ଭୁବନେଶ୍ୱର: ବିଭିନ୍ନ କ୍ଷେତ୍ର ଭଳି ମେଡ଼ିକାଲ କ୍ଷେତ୍ରରେ ମଧ୍ୟ ଉତ୍ସାହ ଜନକ ପ୍ରଦର୍ଶନ କରୁଛନ୍ତି । ଇତିହାସ କହୁଛି ମା’ ଏବଂ ଭଉଣୀମାନେ ହେଉଛନ୍ତି ସେବାର ପ୍ରତୀକ । ଝିଅମାନେ ଅଧିକରୁ ଅଧିକ ଡାକ୍ତରୀ ପାଠ ପଢ଼ିଲେ ସେବା କାର୍ଯ୍ୟ ଜୋରଦାର ଏବଂ ଯତ୍ନବାନ ହେବ । ଗାଁରେ ଲୋକେ ଡାକ୍ତରଙ୍କୁ ଭଗବାନ ମାନନ୍ତି । ତେଣୁ ଡାକ୍ତରୀ କେବଳ ଏକ ବୃତ୍ତି ନୁହେଁ ଏହା ଏକ ବ୍ରତ ବୋଲି କହିଛନ୍ତି ରାଷ୍ଟ୍ରପତି ଦୌପଦୀ ମୁର୍ମୁ ।
ସୋମବାର ଭୁବନେଶ୍ୱର ସ୍ଥିତ ଅଖିଳ ଭାରତୀୟ ଆର୍ୟୁ ବିଜ୍ଞାନ ସଂସ୍ଥାନର ଦଶମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇଛନ୍ତି ରାଷ୍ଟ୍ରପତି ଦୌପଦୀ ମୁର୍ମୁ । ଏମ୍ସର ୬୪୩ ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ସାର୍ଟିଫିକେଟ ପ୍ରଦାନ କରାଯାଇଛି । ଏହି ଅବସରରେ ରାଷ୍ଟ୍ରପତି ଡିଗ୍ରୀପ୍ରାପ୍ତ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହିତ ଡାକ୍ତର ବୃତ୍ତିକୁ ବ୍ରତଭାବେ ପାଳନ କରିବାକୁ ପରାମର୍ଶ ଦେଇଛନ୍ତି । ରାଷ୍ଟ୍ରପତି ଛାତ୍ରଛାତ୍ରୀଙ୍କୁ ସମ୍ବୋଧନ କରି କହିଛନ୍ତି ଯେ ପୁଅଙ୍କ ତୁଳନାରେ ଅଧିକ ଝିଅ ସ୍ୱର୍ଣ୍ଣ ପଦକ ପାଇଥିବାରୁ ଅଧିକ ଖୁସି ଲାଗୁଛି । ଇତିହାସ ସାକ୍ଷୀ ଅଛି ମା ଏବଂ ଭଉଣୀମାନେ ହେଉଛନ୍ତି ସେବାର ପ୍ରତୀକ । ଝିଅମାନେ ଅଧିକରୁ ଅଧିକ ଡାକ୍ତର ହେଲେ ସେବା କାର୍ଯ୍ୟ ଜୋରଦାର ଏବଂ ଯତ୍ନଶୀଳ ହେବ । ଗୁଣାତ୍ମକ ଚିକିତ୍ସା ପାଇଁ ଅନ୍ୟ ଦେଶର ଲୋକ ଚିକିତ୍ସା ପାଇଁ ଏମ୍ସ ଆସିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି । ଏହାର କାରଣ ସ୍ୱଳ୍ପ ଖର୍ଚ୍ଚରେ ଗୁଣାତ୍ମକ ଚିକିତ୍ସା ମିଳିପାରୁଛି । ଗତ ୧୦ ବର୍ଷରେ ୧୦ ଲକ୍ଷ ଲୋକ ଏମ୍ସରେ ଚିକିତ୍ସିତ ହୋଇଛନ୍ତି ।
ରାଷ୍ଟ୍ରପତି ଆହୁରି କହିଛନ୍ତି, ତାଙ୍କ ବାଲ୍ୟାବସ୍ଥା ଗାଁରେ କଟିଛି । ଗାଁ ଲୋକ ଶିକ୍ଷକ, ପୋଲିସ ଏବଂ ଡାକ୍ତରଙ୍କୁ ଅଧିକ ସମ୍ମାନ ଦିଅନ୍ତି । ଗାଁର ଲୋକେ ଡାକ୍ତରଙ୍କୁ ଭଗବାନ ମାନନ୍ତି । ଭଗବାନ ଆମେ ଦେଖି ନାହାଁନ୍ତି । କିନ୍ତୁ ଡାକ୍ତରମାନେ ଭଗବାନ ପ୍ରତିନିଧିତ୍ୱ କରନ୍ତି । ଡାକ୍ତରୀ କେବଳ ଏକ ବୃତ୍ତି ନୁହେଁ, ଏହା ଏକ ବ୍ରତ । ଏହି ବ୍ରତ ଜୀବନ ସାରା ପାଇଁ ବାନ୍ଧିଛନ୍ତି । ଡାକ୍ତରୀ ସେବାର ଅନ୍ତ ନାହିଁ, ଶେଷ ନିଶ୍ୱାସ ପର୍ଯ୍ୟନ୍ତ ସେବା ଯୋଗାଇବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି ରାଷ୍ଟ୍ରପତି ମୁର୍ମୁ ।
ଏହି ଅବସରରେ ରାଜ୍ୟପାଳ ଧର୍ମେନ୍ଦ୍ର ପ୍ରଧାନ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ଡାକ୍ତର ମୁକେଶ ମହାଲିଙ୍ଗ ଏବଂ ସାଂସଦ ଅପରାଜିତା ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ ।