ଭୁବନେଶ୍ୱର: ରାଜ୍ୟରେ ଗରମ ଯେତିକି ବଢ଼ୁଛି, ରାଜନୀତିର ତାପମାତ୍ରା ତାହାଠାରୁ ଅଧିକ ରହିଛି । ରାଜ୍ୟସଭା ନିର୍ବାଚନ ବେଶ୍ ରୋଚକ ହେବାକୁ ଯାଉଛି । ପୁଣି ଥରେ ୨୦୦୨ ପରି ବିଜୟ ହାସଲ କରିବେ ବୋଲି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ଦିଲ୍ଲୀପ ରାୟ । ସେ ମଧ୍ୟ ହାତ ମିଶାଇବେ ବୋଲି ବଡ଼ ବୟାନ ଦେଇଛନ୍ତି ଦିଲ୍ଲୀପ ।
ରାଜ୍ୟସଭା ନିର୍ବାଚନ ପାଇଁ ସ୍ୱାଧୀନ ପ୍ରାର୍ଥୀ ଭାବେ ଦିଲ୍ଲୀପ ରାୟ ନାମାଙ୍କନ ଦାଖଲ କରିଛନ୍ତି । ଏହା ପରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ମନ୍ତ୍ରୀ ଅମିତ ଶାହ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କୁ ଧନ୍ୟବାଦ ଜଣାଇଛନ୍ତି । ୨୦୦୨ ଭଳି ଏଥର ମଧ୍ୟ ଜିତିବେ ବୋଲି ଦିଲ୍ଲୀପ କହିଛନ୍ତି । ବିଜେଡ଼ି ଓ କଂଗ୍ରେସ ଭଳି ସେ ମଧ୍ୟ ହାତ ମିଳାଇବାକୁ କହିଛନ୍ତି । ଏଥିରୁ ସ୍ପଷ୍ଟ ପ୍ରତୀୟମାନ ହେଉଛି ମତଦାନ ବେଳେ କ୍ରସ୍ ଭୋଟିଂ ହେବାର ସମ୍ଭାବନା ରହିଛି ।
ସେହିପରି ଦିଲ୍ଲୀପ ସୋସିଆଲ୍ ମିଡ଼ିଆ ଏକ୍ସରେ ନିଜ ରାଜନୈତିକ ଜୀବନ ଏବଂ ବ୍ୟକ୍ତିଗତ ଜୀବନର ଆଦର୍ଶକୁ ସ୍ମରଣ କରିଛନ୍ତି । ବିଜୁ ବାବୁଙ୍କୁ ସ୍ମରଣ କରି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ମାର୍ଚ୍ଚ ୫ ତାରିଖ ତାଙ୍କ ପାଇଁ ସବୁଦିନ ଚୀର ସ୍ମରଣୀୟ ହୋଇରହିବ, କାରଣ ଏହି ଦିନ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଜୟନ୍ତୀ । ଦିଲ୍ଲୀପ ଲେଖିଛନ୍ତି, “ମୋ ପାଇଁ, ୫ ମାର୍ଚ୍ଚ କେବେବି କ୍ୟାଲେଣ୍ଡରରେ କେବଳ ଏକ ତାରିଖ ହୋଇନାହିଁ, ଏହା ଏପରି ଏକ ଦିନ ଯାହା ସ୍ମୃତି, ଶକ୍ତି, ମାର୍ଗଦର୍ଶନ ଏବଂ କୃତଜ୍ଞତାର ଏକ ଅପୂର୍ବ ଭାବନାକୁ ମନେ ପକାଇ ଦେଉଛି । ଏହି ଦିନ ମୁଁ ସେହି ବ୍ୟକ୍ତିତ୍ୱ ଏବଂ ପିତାଙ୍କ ପରି ବ୍ୟକ୍ତିତ୍ୱଙ୍କୁ ମନେ ପକାଏ, ଯିଏ କେବଳ ଓଡ଼ିଶାର ଭାଗ୍ୟକୁ ନୁହେଁ, ବରଂ ସାର୍ବଜନୀନ ଜୀବନରେ ମୋର ବ୍ୟକ୍ତିଗତ ଯାତ୍ରାକୁ ମଧ୍ୟ ଗଢ଼ି ତୋଳିଥିଲେ”। ବିଜୁ ବାବୁଙ୍କ ବ୍ୟକ୍ତିଙ୍କ ଆଶୀର୍ବାଦକୁ ସେ ଅନୁଭବ କରିପାରୁଥିବା କହିଛନ୍ତି ଦିଲ୍ଲୀପ ।
ଦିଲ୍ଲୀପ ରାୟ ଏବଂ ଦତ୍ତେଶ୍ୱର ହୋତା ଉଭୟ ଚତୁର୍ଥ ନମ୍ବର ଆସନ ପାଇଁ ପ୍ରାର୍ଥୀ ହୋଇଛନ୍ତି । ଦିଲ୍ଲୀପ ବିଜେପିର ସମର୍ଥରେ ସ୍ୱାଧୀନ ପ୍ରାର୍ଥୀ ହୋଇଥିବାବେଳେ ଦତ୍ତେଶ୍ୱରଙ୍କୁ ଉଭୟ ବିଜେଡ଼ି ଓ କଂଗ୍ରେସ ସମର୍ଥନ କରିବେ । ତେବେ ଦିଲ୍ଲୀପଙ୍କ ଘୋଷଣା ପରେ ରାଜନୀତି ବେଶ ସରଗରମ ହୋଇଛି । ଦତ୍ତେଶ୍ୱର ଘୋଡ଼ା ବେପାରରେ ବଳି ପଡ଼ି ପାରନ୍ତି ବୋଲି ଚର୍ଚ୍ଚା ଜୋର୍ ଧରିଛି ।