ବେଜିଂ: ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଆସନ୍ତା ସପ୍ତାହରେ ତିଆନଜିନ୍ ସହରରେ ସାଂଘାଇ ସହଯୋଗ ସଂଗଠନ (ଏସ୍ସିଓ) ବୈଦେଶିକ ମନ୍ତ୍ରୀଙ୍କ ବୈଠକରେ ଯୋଗଦେବା ପାଇଁ ଚୀନ୍ ଗସ୍ତ କରିବେ। ପୂର୍ବ ଲଦାଖରେ ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍ଏସି) ରେ ୨୦୨୦ ମସିହାରେ ସାମରିକ ଗତିରୋଧ ଏବଂ ଗାଲୱାନ ଘଟଣା ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ତିକ୍ତ କରିବା ପରେ ଜୟଶଙ୍କରଙ୍କ ଏହା ପ୍ରଥମ ଚୀନ୍ ଗସ୍ତ ହେବ। ଗାଲୱାନ ଘଟଣାରେ ୨୦ ଜଣ ଭାରତୀୟ ସୈନିକ ସହିଦ ହୋଇଥିଲେ। ଚୀନ୍ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଶନିବାର ଜାରି ଏକ ବିବୃତ୍ତିରେ କହିଛନ୍ତି ଯେ ଏସ୍ସିଓ ବୈଦେଶିକ ମନ୍ତ୍ରୀ ପରିଷଦ ୧୫ ଜୁଲାଇରେ ତିଆନଜିନ୍ ରେ ବୈଠକ କରିବ।
ଚୀନ କମ୍ୟୁନିଷ୍ଟ ପାର୍ଟିର ରାଜନୈତିକ ବ୍ୟୁରୋର ସଦସ୍ୟ ଏବଂ ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟିଙ୍କ ନିମନ୍ତ୍ରଣରେ, ଅନ୍ୟ ଏସ୍ସିଓ ସଦସ୍ୟ ଦେଶର ବୈଦେଶିକ ମନ୍ତ୍ରୀ ଏବଂ ସଂଗଠନର ସ୍ଥାୟୀ ସଂସ୍ଥାର ମୁଖ୍ୟ ବୈଠକରେ ଯୋଗଦେବେ।
ଏଥିରେ କୁହାଯାଇଛି ଯେ ମନ୍ତ୍ରୀମାନେ ବିଭିନ୍ନ କ୍ଷେତ୍ରରେ ଏସ୍ସିଓ ସହଯୋଗ ଏବଂ ପ୍ରମୁଖ ଅନ୍ତର୍ଜାତୀୟ ଏବଂ ଆଞ୍ଚଳିକ ପ୍ରସଙ୍ଗ ଉପରେ ମତ ବିନିମୟ କରିବେ। ଏସ୍ସିଓରେ ୧୦ ସଦସ୍ୟ ଦେଶ ଚୀନ୍, ରୁଷ, ଭାରତ, ଇରାନ, କାଜାଖସ୍ତାନ, କିର୍ଗିଜସ୍ତାନ, ପାକିସ୍ତାନ, ତାଜିକିସ୍ତାନ, ଉଜବେକିସ୍ତାନ ଏବଂ ବେଲାରୁସ ସାମିଲ ଅଛନ୍ତି।
ଦୁଇ ଦେଶ ମଧ୍ୟରେ ସମ୍ପର୍କ ସ୍ୱାଭାବିକ କରିବା ପ୍ରକ୍ରିୟା, ଅଟୋମୋବାଇଲ୍ ସମେତ ଅନେକ ଉତ୍ପାଦ ନିର୍ମାଣ ପାଇଁ ଆବଶ୍ୟକ ଗୁରୁତ୍ୱପୂର୍ଣ୍ଣ ଧାତୁ ଉପରେ ଚୀନ୍ ର ପ୍ରତିବନ୍ଧକ ଆଦି ଅନେକ ପ୍ରସଙ୍ଗରେ ଆଲୋଚନା ହେବାର ଆଶା କରାଯାଉଛି। ଉଲ୍ଲେଖଯୋଗ୍ୟ ଯେ ସାମ୍ପ୍ରତିକ ସମୟରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ଦେଶର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଚୀନ୍ ଗସ୍ତ କରିଛନ୍ତି।
ଅଧିକ ପଢ଼ନ୍ତୁ: ଏହି ସ୍ଥାନରେ ଅବତରଣ କରିବେ ଶୁଭାଂଶୁ ଶୁକ୍ଲା