ଭୁବନେଶ୍ୱର: କୋଟି ଓଡ଼ିଆଙ୍କ ମଉଡ଼ମଣୀ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ନିକଟରେ ଶେଷ ହୋଇଛି । ରାଜ୍ୟ ସହିତ ଦେଶ ଏବଂ ବିଦେଶରେ ବେଶ ଧୁମଧାମରେ ରଥଯାତ୍ରା ଅନୁଷ୍ଠିତ ହୋଇଥିଲା । କାନାଡ଼ାର ଟରୋଣ୍ଟୋରେ ମଧ୍ୟ ପ୍ରବାସୀ ଓଡ଼ିଆମାନେ ରଥଯାତ୍ରା କରିଛନ୍ତି । କିନ୍ତୁ ଟରୋଣ୍ଟୋରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଯାହାକି ପ୍ରତ୍ୟେକ ହିନ୍ଦୁ ଏବଂ ଜଗନ୍ନାଥ ପ୍ରେମୀଙ୍କୁ ଶକ୍ତ ଆଘାତ ଦେଇଛି ।
କାନାଡ଼ାର ଟରୋଣ୍ଟୋରେ ରଥଯାତ୍ରା ଚାଲିଥିବାବେଳେ କେହି ଜଣେ ବିଲ୍ଡିଂ ଉପରେ ରହି ଅଣ୍ଡା ମାଡ଼ କରିଥିବା ଦେଖାଯାଇଛି । ଜଣେ ମହିଳା ଏହାର ଭିଡ଼ିଓ କରି ସୋସିଆଲ ମିଡ଼ିଆରେ ପୋଷ୍ଟ କରିଛନ୍ତି । ଅଣ୍ଡା ମାଡ଼ ସତ୍ୱେ ରଥଯାତ୍ରା ଅଟକି ନଥିବା ମହିଳା ଜଣକ ଭିଡ଼ିଓରେ କହିଛନ୍ତି ।
ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମଧ୍ୟ ଏହାର ଫଟୋ ପୋଷ୍ଟ କରି ଦୁଃଖ ପ୍ରକାଶ କରିଛନ୍ତି । ଏହାର ତଦନ୍ତ କରିବାକୁ ଓଡ଼ିଶା ସରକାର ଏବଂ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟକୁ କହିଛନ୍ତି । ନବୀନ ଲେଖିଛନ୍ତି, “କାନାଡାର ଟରୋଣ୍ଟୋରେ ରଥଯାତ୍ରା ପାଳନ ସମୟରେ ଭକ୍ତମାନଙ୍କ ଉପରେ ଅଣ୍ଡା ଫିଙ୍ଗାଯିବାର ଖବର ଶୁଣି ମୁଁ ଗଭୀର ମର୍ମାହତ । ଏପରି ଘଟଣାଗୁଡ଼ିକ କେବଳ ବିଶ୍ୱବ୍ୟାପୀ ପ୍ରଭୁ ଜଗନ୍ନାଥଙ୍କ ଭକ୍ତମାନଙ୍କ ଭାବନାକୁ ଗଭୀର ଆଘାତ ଦେଉନାହିଁ, ବରଂ ଓଡିଶାର ଜନସାଧାରଣଙ୍କ ପାଇଁ ମଧ୍ୟ ଗଭୀର ଆଘାତ ଦେଇଛି । ଯେଉଁମାନଙ୍କ ପାଇଁ ଏହି ପର୍ବର ଭାବପ୍ରବଣ ଏବଂ ସାଂସ୍କୃତିକ ମହତ୍ତ୍ୱ ରହିଛି । ”
ନବୀନ ଆହୁରି ଲେଖିଛନ୍ତି, “ଯଦି ଗଣମାଧ୍ୟମ ରିପୋର୍ଟଗୁଡ଼ିକରେ ସତ୍ୟତା ଥାଏ, ତେବେ ଓଡ଼ିଶା ସରକାରଙ୍କୁ
ଏହି ବିଷୟକୁ ଗମ୍ଭୀରତାର ସହ ନେବା ଉଚିତ ଏବଂ କାନାଡା କର୍ତ୍ତୃପକ୍ଷଙ୍କ ନିକଟରେ ଏକ ଦୃଢ଼ ଅଭିଯୋଗ ଦାଖଲ କରିବାକୁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟକୁ ଅନୁରୋଧ କରିବା ଉଚିତ”।