ଭୁବନେଶ୍ୱର: ଅଭିଯୋଗ ଶୁଣାଣି ଉପରେ ଲୋକଙ୍କ ଆସ୍ଥା ବଢିଛି । ସେମାନେ ବିଭିନ୍ନ ସମସ୍ୟା ନେଇ ସରକାରଙ୍କ ପାଖକୁ ଆସୁଛନ୍ତି । ଲୋକଙ୍କୁ ନିରନ୍ତର ନ୍ୟାୟ ପ୍ରଦାନ କରିବା ପାଇଁ ଆମେ ଏହି କାର୍ଯ୍ୟକ୍ରମ ଜାରି ରଖିଛୁ । ଆମ ସରକାର ନିରନ୍ତର ଭାବେ ଲୋକଙ୍କ ଅଭିଯୋଗ ଶୁଣୁଛନ୍ତି, ଏବଂ ତାହାର ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏହା ମାଧ୍ୟମରେ ଗରିବ ଓ ଅସହାୟଙ୍କୁ ସହାୟତା ପ୍ରଦାନ କରାଯାଉଛି। ଆଗାମୀ ଦିନରେ ଆଞ୍ଚଳିକ ସ୍ତରରେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଅଭିଯୋଗ ଶୁଣିବା ପରେ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ସୋମବାର ଅଭିଯୋଗ ଶୁଣାଣିର ୧୧ତମ ପାଳିରେ ଅନ୍ଲାଇନ ମାଧ୍ୟମରେ ନାମ ପଞ୍ଜିକୃତ କରିଥିବା ଅଭିଯୋଗକାରୀଙ୍କ ଅଭିଯୋଗ ଶୁଣିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମନ୍ତ୍ରୀମଣ୍ଡଳର ୬ ଜଣ ବରିଷ୍ଠ ମନ୍ତ୍ରୀ ଲୋକଙ୍କ ଅଭିଯୋଗ ଶୁଣିଛନ୍ତି । ସବୁଥର ପରି ଆଜି ମୁଖ୍ୟମନ୍ତ୍ରୀ ପ୍ରଥମେ ସକାଳେ ଆସି ବାହାରେ ଅପେକ୍ଷା କରିଥିବା ଭିନ୍ନକ୍ଷମ ଓ ଦୂରାରୋଗ୍ୟରେ ପୀଡିତ ଲୋକମାନଙ୍କୁ ଭେଟି ସେମାନଙ୍କ ସମସ୍ୟା ଶୁଣିଥିଲେ।
ସିଙ୍ଗିଲ୍ ୱିଣ୍ଡୋ ସିଷ୍ଟମରେ ଅସାଧ୍ୟ ଓ ଦୂରାରୋଗ୍ୟରେ ପୀଡ଼ିତ ବ୍ୟକ୍ତିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ତୁରନ୍ତ ଚିକିତ୍ସା ସହାୟତା ଯୋଗାଇ ଦିଆଯାଇଛି । ନୟାଗଡର ସନ୍ତୋଷ ବିଶ୍ୱାଳଙ୍କୁ ୫୦ ହଜାର ଟଙ୍କା, ଯାଜପୁରର ବିଷ୍ଣୁଚରଣ ସାହୁଙ୍କୁ ୧ ଲକ୍ଷ ଟଙ୍କା, ଭଦ୍ରକର ଲକ୍ଷ୍ମୀଧର ସେଠୀଙ୍କୁ ୧ ଲକ୍ଷ ଟଙ୍କା, କଟକର ସାତ୍ତ୍ୱିକ କରଙ୍କୁ ୧ ଲକ୍ଷ ଟଙ୍କା, କେନ୍ଦୁଝରର ନବୀନ କୁମାର ସେଠୀଙ୍କୁ ୨ ଲକ୍ଷ ଟଙ୍କା, ମୟୁରଭଞ୍ଜର ସୁନିତା ଚୌଧୁରୀଙ୍କୁ ୧ ଲକ୍ଷ ଟଙ୍କା, କଟକର ପ୍ରଶାନ୍ତ କୁମାର ପଣ୍ଡାଙ୍କୁ ୫୦ ହଜାର ଟଙ୍କା, ବୌଦ୍ଧର ନିଳକଣ୍ଠ ପ୍ରଧାନ ଓ ଯଦୁମଣୀ କର୍ମୀଙ୍କୁ ୧ ଲକ୍ଷ ଟଙ୍କା ଲେଖାଏଁ, ଗଞ୍ଜାମର ଛାୟା ନାୟକଙ୍କୁ ୧ ଲକ୍ଷ ଟଙ୍କା, ଭଦ୍ରକର ବୁଦ୍ଧିଆ ମଣ୍ଡଳଙ୍କୁ ୧ ଲକ୍ଷ ଟଙ୍କା, ନବରଙ୍ଗପୁରର କମଳା ନାୟକଙ୍କୁ ୧ ଲକ୍ଷ ଟଙ୍କା, ଖୋର୍ଦ୍ଧାର କୈଳାସ ପଲେଇଙ୍କୁ ୧ ଲକ୍ଷ ଟଙ୍କା ଏବଂ କଟକର ସୁରେଶ କୁମାର ଜେନାଙ୍କୁ ଅନୁକମ୍ପାମୂଳକ ସହାୟତା ବାବଦକୁ ୫୦ ହଜାର ଟଙ୍କା, ଏହିପରି ୧୪ ଜଣଙ୍କୁ ସମୁଦାୟ ୧୩ ଲକ୍ଷ ୫୦ ହଜାର ଟଙ୍କାର ସହାୟତା ମୁଖ୍ୟମନ୍ତ୍ରୀ ପ୍ରଦାନ କରିଛନ୍ତି ।
ମୁଖ୍ୟମନ୍ତ୍ରୀ ଲୋକଙ୍କ ଅଭିଯୋଗ ଶୁଣି ବିହିତ କାର୍ଯ୍ୟାନୁଷ୍ଠାନ ପାଇଁ ବିଭାଗୀୟ ମନ୍ତ୍ରୀ ଓ ସଚିବମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସେହିପରି ମୁଖ୍ୟମନ୍ତ୍ରୀଙ୍କୁ ସିଧାସଳଖ ଭେଟି, ଆପତ୍ତି ଅଭିଯୋଗ ଶୁଣାଇଥିବାରୁ ଅଭିଯୋଗକାରୀ ମଧ୍ୟ ବେଶ ଖୁସି ଥିଲେ ।
ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମର ଦଶମ ପାଳି ସୁଦ୍ଧା ଗ୍ରହଣ କରାଯାଇଥିବା ୧୦,୨୩୪ଟି ଅଭିଯୋଗ ମଧ୍ୟରୁ ୮,୭୧୩ଟି ଅଭିଯୋଗର ସମାଧାନ କରାଯାଇଛି । ଯାହା ଶତକଡ଼ା ୮୫ ପ୍ରତିଶତ ଅଟେ । ବକେୟା ଅଭିଯୋଗ ଗୁଡ଼ିକର ସମାଧାନ ଜାରି ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଆଜି ମୁଖ୍ୟମନ୍ତ୍ରୀଙ୍କ ସହିତ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର, ବିଦ୍ୟାଳୟ ଓ ଗଣଶିକ୍ଷା, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ସମବାୟ, ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ ଗଣେଶ ରାମ ସିଂହ ଖୁଣ୍ଟିଆ ପ୍ରମୁଖ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ ଶୁଣିଥିଲେ ।