ଭୁବନେଶ୍ୱର: ବାଲେଶ୍ୱର ଫକୀର ମୋହନ ମହାବିଦ୍ୟାଳୟ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ମାମଲାରେ ଏବେ ରାଜନୀତି ଜୋର ଧରିଛି । ଗୋଟିଏ ପଟେ ବିରୋଧୀ ଦଳ ମହିଳାଙ୍କୁ ସୁରକ୍ଷା ଦେବାରେ ବିଜେପି ସରକାର ବିଫଳ ହୋଇଥିବା ନାରା ଦେଉଛି । ଅନ୍ୟପଟେ ଏଭିବିପି ଛାତ୍ର କଂଗ୍ରେସର ଦୁଇ ଜଣ ସଦସ୍ୟଙ୍କ ବିରୁଦ୍ଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ଛାତ୍ର କଂଗ୍ରେସ ସଦସ୍ୟ ସାମାଜିକ ଗଣମାଧ୍ୟମରେ ପୀଡ଼ିତାଙ୍କ ଚରିତ୍ର ସଂହାର କରିଛି ବୋଲି ଏଭିବିପି ଅଭିଯୋଗ କରିଛି । ତେଣୁ ତୁରନ୍ତ ଛାତ୍ର କଂଗ୍ରେସ ସଦସ୍ୟ ସୌରଭ ବେହେରା ଓ ସ୍ପନ୍ଦନ ବେହାରାଙ୍କ ଗିରଫ ଦାବି ଏବେ ଜୋର ଉଠିଛି ।
ଏଫ୍.ଏମ୍. କଲେଜ ବିବାଦ ମାମଲାରେ ଛାତ୍ର କଂଗ୍ରେସ ନିଜେ ଡାହାଣୀ ହୋଇ ଲାଗିଥିଲା, ଏବେ ଗୁଣିଆ ହୋଇ ଝାଡ଼ୁଥିବା ଦେଖାଯାଉଛି । ନିଜ ମୁଣ୍ଡରୁ ଦୋଷ ଖସାଇବାକୁ ଯାଇ ଏବିଭିପି ଏବଂ ବିଜେପି ସରକାରଙ୍କ ମୁଣ୍ଡରେ ଅଠା ବୋଳୁଛି । କାରଣ ଯେତେବେଳେ ପୀଡ଼ିତା ଜଣକ ଏଚଓଡିଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଥିଲେ, ସେତେବେଳେ ଛାତ୍ର କଂଗ୍ରେସ ସମ୍ପୃକ୍ତ ଛାତ୍ରୀଙ୍କୁ କଲେଜରୁ ବହିଷ୍କାର କରିବାକୁ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖିଥିଲେ । ସେହିପରି ବିଶେଷ କରି ସୌରଭ ବେହେରା ଏବଂ ସତ୍ୟରଞ୍ଜନ ବେହେରା ଛାତ୍ରୀଙ୍କ ବିରୁଦ୍ଧରେ କଲେଜ ପରିସରରେ ଦସ୍ତଖତ ଅଭିଯାନ କରିଥିଲେ ।
ଏହା ସହିତ ସୌରଭ ବେହେରା ଗତ ଜୁଲାଇ ୧ ତାରିଖରେ ସାମାଜିକ ଗଣମାଧ୍ୟମରେ ଏକ ପୋଷ୍ଟ ମଧ୍ୟ କରିଥିଲେ । ଯେଉଁଥିରେ ସେ ଖୁଲମଖୁଲା ଛାତ୍ରୀ ନାଁ ନ ନେଇ ତାଙ୍କ ଚିରତ୍ର ସଂହାର କରିବା ଭଳି ଅପଚେଷ୍ଟା କରିଥିଲେ । ତେଣୁ ସୌରଭଙ୍କୁ ଯଥାଶୀଘ୍ର ତଦନ୍ତ ପରିସରଭୁକ୍ତ କରି ଗିରଫ କରିବାକୁ ଏବିଭିପି ଦାବି କରିଛି ।
ସେପଟେ ଏହି ମାମଲାରେ କ୍ରାଇମବ୍ରାଞ୍ଚର ମହିଳା ଶାଖା ଦ୍ୱିତୀୟ ଦିନରେ ତଦନ୍ତ ଜାରି ରଖିଛି । ଉଚ୍ଚ ଶିକ୍ଷା ବିଭାଗ ଟିମ୍ ତଦନ୍ତ ଜାରି ରଖିଛି । କେଉଁ ପରିସ୍ଥିତିରେ ଏପରି ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହେଲା ଏବଂ ଏଥିରେ କେଉଁମାନେ ସମ୍ପୃକ୍ତ ଥିଲେ ସେ ନେଇ ଯାଞ୍ଚ ଜାରି ରହିଛି ।