ଯାଜପୁର ସରକାରୀ ପ୍ରଦକ୍ଷଣ ଗୃହରେ ଜିଲ୍ଲା ପ୍ରଶାସନ ଓ ବିଜେଡି ବୈଠକକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । କାରଣ ପ୍ରଶାସନ କାହିଁକି ଏକ ନିର୍ଦ୍ଦିଷ୍ଟ ରାଜେନୖତିକ ଦଳର ଆଗତ ବୈଠକରେ ସାମିଲ ହୋଇଛନ୍ତି ତାକୁ ନେଇ ପ୍ରଶ୍ନ ଆରମ୍ଭ ହୋଇଛି । ଏହି ବୈଠକରେ ଏମିତି କଣ ଗୁପ୍ତ ଆଲୋଚନା ହୋଇଛି ତାହା ସ୍ପଷ୍ଟ ନଥିବା ବେଳେ ପୁରୁଣା କାର୍ଯ୍ୟର ବିଲ୍ କୁ ନେଇ କିଛି ଆଲୋଚନା ହୋଇଥିବା ସଂପର୍କରେ ଶୁଣିବାକୁ ମିଳୁଛି ।
ସୂଚନା ଅନୁଯାୟୀ ଜିଲ୍ଲା ପ୍ରଶାସନ ସହିତ ଯାଜପୁରଜିଲ୍ଲା ବିଜେଡି ନିର୍ବାଚନ ମଣ୍ଡଳୀସ୍ତରୀୟ ନେତାମାନଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ବିଂଝାରପୁର ବିଧାୟିକା ତଥା ବିରୋଧୀ ଦଳର ସଚେତକ ପ୍ରମିଳା ମଲ୍ଲିକଙ୍କ ଆହ୍ୱାନ କ୍ରମେ ଏହି ବୈଠକ କରାଯାଇଥିବା କୁହାଯାଉଥିବା ବେଳେ ଯାଜପୁର ବିଧାୟିକା ସୁଜାତା ସାହୁ, ବରୀ ବିଧାୟକ ବିଶ୍ୱ ରଞ୍ଜନ ମଲ୍ଲିକ, ଯାଜପୁର ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ, ପୂର୍ବତନ ସାଂସଦ ଶର୍ମିଷ୍ଠା ସେଠୀ, ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତ ରାୟ ପ୍ରମୁଖ ଯୋଗଦେଇଥିଲେ ଏଥିସହ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ଓ ଏସ୍ପି ଭିନିତ ଅଗ୍ରୱାଲମଧ୍ୟ ଏହି ଆଲୋଚନାରେ ଭାଗ ନେଇଥିଲେ । ନୂଆ ସରକାର ଆସିବା ପରେ ଅନେକ ଠିକା କାର୍ଯ୍ୟ ଠପ ହେବା ସହ ବହୁ ଠିକାଦାର ନିଜର ଦେୟ ପାଇବାରେ ସମସ୍ୟା ହେଉଛି । ଅନେକ ବିନା ଟେଣ୍ଡର ରେ କାର୍ଯ୍ୟ କରିଥିବାରୁ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି । ହୁଏତ କିପରି ସେମାନଙ୍କ ବିଲ ଗୁଡିକ ପ୍ରଦାନ କରାଯିବ ସେ ନେଇ ବିସ୍ତୃତ ଆଲୋଚନା ହୋଇଥିବା ସାଧାରଣରେ ଚର୍ଚ୍ଚା ହେଉଛି ।
ଜିଲ୍ଲାପାଳ ନୀଖିଲ ପୱନ କଲ୍ୟାଣ ସଫେଇ ଦେଇ କହିଛନ୍ତି ବିଜେଡି ସହ ହୋଇଥିବା ବୈଠକରେ ଦଳୀୟ ନେତୃତ୍ୱ ଚାଲିଥିବା ବିଭିନ୍ନ ନିର୍ମାଣ କାର୍ଯ୍ୟରେ ସୃଷ୍ଟି ହୋଇଥିବା ସମସ୍ୟା ସଂପର୍କରେ ଆଲୋଚନା ହୋଇଛି ।