ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ସୀମାରେ ଉତ୍ତେଜନା କମିବା ପରେ ପୁଣି ଥରେ ଆଇପିଏଲ ଆରମ୍ଭ ହୋଇସାରିଛି ଏବଂ ଲିଗ୍ ଏବେ ଏହାର ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ପ୍ଲେ ଅଫ ପାଇଁ ଦଳଗୁଡିକ ମଧ୍ୟରେ ତୀବ୍ର ପ୍ରତିଦ୍ୱନ୍ଦ୍ୱିତା ଚାଲିଛି । ଲକ୍ଷ୍ନୌ ସୁପରଜିଆଣ୍ଟସ୍ ମଧ୍ୟ ଏହି ଦୌଡ଼ରେ ଅଛି। ଋଷଭ ପନ୍ତଙ୍କ ଅଧିନାୟକତ୍ୱରେ ଥିବା ଏହି ଦଳ ସୋମବାର ସନରାଇଜର୍ସ ହାଇଦ୍ରାବାଦକୁ ଭେଟିବ। ହାଇଦ୍ରାବାଦ ପ୍ଲେଅଫ୍ ଦୌଡ଼ରୁ ବାହାର ହୋଇଯାଇଛି ଏବଂ ଏବେ ଏହାର ଏକମାତ୍ର ପ୍ରୟାସ ହେଉଛି ନିଜର ସମ୍ମାନ ବଞ୍ଚାଇବା। ଲକ୍ଷ୍ନୌ ଯଦି ପରାଜିତ ହୁଏ ତେବେ ଦଳ ପ୍ଲେ ଅଫ ଦୌଡରୁ ବାଦ୍ ପଡିବ ।
ତେଣୁ ଋଷଭ ପନ୍ତଙ୍କ ଦଳ ପାଇଁ ଆଜିର ମ୍ୟାଚ୍ କର ବା ମର ସ୍ଥିତି ସୃଷ୍ଟି କରିଛି । ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ଉଭୟ ଦଳ ପରସ୍ପରକୁ ମୁହାଁମୁହିଁ ହେବେ। ଲକ୍ଷ୍ନୌ ପ୍ଲେଅଫ୍ ଦୌଡ଼ରେ ରହିବାକୁ ଲକ୍ଷ୍ୟ ରଖିଛି। ଏହି ଦଳ ବର୍ତ୍ତମାନ ୧୧ଟି ମ୍ୟାଚ୍ ରୁ ପାଞ୍ଚଟି ବିଜୟ ଏବଂ ଛଅଟି ପରାଜୟ ସହିତ ୧୦ ପଏଣ୍ଟ ପାଇଛି। ଶେଷ-୪ ପାଇଁ ଦୌଡ଼ରେ ରହିବାକୁ ହେଲେ, ଦଳକୁ ପ୍ରତ୍ୟେକ ମ୍ୟାଚ୍ ଜିତିବାକୁ ପଡିବ ନଚେତ୍ ପ୍ଲେ ଅଫ ସ୍ୱପ୍ନ ସ୍ୱପ୍ନରେ ରହିଯିବ ।
ପନ୍ତ ବିଜୟ ପାଇଁ ଏକ ବଡ଼ ନିଷ୍ପତ୍ତି ନେଇ ପାରନ୍ତି। ସେ ଡେଭିଡ୍ ମିଲରଙ୍କୁ ବାହାରର ରାସ୍ତା ଦେଖାଇ ପାରନ୍ତି । କାରଣ ଚଳିତ ସିଜିନରେ ମିଲର୍ ନିରାଶ କରିଛନ୍ତି। ତାଙ୍କଠାରୁ ଯେଉଁ ପ୍ରକାରର ବ୍ୟାଟିଂ ଆଶା କରାଯାଏ, ସେ ତାହା ପ୍ରଦର୍ଶନ କରିନାହାଁନ୍ତି। ତାଙ୍କ ସ୍ଥାନରେ ହିମ୍ମତ ସିଂହଙ୍କୁ ସୁଯୋଗ ମିଳିପାରେ। ଦଳର ବ୍ୟାଟିଂ ନିକୋଲାସ ପୁରନଙ୍କ ସହିତ ଓପନର ମିଚେଲ ମାର୍ଶ ଏବଂ ଆଡେନ ମାର୍କରାମଙ୍କ ଉପରେ ନିର୍ଭର କରେ। ଯଦି ଏହି ତିନି ଜଣ ଦମଦାର ବ୍ୟାଟିଂ କରନ୍ତି ତେବେ ସନରାଇଜର୍ସ ଅସୁବିଧାରେ ପଡ଼ିଯିବ।
ୠଷଭ ପନ୍ତଙ୍କ ଫର୍ମ ଦଳ ପାଇଁ ଚିନ୍ତାର ବିଷୟ ହୋଇଛି, କିନ୍ତୁ ଆୟୁଷ ବାଡୋନି ଏବଂ ଅବଦୁଲ ସମଦ ଭଲ ପ୍ରଦର୍ଶନ କରିଛନ୍ତି। ଦଳ ଆଜିର ମ୍ୟାଚରେ ଉଭୟଙ୍କ ଉପରେ ବହୁତ ନିର୍ଭର କରିବ। ମୟଙ୍କ ଯାଦବ ଆହତ ହୋଇଥିବାରୁ ତାଙ୍କୁ ଦଳରେ ଦେଖିବାକୁ ମିଳିବ ନାହିଁ। ଅଭେଶ ଖାନ, ପ୍ରିନ୍ସ ଯାଦବ, ରବି ବିଷ୍ଣୋଇ ଏବଂ ଦିଗବେଶ ରାଠିଙ୍କ ଖେଳିବା ନିଶ୍ଚିତ। ଦଳ ବାଦୋନି, ସମଦ ଏବଂ ବିଷ୍ନୋଇଙ୍କୁ ଟ୍ରମ୍ପ କାର୍ଡ ପରି ବ୍ୟବହାର କରିପାରେ ।