କୋରାପୁଟ : ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ଭାବେ ଦାୟିତ୍ୱ ଗ୍ରହଣ କଲେ କନଓ୍ୱର ବିଶାଳ ସିଂ । କୋରାପୁଟ ସ୍ଥିତ କାର୍ଯ୍ୟାଳୟରେ ଦାୟିତ୍ୱ ଗ୍ରହଣ କରିଛନ୍ତି ବରିଷ୍ଠ ଆଇପିଏସ୍ ଅଫିସର କନଓ୍ୱର ବିଶାଳ ସିଂ। ସେଠାରେ ତାଙ୍କୁ ଗାର୍ଡ ଅଫ ଅର୍ନର ଦିଆଯାଇଛି । ପୂର୍ବରୁ କୋରାପୁଟ ଜିଲ୍ଲାର ଏସ୍ପି ଭାର ଦାୟିତ୍ୱ ତୁଲାଇଥିଲେ ଆଉ ଏବେ ପୁଣିଥରେ କୋରାପୁଟର ଜନସାଧାରଣଙ୍କୁ ସେବା କରିବାରେ ସୁଯୋଗ ମିଳିଛି । କୋରାପୁଟ ପାଣିପାଗ ସହିତ ମୋର ପୁରୁଣା ସଂପର୍କର ଅଛି ବୋଲି ପଶ୍ଚିମାଞ୍ଚଳ ଡିଆଇଜି କେବି ସିଂ କହିଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି ଯେ ଜିଲ୍ଲାରେ ମାଓ ଦମନ, ଗଞ୍ଜେଇ ଚୋରାଚାଲାଣ, ଅପରାଧ ନିୟନ୍ତ୍ରଣକୁ ପ୍ରାଧାନ୍ୟ ଦିଆଯିବ । ଜିଲ୍ଲାରେ ମାଓ କାର୍ଯ୍ୟକଳାପ ବର୍ତ୍ତମାନ ନିୟନ୍ତ୍ରଣାଧିନ ରହିଥିଲେ ମଧ୍ୟ ଆନ୍ଧ୍ର –ଛତିଶଗଡ଼ ସୀମାନ୍ତ ଅଞ୍ଚଳରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ । ମାଓ ମୁକ୍ତ ଅଞ୍ଚଳ ପାଇଁ ଆବଶ୍ୟକୀୟ ସମସ୍ତ ପଦକ୍ଷେପ ଗ୍ରହଣ କରାଯିବ । ଗଞ୍ଜେଇ ଚୋରାଚାଲାଣ ଧରପଗଡ଼କୁ ଅଧିକ କଡ଼ାକଡ଼ି କରାଯିବ । ଆଇନଶୃଙ୍ଖଳା ଖିଲାପକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ପୋଲିସକୁ ଜନସାଧାରଣଙ୍କ ବିଶ୍ୱାସ ଭାବନ ହେବା ଭଳି ପଦକ୍ଷେପ ନିଆଯିବ ।
ତେବେ ଜନସାଧାରଣଙ୍କୁ ସହଯୋଗ କରିବାକୁ ନିବେଦନ କରିଛନ୍ତି ଡିଆଇଜି କନଓ୍ୱର ବିଶାଳ ସିଂ । ଯୋଗଦାନ ପରେ କାର୍ଯ୍ୟାଳୟରେ ଏସପିଙ୍କ ସହ କୋରାପୁଟ ଜିଲ୍ଲା ପୋଲିସର ସମସ୍ତ ଅଧିକାରୀ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।