ବାଲେଶ୍ୱର: ଫକୀର ମୋହନ ମହାବିଦ୍ୟାଳୟର ନିଲମ୍ବିତ ଅଧ୍ୟକ୍ଷ ଦିଲ୍ଲୀପ ଘୋଷ ଗିରଫ ହୋଇଛନ୍ତି । ସହଦେବ ଖୁଣ୍ଟା ଥାନା ପୋଲିସ ଅଧ୍ୟକ୍ଷଙ୍କୁ ଗିରଫ କରିଛି । ଏ ନେଇ ବାଲେଶ୍ୱର ପୋଲିସ ଅଧିକ୍ଷକ ରାଜ ପ୍ରସାଦ ସୂଚନା ଦେଇଛନ୍ତି । ପୂର୍ବରୁ ଉଚ୍ଚ ଶିକ୍ଷା ବିଭାଗ ଅଧ୍ୟକଙ୍କୁ ନିଲମ୍ବିତ କରିଥିଲା । କଲେଜର ଛାତ୍ରୀ ଆତ୍ମାହୁତି ଉଦ୍ୟମ କରିବା ମାମଲାରେ ପୂର୍ବରୁ ଏଜୁକେସନ ବିଭାଗର ମୁଖ୍ୟ ପ୍ରଫେସର ସମୀର ସାହୁ ଗିରଫ ହୋଇଛନ୍ତି ।
କଲେଜରେ ଛାତ୍ରୀଙ୍କ ପ୍ରତି ହୋଇଥିବା ନିର୍ଯ୍ୟାତନା ମାମଲାରେ ଆଇସିସି ରିପୋର୍ଟକୁ ନେଇ ତୁମ୍ବି ତୋଫାନ ହେଉଥିଲା । ଏହି ଘଟଣାରେ ପ୍ରନ୍ସିପାଲଙ୍କ ଗିରଫ ଦାବି କରି ଆସୁଥିଲା ପୀଡ଼ିତାଙ୍କ ପରିବାର ।
ସେପଟେ ରାଜ୍ୟପାଳ ଡାକ୍ତର ହରିବାବୁ କମ୍ଭମପାଟି ମାମଲାରେ ହସ୍ତକ୍ଷେପ କରିଛନ୍ତି । ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କୁ ରାଜ୍ୟପାଳ ବିସ୍ତୃତ ରିପୋର୍ଟ ମାଗିଛନ୍ତି । କେଉଁ ପରିସ୍ଥିତିରେ ଏଭଳି ଅଘଟଣ ଘଟିଲା ଏବଂ କଣ ତ୍ୱରିତ ପଦକ୍ଷେପ ନିଆଯାଇଛି ତାର ଜବାବ ତଲବ କରିଛନ୍ତି । ଘଟଣାକୁ ଗମ୍ଭୀରତାର ସହିତ ନିଆଯାଇ ଆବଶ୍ୟକୀୟ ପଦକ୍ଷେପ ନିଆଯାଇଥିବା ଜଣାଇଛି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ଏଠାରେ ଉଲ୍ଲେଖ ଯୋଗ୍ୟ, ଏଫ୍.ଏମ୍. କଲେଜ ଶିକ୍ଷା ବିଭାଗର ମୁଖ୍ୟ ଅଧ୍ୟାପକ ସମୀର କୁମାର ସାହୁଙ୍କ ବିରୋଧରେ ଛାତ୍ରୀ ଜଣକ ଅସଦାଚରଣ ଅଭିଯୋଗ ଆଣିଥିଲେ । ପୀଡ଼ିତା ଜଣକ ନ୍ୟାୟ ନ ପାଇବାରୁ ଗତ ଶନିବାର ନିଜ ଦେହରେ ପେଟ୍ରୋଲ ଢାଳି ପ୍ରନ୍ସିପାଲଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମାହୁତି ଉଦ୍ୟମ କରିଥିଲେ। ବର୍ତ୍ତମାନ ସେ ଏମ୍ସରେ ଚିକିତ୍ସାଧୀନ ଅଛନ୍ତି । ତାଙ୍କ ଶରୀରର ୯୫ ପ୍ରତିଶତ ପୋଡ଼ିଯାଇଛି ।