ଭୁବନେଶ୍ୱର: ରାଜ୍ୟରେ ବେଆଇନଭାବେ ରହିଥିବା ଅଣ ଭାରତୀୟ ନାଗରିକଙ୍କ ତଡ଼ିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ବିଭିନ୍ନ ଜିଲ୍ଲାରେ ଥିବା ବାଂଲାଦେଶୀ ନାଗରିକଙ୍କୁ ଚିହ୍ନଟ କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି । ଅଣ ନାଗରିକ ଓଡ଼ିଶାରେ ରହିପାରିବେ ନାହିଁ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ସ୍ପେଶାଲ୍ ଟାସ୍କ ଫୋର୍ସ (ଏସଟିଏଫ୍) ନୋଡାଲ ଏଜେନ୍ସିକୁ ଏହି ଦାୟିତ୍ୱ ହସ୍ତାନ୍ତର କରାଯାଇଛି । ଏ ନେଇ ସୂଚନା ଦେଇଛନ୍ତି ଏସଟିଏଫ୍ ଡିଆଇଜି ପିନାକ ମିଶ୍ର ।
ଆଇନ ମନ୍ତ୍ରୀ ଶ୍ରୀଯୁକ୍ତ ହରିଚନ୍ଦନ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ଚିହ୍ନଟ ପ୍ରକ୍ରିୟାକୁ ସହଜ କରିବା ପାଇଁ ଇଞ୍ଜିନିୟରିଂ ବିଭାଗ ଏବଂ ଅନ୍ୟାନ୍ୟ ପ୍ରାସଙ୍ଗିକ ପ୍ରଶାସନିକ ଶାଖା ସହିତ ପ୍ରାରମ୍ଭିକ ଆଲୋଚନା ହୋଇସାରିଛି । ବିଭିନ୍ନ ସଂସ୍ଥାରେ କାମ କରୁଥିବା ବାଂଲାଦେଶୀଙ୍କୁ ଚିହ୍ନଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟରେ ଅବୈଧ ଭାବରେ ରହୁଥିବା ସନ୍ଦେହ କରାଯାଉଥିବା ବ୍ୟକ୍ତିବିଶେଷଙ୍କ ପରିଚୟ ଏବଂ ଜାତୀୟତା ଯାଞ୍ଚ କରିବା ପାଇଁ ବିଭିନ୍ନ ସଂସ୍ଥା, ବିଶେଷକରି ପ୍ରବାସୀ ଶ୍ରମିକଙ୍କୁ ନିଯୁକ୍ତି ଦେଉଥିବା ସଂସ୍ଥାଗୁଡ଼ିକ ଯାଞ୍ଚ କରୁଛନ୍ତି । ସରକାର ଏ କ୍ଷେତ୍ରରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ବୈଧ ଆଇନଗତ ସ୍ଥିତି ବିନା ରହୁଥିବା କୌଣସି ବିଦେଶୀ ନାଗରିକଙ୍କୁ ଓଡ଼ିଶାରେ ରହିବାକୁ ଅନୁମତି ଦିଆଯିବ ନାହିଁ । ଚିହ୍ନଟ ପ୍ରକ୍ରିୟା ପୂର୍ବରୁ ଆରମ୍ଭ ହୋଇସାରିଛି ଏବଂ ସମସ୍ତ ଜିଲ୍ଲାରେ ସତର୍କତାର ସହ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।
ସେହିପରି ଏସଟିଏଫ୍ ଡିଆଇଜି ପିନାକ ମିଶ୍ରଙ୍କ ସୂଚନା ଆଧାରରେ, ରାଜ୍ୟରେ ବାଂଲାଦେଶୀଙ୍କୁ ଚିହ୍ନଟ କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇ ସାରିଛି । ଜିଲ୍ଲା ଅଧିକାରୀ, ତଟ ସୁରକ୍ଷା ବାହିନୀ ଓ ସମସ୍ତ ଏଜେନ୍ସିକୁ ନିର୍ଦ୍ଦେଶ ଦିଆଯାଇଛି । ବିଶେଷକରି ତଟବର୍ତ୍ତୀ ଜିଲ୍ଲାଗୁଡ଼ିକ ବାଂଲାଦେଶୀଙ୍କ ହଟ୍ ସ୍ପଟ୍ ପାଲଟିଛି । ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଗଜତସିଂହପୁର, ପୁରୀ ଓ ଗଞ୍ଜାମ ଜିଲ୍ଲା ଫୋକସରେ ରହିଛି । ଓଡ଼ିଶାର ସୀମା ପଶ୍ଚିମବଙ୍ଗ ସହିତ ରହିଛି ଏବଂ ପଶ୍ଚିମବଙ୍ଗ ଓ ବାଂଲାଦେଶ ସୀମା ପରସ୍ପରକୁ ସଂଯୋଗ କରୁଛନ୍ତି । ତେଣୁ ଜଳପଥ କିମ୍ବା ସଡ଼କ ପଥରେ ପ୍ରବେଶ କରିବାର ଯଥେଷ୍ଟ ସମ୍ଭାବନା ରହିଥିବା କହିଛନ୍ତି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ପହଲଗାମ ଆକ୍ରମଣ ପରେ ଦେଶରେ ଥିବା ଅଣ ନାଗରିକ ତଡ଼ିବାକୁ କେନ୍ଦ୍ର ସରକାର କଡ଼ା ନିର୍ଦ୍ଦେଶ ଦେଇଥିଲେ । ବିଶେଷ କରି ପାକିସ୍ତାନୀ ନାଗରିକଙ୍କୁ ଭାରତ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଏହା ପରେ ବେଆଇନଭାବେ ରହୁଥିବା ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ଉପରେ ମଧ୍ୟ ଧ୍ୟାନ ଦିଆଯାଇଥିଲା । ବାଂଲାଦେଶୀଙ୍କୁ ଚିହ୍ନଟ କରି ଦେଶରୁ ବହିଷ୍କାର କରିବା ପ୍ରକ୍ରିୟା ମଧ୍ୟ ଆରମ୍ଭ କରାଯାଇଥିଲା ।