ଭୁବନେଶ୍ୱର: ବାଲେଶ୍ୱର ଫକୀର ମୋହନ କଲେଜ ପରିସରରେ ଆତ୍ମାହୁତି ଉଦ୍ୟମ କରିଥିବା ଛାତ୍ରୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସୁଧାର ଆସି ନଥିଲେ ମଧ୍ୟ ସ୍ଥିର ଏବଂ ସଙ୍କଟାପନ୍ନ ରହିଛି । ପ୍ରଥମ ୭୨ ଘଣ୍ଟା ପୀଡ଼ିତାଙ୍କ ଅତ୍ୟନ୍ତ ଗୁରୁତପୂର୍ଣ୍ଣ ବୋଲି କହିଛନ୍ତି ଭୁବନେଶ୍ୱର ଏମ୍ସର ଅଧିକ୍ଷକ ଡାକ୍ତର ଦିଲ୍ଲୀପ କୁମାର ପରିଡ଼ା ।
ଏମ୍ସ ଡାକ୍ତରଙ୍କ ସୂଚନା ମୁତାବକ, ଦିଲ୍ଲୀ ଏମ୍ସ ଡାକ୍ତର ବିଶେଷଜ୍ଞ ସହିତ ଯୋଗାଯୋଗ ଜାରି ରହିଛି । ବର୍ତ୍ତମାନ ଛାତ୍ରୀଙ୍କର ଡାଇଲିସିସ୍ ଜାରି ରହିଛି । ସାମାନ୍ୟ ତାପମାତ୍ରା ମଧ୍ୟ ରହିଛି । ୮ ଜଣିଆ ଡାକ୍ତରୀ ଟିମଙ୍କ ତତ୍ୱାବଧାନରେ ପୀଡ଼ିତାଙ୍କର ଭେଣ୍ଟିଲେଟରରେ ଚିକିତ୍ସା ଚାଲିଛି । ତେବେ ୭୨ ଘଣ୍ଟା ପରେ ଛାତ୍ରୀଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ କିଛି କହିହେବ ବୋଲି କହିଛନ୍ତି ସୁପରିଣ୍ଟେଣ୍ଡଣ୍ଟ୍ ।
ସେପଟେ ରାଜନୀତିରୁ ଉର୍ଦ୍ଧ୍ୱରେ ରହି ଭଉଣୀର ଆଶୁ ଆରୋଗ୍ୟ କାମନା କରିବାକୁ ପୀଡ଼ିତାଙ୍କ ଭାଇ ସମସ୍ତଙ୍କୁ ଅନୁରୋଧ କରିଛନ୍ତି । କେହି ରାଜନୀତି ନ କରିବାକୁ ସେ କହିଛନ୍ତି । ଯେଉଁ କମିଟି ତଦନ୍ତ କରି ରିପୋର୍ଟ ଦେଇଥିଲେ ତାହା ଏଚଓଡିଙ୍କୁ ସୁହାଇଲା ଭଳି ଥିଲା । ତେଣୁ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ତାଙ୍କ ଭାଇ ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଗତ ଶନିବାର ଏଫ୍.ଏମ୍. ମହାବିଦ୍ୟାଳୟର ଛାତ୍ରୀ ଜଣକ ଦେହରେ ପେଟ୍ରୋଲ ଢାଳି ଆତ୍ମାହୁତି ଦେବାକୁ ଉଦ୍ୟମ କରିଥିଲେ । ଏଜୁକେସନ ବିଭାଗର ଏଚଓଡି ପ୍ରଫେସର ସମୀର ସାହୁଙ୍କ ବିରୁଦ୍ଧରେ ସେ ଅସଦାଚରଣର ସଙ୍ଗୀନ ଅଭିଯୋଗ ଆଣିଥିଲେ । ତାଙ୍କ ନ୍ୟାୟ ନ ମିଳିବାରୁ ସେ ହାରସ ହୋଇ ଏପରି ଚରମ ପଦକ୍ଷେପ ନେଇଥିଲେ ବୋଲି କୁହାଯାଉଛି । ଦୀର୍ଘ ଆଠ ମାସ ହେଲା ସେ ମାନସିକା ନିର୍ଯ୍ୟାତନା ସହି ଆସୁଥିଲେ ବୋଲି ତାଙ୍କ ପରିବାର କହିଛି ।