ପାକିସ୍ତାନର କରାଚୀ ସହରରେ ଘଟିଛି ଏକ ଐତିହାସିକ ଘଟଣା। କରାଚୀ ମଞ୍ଚରେ ମଞ୍ଚସ୍ଥ ହୋଇଛି ରାମାୟଣ, ଯାହାକୁ ଦର୍ଶକଙ୍କ ଦ୍ୱାରା ବେଶ୍ ପ୍ରଂଶସା କରାଯାଉଛି। ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ଏହାକୁ ପରିବେଷଣ କରିଛନ୍ତି ମୁସଲିମ୍ ସମ୍ପଦ୍ରାୟର ଲୋକେ। କରାଚୀର ‘ମୌଜ’ ଗୋଷ୍ଠୀ ଦ୍ୱାରା କୃତ୍ରିମ ବୁଦ୍ଧିମତ୍ତା (AI) ବ୍ୟବହାର କରି ଏହି ନାଟକ ମଞ୍ଚସ୍ଥ କରାଯାଇଥିଲା, ଯାହା ଉପସ୍ଥାପନାକୁ ଅଧିକ ବୈଷୟିକ ଭାବରେ ଉନ୍ନତ ଏବଂ ପ୍ରଭାବଶାଳୀ କରିଥିଲା।
ନିର୍ଦ୍ଦେଶକଙ୍କ ଦୃଷ୍ଟିକୋଣ
ନାଟକର ନିର୍ଦ୍ଦେଶକ ୟୋହେଶ୍ୱର କରେରା କହିଛନ୍ତି ଯେ ନାଟକ ମଞ୍ଚସ୍ଥ କରିବା ପୂର୍ବରୁ ’ମୁଁ କେବେ ଅନୁଭବ କରିନଥିଲି ଯେ ଲୋକମାନେ ମୋତେ ନାପସନ୍ଦ କରିବେ କିମ୍ବା ରାମାୟଣ ମଞ୍ଚସ୍ଥ କରି ସେମାନଙ୍କୁ କୌଣସି ପ୍ରକାରର ବିପଦର ସମ୍ମୁଖୀନ ହେବାକୁ ପଡ଼ିବ।’ ୟୋହେଶ୍ୱର କରେରା କହିଛନ୍ତି, ନାଟକଟି ଦର୍ଶକ ଏବଂ ସମାଲୋଚକମାନଙ୍କଠାରୁ ସକାରାତ୍ମକ ପ୍ରତିକ୍ରିୟା ପାଇଛି ଏବଂ ଏହା କଳାକାରମାନଙ୍କର ମନୋବଳ ମଧ୍ୟ ବୃଦ୍ଧି କରିଛି।
ଚଳଚ୍ଚିତ୍ର ସମୀକ୍ଷକ ଖୋଲାଖୋଲି ପ୍ରଶଂସା କଲେ
ପାକିସ୍ତାନୀ ଚଳଚ୍ଚିତ୍ର ଏବଂ ନାଟ୍ୟ ସମୀକ୍ଷକ ଓମୈର ଆଲଭି ଏହି ରାମାୟଣ ମଞ୍ଚସ୍ଥକୁ ହୃଦୟର ସହିତ ପ୍ରଶଂସା କରିଥିଲେ। ସେ କହିଥିଲେ ଯେ ମଞ୍ଚରେ ଉପସ୍ଥାପିତ କାହାଣୀରେ ସତ୍ୟ ଏବଂ କଳାର ମିଶ୍ରଣ ତାଙ୍କୁ ପ୍ରଭାବିତ କରିଥିଲା। ସେ ଆଲୋକ, ସଙ୍ଗୀତ, କଳାକାରଙ୍କ ପୋଷାକ ଏବଂ ମଞ୍ଚ ସାଜସଜ୍ଜାକୁ 'ବିଶ୍ୱସ୍ତରୀୟ' ବୋଲି ବର୍ଣ୍ଣନା କରି କହିଥିଲେ, ରାମାୟଣ ଏକ କାହାଣୀ ଯାହା ବିଶ୍ୱର ଲକ୍ଷ ଲକ୍ଷ ଲୋକଙ୍କ ସହିତ ସଂଯୋଗ ସ୍ଥାପନ କରେ।’
ସୀତା ଭୂମିକାରେ ଅଭିନୟ କରିଥିବା ରାଣା କାଜମୀଙ୍କ ପ୍ରତିକ୍ରିୟା
କରାଚୀରେ ଅନୁଷ୍ଠିତ ଏହି ରାମାୟଣ ପ୍ରଦର୍ଶନରେ ମାତା ସୀତା ଭୂମିକାରେ ଅଭିନୟ କରିଥିବା ପ୍ରଯୋଜକ ରାଣା କାଜମୀ କହିଛନ୍ତି ଯେ ଦର୍ଶକଙ୍କ ପାଇଁ ଏହି ପ୍ରାଚୀନ କାହାଣୀକୁ ଏକ ଲାଇଭ ଅଭିଜ୍ଞତା ଭାବରେ ଉପସ୍ଥାପନ କରିବାର ଧାରଣାରେ ସେ ବହୁତ ଉତ୍ସାହିତ।