ଭୁବନେଶ୍ୱର: ଫକୀରମୋହନ କଲେଜ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଲେ ମୁଖ୍ୟ ଶାସନ ସଚିବ । ୩ ବିଭାଗର ସଚିବଙ୍କ ସହ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଆଲୋଚନା କରିଛନ୍ତି । ମହିଳା ଓ ଶିଶୁ ବିଭାଗ, ଉଚ୍ଚଶିକ୍ଷା ବିଭାଗ ଓ ସ୍ୱାସ୍ଥ୍ୟ ବିଭାଗ ସହ ମୁଖ୍ୟ ଶାସନ ସଚିବଙ୍କ ବୈଠକ ବସିଛି । ୩ଟି ବିଭାଗ ସହ ସମନ୍ୱୟ କିପରି ରକ୍ଷା କରାଯାଇପାରିବ, ବର୍ତ୍ତମାନର କଣ ରହିଛି ସ୍ଥିତି, ଆଗକୁ କିପରି ପଦକ୍ଷେପ ନିଆଯାଇ ପାରିବ ଏନେଇ ମୁଖ୍ୟ ଶାସନ ସଚିବଙ୍କୁ ଅବଗତ କରାଯାଉଛି ।
ବାଲେଶ୍ୱରସ୍ଥିତ ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟ ଶିକ୍ଷା ବିଭାଗର ମୁଖ୍ୟ (ଏଚ୍ଓଡି) ତଥା ଅଧ୍ୟାପକ ସମୀର କୁମାର ସାହୁଙ୍କ ଦ୍ୱାରା ଯୌନ ନିର୍ଯାତନାର ଶିକାର ହୋଇଥିବା ଜଣେ ଛାତ୍ରୀ ଶନିବାର ନିଜ ଦେହରେ ପେଟ୍ରୋଲ ଢାଳି ଆତ୍ମାହୁତି ଉଦ୍ୟମ କରିଥିଲେ। ଏମ୍ସରେ ଚିକିତ୍ସାଧୀନ ଥିବା ଫକୀରମୋହନ କଲେଜ ଛାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ରହିଛି । ତାଙ୍କ ଶରୀରର ୯୫ ପ୍ରତିଶତ ପୋଡ଼ିଯାଇଛି । ଫୁସ୍ଫୁସ୍,ହୃତପିଣ୍ଡ, ଓ କିଡ଼ନୀପ୍ରଭାବିତ ହୋଇଛି । ଆଗାମୀ ୭୨ ଘଣ୍ଟା ଛାତ୍ରୀଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ । ସେ ମୃତ୍ୟୁ ସହ ସଂଗ୍ରାମ କରୁଥିବାବେଳେ ତାଙ୍କର ୧୨ ଦିନ ତଳର ଟୁଇଟ୍ ଏବେ ଭାଇରାଲ ହୋଇଛି, ଯାହାକୁ ନେଇ ସାରା ରାଜ୍ୟରେ କ୍ଷୋଭ ପ୍ରକାଶ ପାଇଛି।
ଦୀର୍ଘ ୬ ମାସ ଧରି ଦିଆଯାଇଆସୁଥିବା ଶାରୀରିକ, ମାନସିକ ନିର୍ଯାତନା ସମ୍ପର୍କରେ ପୀଡ଼ିତା ଜୁଲାଇ ୧ରେ ନିଜ ସୋସିଆଲ ମିଡିଆ ‘X’ ହ୍ୟାଣ୍ଡଲରେ ଜଣାଇଥିଲେ। ଏହାର ପୂର୍ବ ଦିନ ଅର୍ଥାତ୍ ଜୁନ୍ ୩୦ ତାରିଖରେ ସେ ବରିଷ୍ଠ ପୋଲିସ ଅଧିକାରୀ, ଅଧ୍ୟାପକ ଏବଂ କେତେଜଣ ଛାତ୍ରୀଛାତ୍ରଙ୍କ ଉପସ୍ଥିତିରେ ନିର୍ଯାତନା ସମ୍ପର୍କରେ କଲେଜ ଅଧ୍ୟକ୍ଷଙ୍କୁ ଲିଖିତ ଅଭିଯୋଗ କରିଥିଲେ। ଶେଷ କେଉଁଠୁ ନ୍ୟାୟ ନ ମିଳିବାରୁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ।