ନୂଆଦିଲ୍ଲୀ: ଅହମ୍ମଦାବାଦ ପରେ ଆଉ ଏକ ବିମାନ ଦୁର୍ଘଟଣା ସାମ୍ନାକୁ ଆସିଛି । ବିମାନଟି ଉଡାଣ ଆରମ୍ଭ କରିବାର ମାତ୍ର କିଛି ମୁହୂର୍ତ୍ତ ପରେ ଘଟିଯାଇଥିଲା ଭୟଙ୍କର ଦୁର୍ଘଟଣା । ଏହି ଦୁର୍ଘଟଣା ଦେଖିବାକୁ ମିଳିଛି ଲଣ୍ତନର ସାଉଥଏଣ୍ତ ବିମାନବନ୍ଦରରୁ। ରବିବାର ଲଣ୍ଡନର ସାଉଥଏଣ୍ଡ ବିମାନବନ୍ଦରରେ ଏକ ଛୋଟ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। କୁହାଯାଉଥିଲା ଯେ ରନୱେରୁ ଉଡ଼ାଣ ଭରିବାର କିଛି ସମୟ ପରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହା ପରେ ଘଟଣାସ୍ଥଳରୁ ଏକ ଭୟଙ୍କର ନିଆଁ ଏବଂ ଧୂଆଁ ଦେଖିବାକୁ ମିଳିଥିଲା । ବିମାନ ଦୁର୍ଘଟଣା ପରେ, ସେହି ସ୍ଥାନର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଯେଉଁଥିରେ ଏକ ଅଗ୍ନିଗୋଲା ଉଠିବାର ମଧ୍ୟ ଦେଖାଯାଉଛି।
ତେବେ ବିମାନଟି ୧୨ ମିଟର (୩୯ ଫୁଟ) ଲମ୍ବା ଥିଲା। ଦୁର୍ଘଟଣାଗ୍ରସ୍ତ ବିମାନଟି ଏକ Beech B200 ସୁପରକିଙ୍ଗ ଏୟାର ଥିଲା। ଯାହା ଲଣ୍ଡନର ସାଉଥଏଣ୍ଡ ବିମାନବନ୍ଦରରୁ ନେଦରଲ୍ୟାଣ୍ଡର ଲେଲିଷ୍ଟାଡକୁ ଉଡ଼ାଣ କରିବାକୁ ଯାଉଥିଲା। ସୋସିଆଲ ମିଡିଆରେ ଏହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ସୋସିଆଲ ମିଡିଆରେ ପୋଷ୍ଟ ହୋଇଥିବା ଫଟୋରେ ଦୁର୍ଘଟଣାସ୍ଥଳରୁ ନିଆଁ ଏବଂ କଳା ଧୂଆଁ ବାହାରୁଥିବା ଦେଖାଯାଉଛି। ପ୍ରତ୍ୟକ୍ଷଦର୍ଶୀ ଜନ୍ ଜନସନ୍ କହିଛନ୍ତି ଯେ ବିମାନଟି "ଭୂମିରେ ମୁହାଁମୁହିଁ ଧକ୍କା ହେବା ପରେ" ସେଠାରୁ ଏକ "ବଡ଼ ଅଗ୍ନି ଗୋଲା" ଦେଖିବାକୁ ମିଳିଥିଲା । ଏହି ବିମାନ ପ୍ରାୟ ୧୨ ଜଣ ଯାତ୍ରୀଙ୍କୁ ବହନ କରିବାକୁ ସକ୍ଷମ ଥିଲା । ତଥାପି, ଦୁର୍ଘଟଣା ସମୟରେ ବିମାନରେ କେତେ ଲୋକ ଥିଲେ ତାହା ଏପର୍ଯ୍ୟନ୍ତ ନିଶ୍ଚିତ ହୋଇନାହିଁ ।