ଆଜି ଶ୍ରାବଣର ପ୍ରଥମ ସୋମବାର ରାଜ୍ୟର ବିଭିନ୍ନ ଶୈବପୀଠରେ ଜମିଛି କାଉଡ଼ିଆଙ୍କ ଭିଡ଼। ଭଦ୍ରକ ଆରଡିଧାମର ବାବା ଆଖଣ୍ଡଳମଣିଙ୍କୁ ଜଳଲାଗି କରିଥିଲେ ହଜାର ହଜାର କାଉଡ଼ିଆ ଭକ୍ତ। ସୋମବାର ଭୋର ୪ଟାରେ ମନ୍ଦିର ଦ୍ବାରଫିଟା ଯିବା ପରେ ରୀତିନୀତି ଅନୁଯାୟୀ ବାବାଙ୍କ ପାଖରେ ମଙ୍ଗଳ ଆଳତୀ ସହ ଅନ୍ୟ ନୀତି ଧୂପ ସମ୍ପନ୍ନ କରାଯାଇଥିଲା। ଏପଟେ କଡ଼ା ସୁରକ୍ଷା ମଧ୍ୟରେ କାଉଡ଼ିଆମାନେ ଧାଡ଼ିରେ ଆସି ଶ୍ରାବଣୀ ମହାଦେବଙ୍କ ଉପରେ ଜଳାଭିଷେକ କରିଥିଲେ।
ହଜାର ହଜାର କାଉଡିଆଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ପୀଠରେ କଡା ସୁରକ୍ଷା ବ୍ୟବସ୍ଥା ସେହ ବୈତରଣୀ ଓ ସାଳନ୍ଦୀ ନଦୀର ତିନିତର, ମୁଆଁ ଓ ଧାନଖଣିଆ ଘାଟ ଦେଇ ନଦୀପାରି ହୋଇ ଆସୁଥିବା କାଉଡିଆଭକ୍ତମାନଙ୍କର ସୁରକ୍ଷାକୁ ଦୃଷ୍ଟିରେ ରଖି ନଦୀଘାଟର ଉଭୟ ପାର୍ଶ୍ବରେ ପୋଲିସ ମୁତୟନ କରାଯାଇଥିଲା। ଲଘୁଚାପ ଜନିତ ବର୍ଷା ଯୋଗୁ ନଦୀ ଉଛୁଳା ଥିବାରୁ ନଦୀ ମଧ୍ୟରେ ପଇଁତରା ମାରିଥିଲେ ଓଡ୍ରାଫ ଓ ଅଗ୍ନିଶମ ବାହିନୀ।
ସେହିପରି ସ୍ଥଳପଥରେ ପୁଲିସ ପକ୍ଷରୁ ରବିବାର ଓ ସୋମବାର ୨ଦିନ ଧରି ପୁଲିସ ପଖରୁ ପେଟ୍ରୋଲିଂ ବ୍ୟବସ୍ଥା କରାଯାଇଥିଲା। ଏପଟେ କାଉଡିଆ ଭକ୍ତମାନେ ଯେପରି ଭାବେ ଶୃଙ୍ଖଳିତ ଜଳଲାଗି କରିବେ ସେଥିପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ବ୍ୟାରିକେଡ ସହ ମନ୍ଦିର ଭିତରେ ଓ ବାହାରେ ଉଜ୍ବଳ ଆଲୋକ ବ୍ୟବସ୍ଥା କରାଯାଇଥିଲା। ଭଦ୍ରକ ଜିଲାପାଳ ଶ୍ରାବଣ ପ୍ରଥମ ସୋମବାରରେ ପୀଠକୁ ଆସି ଵାଵାଙ୍କୁ ଦର୍ଶନ କରିଵା ପରେ ସେବାୟତମାନଙ୍କ ସହ ଦେଖାଦେଇଥିବା ଅସୁବିଧା ସର୍ମ୍ପକରେ ଆଲୋଚନା କରିଵା ସହ ଆସନ୍ତା ରବିବାର ପୂର୍ବରୁ ସବୁ ଠିକ୍ ଠାକ୍ କରାଯିବ ବୋଲି କହିଥିଲେ।