ନୂଆଦିଲ୍ଲୀ: ଆଜିଠୁ ପୁଣି ଥରେ ଆରମ୍ଭ ହେଉଛି ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ୍) । ମେ ୮ରେ ଭାରତ-ପାକିସ୍ତାନ ଉତ୍ତେଜନା କାରଣରୁ ଲିଗକୁ ସପ୍ତାହେ ସ୍ଥଗିତ ରଖାଯାଇଥିଲା । ଏହା ପରେ ମେ ୧୭ ଅର୍ଥାତ ଶନିବାରଠୁ ପୁଣି ଥରେ ଆଇପିଏଲ୍ ୨୦୨୫ ଆରମ୍ଭ ହେଉଛି । ଆଜି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ବେଙ୍ଗାଲୁରୁର ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ମ୍ୟାଚ୍ ଖେଳାଯିବ । ମୁକାବିଲା ସାଢେ ୭ଟାରୁ ଆରମ୍ଭ ହେବ ।
ଆରସିବି ଓ କେକେଆର ହେଡ୍ ଟୁ ହେଡ୍ ମୁକାବିଲାରେ କୋଲକାତାର ପଲ୍ଲା ଭାରି ରହିଛି । କେକେଆର ୨୦ ଥର ଆରସିବିକୁ ହରାଇଥିବା ବେଳେ ଆରସିବି ୧୫ ଥର ମ୍ୟାଚ୍ ଜିତିଛି । ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଦୁଇ ଦଳ ମଧ୍ୟରେ ୧୨ଟି ମ୍ୟାଚ୍ ଖେଳା ଯାଇଛି । ଏଥିରୁ କେକେଆର ୮ଟି ମ୍ୟାଚ୍ ଜିତିଛି ।
ବେଙ୍ଗାଲୁରୁ ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମର ପିଚ୍ ବ୍ୟାଟରଙ୍କ ପାଇଁ ଭୂସ୍ୱର୍ଗ । ଏଠାରେ ବ୍ୟାଟର ଖୁବ୍ ରନ କରିଥାନ୍ତି । ଏହି ପିଚରେ ବଡ ସ୍କୋର ଦେଖିବାକୁ ମିଳିଥାଏ । ତେବେ ଆଜିର ମ୍ୟାଚରେ ବୋଲରଙ୍କୁ ପିଚ୍ ସୁହାଇବାର ସମ୍ଭାବନା ରହିଛି । କାରଣ ଗତ ଦୁଇ ଦିନ ଏଠାରେ ବର୍ଷା ହୋଇଛି । ତେଣୁ ପିଚକୁ ଢଙ୍କା ଯାଇଛି । ତେଣୁ ଦ୍ରୁତ ବୋଲରଙ୍କୁ ସହାୟତା ମିଳିବାର ସମ୍ଭାବନା ରହିଛି ।
ବେଙ୍ଗାଲୁରୁରେ ବର୍ଷା ସମ୍ଭାବନା ରହିଛି । ପାଣିପାଗ ବିଭାଗ ଅନୁସାରେ, ଶନିବାର ୬୫ ପ୍ରତିଶତ ବର୍ଷା ହେବାର ସମ୍ଭାବନା ରହିଛି । ବେଙ୍ଗାଲୁରୁରେ ଗତ ସପ୍ତାହ ପୂରା ବର୍ଷା ହୋଇଥିଲା । ମ୍ୟାଚ୍ ସମୟରେ ବି ଅଟକି ଅଟକି ବର୍ଷା ହୋଇପାରେ । ଆକାଶରେ କଳା ବାଦଲ ଛାଇ ରହିଛି । ତେଣୁ ଆଜିର ମ୍ୟାଚ୍ ବର୍ଷାରେ ବାଧାପ୍ରାପ୍ତ ହୋଇପାରେ ।
ଆରସିବିର ସମ୍ଭାବିତ ଚୂଡାନ୍ତ ଏକାଦଶ
ବିରାଟ କୋହଲି, ଫିଲ ସଲ୍ଟ/ଜ୍ୟାକବ ବେଥେଲ, ମୟଙ୍କ ଅଗୱାଲ, ରଜତ ପାଟିଦାର(ଅଧିନାୟକ), ଜିତେଶ ଶର୍ମା(ୱିକେଟ୍ କିପର), ଟିମ୍ ଡେଭିଡ, ରୋମାରିଓ ଶେଫର୍ଡ, କ୍ରୁଣାଲ ପାଣ୍ଡ୍ୟା, ଭୁବନେଶ୍ୱର କୁମାର, ଲୁଙ୍ଗି ଏନଙ୍ଗିଡି ଓ ୟଶ ଦୟାଲ ।
ଇମ୍ପାକ୍ଟ ଖେଳାଳି- ସୁୟଶ ଶର୍ମା
କେକେଆରର ସମ୍ଭାବିତ ଏକାଦଶ
ରହମାନୁଲ୍ଲା ଗୁରୁବାଜ (ୱିକେଟ୍ କିପର), ସୁନୀଲ ନାରିନ, ଆଜିଙ୍କ୍ୟ ରାହାଣେ (ଅଧିନାୟକ), ଅଙ୍ଗକ୍ରିଷ ରଘୁବଂଶୀ, ଭେଙ୍କଟେଶ ଆୟର, ଆଣ୍ଡ୍ରେ ରସେଲ, ରିଙ୍କୁ ସିଂ, ରମଣଦୀପ ସିଂ, ଅନୁକୁଲ ରୟ, ବୈଭବ ଆରୋରା ଏବଂ ବରୁଣ ଚକ୍ରବର୍ତ୍ତୀ ।
ଇମ୍ପାକ୍ଟ ଖେଳାଳି - ହର୍ଷିତ ରାଣା