୨୦୨୪ ସାଧାରଣ ନିର୍ବାଚନ ପାଇଁ ୨୫ ତାରିଖରେ ଓଡ଼ିଶାର ତୃତୀୟ ପର୍ଯ୍ୟାୟ ନିର୍ବାଚନ ହେବ । ଏଥିରେ ଭୁବନେଶ୍ୱର ସମେତ କଟକ, ପୁରୀ. ସମ୍ବଲପୁର, ଢ଼େଙ୍କାନାଳ ଓ କେନ୍ଦୁଝର ଲୋକସଭା ଆସନରେ ହାଇପ୍ରୋଫାଇଲ୍ ଲଢ଼େଇ ହେବାକୁ ଯାଉଛି । ଏହି ୬ ଲୋକସଭା ଆସନ ଅଧୀନ ୪୨ଟି ବିଧାନସଭା ମିଶାଇ ମୋଟ ୪୮ଟି ଆସନରେ ୪୪୭ଜଣ ପ୍ରାର୍ଥି ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ୨୦୧୯ ନିର୍ବାଚନରେ ଏହି ୬ଟି ଲୋକସଭା ଆସନରୁ କେନ୍ଦୁଝର, କଟକ, ପୁରୀ, ଢେଙ୍କାନାଳରେ ବିଜେଡି ବିଜୟୀ ହୋଇଥିବା ବେଳେ ସମ୍ବଲପୁର ଓ ଭୁବନେଶ୍ୱରରେ ବିଜେପିର ବିଜୟ ହୋଇଥିଲା । ସେହିପରି ୪୨ଟି ବିଧାନସଭା କ୍ଷେତ୍ରରୁ ବିଜେଡି ୩୪, ବିଜେଡି ୬ଟି ଓ କଂଗ୍ରେସ୍ ୨ଟି ଆସନ ହାତେଇଥିଲା । ଏଥର ବିଜେପି ସରକାର ଗଢ଼ିବାକୁ ତତ୍ପର ହୋଇଥିବା ବେଳେ ବିଜେଡିର ଦୁଇ ତୃତୀୟାଂଶ ଆସନରେ ବିଜୟୀ ହେବା ଦୃଢ଼ୋକ୍ତିର ଜବାବ ରଖିବେ ଭୋଟର ।
ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ପର୍ଯ୍ୟାୟରେ ସମ୍ବଲପୁର ଲୋକସଭା ଆସନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହିତ ବିଜେଡିର ସାଂଗଠନିକ ସମ୍ପାଦକ ହେଭିୱେଟ୍ ପ୍ରଣବ ପ୍ରକାଶ ଦାସ (ବବି)ଙ୍କର ଲଢ଼େଇ ହେଉଛି । ଏହି ଲଢ଼େଇର ଭାଗ୍ୟଫଳକୁ ସମସ୍ତଙ୍କ ଅପେକ୍ଷା ଓ ଉତ୍କଣ୍ଠା । ୬ ଲୋକସଭା ଆସନରେ ୬୪ଜଣ ପ୍ରାର୍ଥୀ ଅଛନ୍ତି । ମର୍ଯ୍ୟାଦାଜନକ ଭୁବନେଶ୍ୱର ଆସନରେ ବିଜେପି ସାଂସଦ ଅପରାଜିତା ଷଢ଼ଙ୍ଗୀଙ୍କ ସହ ବିଜେଡିର ମନ୍ମଥ ରାଉତରାୟ, ପୁରୀରେ ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ରଙ୍କ ସହ ବିଜେଡିର ଅରୁପ ପଟ୍ଟନାୟକ, କଟକରେ ସାଂସଦ ଥିବା ଭର୍ତ୍ତୃହରି ମହତାବଙ୍କ ସହ ବିଜେଡିର ସନ୍ତୃପ୍ତ ମିଶ୍ରଙ୍କ ମଧ୍ୟରେ କଡ଼ା ଟକ୍କର ହେବ । ଏସବୁ ଆସନରେ ଭୋଟର ଜନାର୍ଦ୍ଦନଙ୍କ ମତିଗତି ଏବେବି ଅସ୍ପଷ୍ଟ । ରାଜ୍ୟର ସର୍ବାଧିକ ଶିକ୍ଷିତ ବସବାସ କରୁଥିବା ଏହି ଜିଲ୍ଲାର ଭୋଟର କେଉଁ ଆଡ଼କୁ ଢଳୁଛନ୍ତି ଓ ରାଜନୀତି ବିଶାରଦଙ୍କ ଭବିଷ୍ୟବାଣି କେତେ ସତ ହେଉଛି ତାକୁ ନେଇ ସବୁଠି ଆଲୋଚନା । ଭୋଟ ଗଣତି ପରେ ଫଳାଫଳ ଜଣାପଡ଼ିବ ସତ । କିନ୍ତୁ ଏବେଠୁ ଭୋଟରଙ୍କ ଛାତିର ଧଡ଼କନ ଆଶ୍ଚର୍ଯ୍ୟଜନକ ଭାବେ ବଢ଼ିିଯାଇଛି । ଗତ ନିର୍ବାଚନରେ ଭୁବନେଶ୍ୱର ଆସନରେ ବିଜୟୀ ହୋଇଥିବା ଅପରାଜିତା ଓ ପୁରୀରେ ବିଜୟୀ ହୋଇଥିବା ବିଜେଡି ଏଥର ସବୁ କିଛି ବାଜି ଲଗାଇ ଦେଇଛନ୍ତି ।
ନିର୍ବାଚନ ପ୍ରଚାର ଶେଷ ପରେ ବହୁ ବିଧାନସଭା ଆସନରେ କଡ଼ା ମୁକାବିଲା ହେଉଥିବା ସ୍ପଷ୍ଟ ହେଉଛି । କେନ୍ଦୁଝର ଜିଲ୍ଲା ଘସିପୁରା ଆସନରେ ପୂର୍ବତନ ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ରଙ୍କ ସହିତ ସ୍ୱାଧୀନ ପ୍ରାର୍ଥି ସୌମ୍ୟ ରଂଜନ ପଟ୍ଟନାୟକଙ୍କ ମଧ୍ୟରେ ମୁକାବିଲା ରାଜ୍ୟରେ ଚର୍ଚ୍ଚିତ ଖବର ହୋଇ ରହିଛି । ନୟାଗଡ଼ରେ ମଧ୍ୟ ପୂର୍ବତନ ମନ୍ତ୍ରୀ ଅରୁଣ କୁମାର ସାହୁ, ସମ୍ବଲପୁରରେ ବିଜେପି ବିଧାୟକ ଜୟନାରାୟଣ ମିଶ୍ର, ରେଢ଼ାଖୋଲରେ ବିଜେଡିର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ, ଭୁବନେଶ୍ୱର ଏକାମ୍ରରେ ବିଜେଡିର ଅଶୋକ ଚନ୍ଦ୍ର ପଣ୍ଡା, ଭୁବନେଶ୍ୱର ମଧ୍ୟ ରେ ଅନନ୍ତ ନାରୟଣ ଜେନା, ସତ୍ୟବାଦୀରେ ବିଜେଡିର ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଆନନ୍ଦପୁରରେ ପୂର୍ବତନ ପିସିସି ସଭାପତି ଜୟଦେବ ଜେନାଙ୍କ ଭାଗ୍ୟ ପରୀକ୍ଷା ହେବାକୁ ଯାଉଛି । ଏହି ୪୨ ବିଧାନସଭା ଆସନରେ ୩୮୩ ଜଣ ପ୍ରାର୍ଥୀ ଅଛନ୍ତି । ନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହ ଶେଷ କରିବାକୁ ପ୍ରଶାସନ ସବୁ ପ୍ରକାର ଉଦ୍ୟମ କରିଥିବା ବେଳେ ମତଦାନ ପରେ ହିଁ ଅନେକ କିଛି ସ୍ପଷ୍ଟ ହେବ ବୋଲି ଆଶା କରାଯାଉଛି ।
ଅଧିକ ପଢନ୍ତୁ : ଟ୍ରକ-ସ୍କୁଟି ମୁହାଁମୁହିଁ ଧକ୍କା : ଶିଶୁ ମୃତ