ୍ରୀନଗର, ପଠାନକୋଟ, ଜଳନ୍ଧର, ଲୁଧିଆନା, ଚଣ୍ଡିଗଡ଼ ଏବଂ ଭୁଜ ସମେତ ଅନେକ ଭାରତୀୟ ସହର ଏବଂ ସାମରିକ ଘାଟିକୁ ଟାର୍ଗେଟ କରାଯାଇଥିଲା। ବାୟୁ ପ୍ରତିରକ୍ଷା ପ୍ରଣାଳୀ, ଯେପରିକି ଆକାଶ କ୍ଷେପଣାସ୍ତ୍ର ପ୍ରଣାଳୀ ଏବଂ ଏଲ୍-୭୦ ବାୟୁ ପ୍ରତିରକ୍ଷା ଗନ୍ ,ସାହାଯ୍ୟରେ ଏହାକୁ ପ୍ରତିହତ କରାଯାଇଥିଲା ।