ଭୁବନେଶ୍ୱର: ରାଜ୍ୟକୁ ଏବେ ଯୋଡ଼ା ଲଘୁଚାପର ଭୟ । ଗୋଟେ ଲଘୁଚାପ କ୍ଷେତ୍ର ଉତ୍ତରପଶ୍ଚିମ ମଧ୍ୟପ୍ରଦେଶ ଏବଂ ତାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇଛି । ଅନ୍ୟ ଏକ ଲଘୁଚାପ କ୍ଷେତ୍ର ଉତ୍ତରପଶ୍ଚିମ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ପଶ୍ଚିମବଙ୍ଗ ଏବଂ ଓଡ଼ିଶା ଉପକୂଳରେ ସୃଷ୍ଟି ହୋଇଛି । ଏହା କଲିକତାରେ କେନ୍ଦ୍ରୀଭୂତ ଅଛି । ପଶ୍ଚିମବଙ୍ଗ ଉପକୂଳରେ ଗତକାଲି ସୃଷ୍ଟି ହୋଇଥିବା ଲଘୁଚାପ ଉତ୍ତର ପଶ୍ଚିମ ଦିଗରେ ଗତି କରି ସୋମବାର ମଧ୍ୟାହ୍ନ ସୁଦ୍ଧା ଅବପାତରେ ପରିଣତ ହୋଇଛି । ଫଳରେ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ନେଇ ଓଡ଼ିଶାକୁ ରେଡ୍ ଆଲର୍ଟ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ । ଆଗାମୀ ଦିନରେ ଓଡ଼ିଶାରେ ବନ୍ୟା ଆଶଙ୍କା
କଲିକତାରେ କେନ୍ଦ୍ରୀଭୂତ ଥିବା ଲଘୁଚାପ ପ୍ରଭାବରେ ରାଜ୍ୟର ଉତ୍ତର ଏବଂ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଆଜି ଉତ୍ତର ଏବଂ ଆସନ୍ତାକାଲି ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷାର ଆକଳନ କରାଯାଇଛି । ଉତ୍ତର ଓଡ଼ିଶାର ସମସ୍ତ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ରହିଛି । ଉପକୂଳରେ ପାରାଦୀପ ଠାରୁ ଆରମ୍ଭ କରି ପଶ୍ଚିମରେ ସମ୍ବଲପୁର ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବ । କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ମଧ୍ୟ ହୋଇପାରେ । ପ୍ରାୟ ୨୦ ସେଣ୍ଟିମିଟର ବର୍ଷା ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ପବନର ବେଗ ଘଣ୍ଟା ପ୍ରତି ୩୦ ରୁ ୪୦ କିଲୋମିଟର ରହିବ । ତେଣୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି ।
ବର୍ଷା ପ୍ରଭାବରେ ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ, ମହାନଦୀ ଏବଂ ବ୍ରାହ୍ମଣୀ ଆଦି ନଦୀରେ ଜଳସ୍ତର ବୃଦ୍ଧି ପାଇପାରେ । ବିଶେଷକରି ସୁବର୍ଣ୍ଣରେଖା ଏବଂ ବୁଢ଼ାବଳଙ୍ଗ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି ।