ବଲାଙ୍ଗୀର : ଆସନ୍ତା ୨୯ ତାରିଖରେ ୩ ଦଫା ଦାବି ନେଇ ବିଧାନସଭାରେ ଦାବି ରଖିବେ ନିଖିଳ ଓଡିଶା ପୌର ୱାର୍ଡ କୋର୍ଡିନେଟର ୟୁନିଅନ। ବିଭିନ୍ନ ପ୍ରକାର ସରକାରୀ ସେବାରେ ୱାର୍ଡ କୋର୍ଡିନେଟର ମାନଙ୍କୁ ନିଯୁକ୍ତ କରାଯାଉଥିଲେ ହେଁ ସେମାନଙ୍କୁ ପାରିତୋଷିକ ବା ଦରମା ପ୍ରଦାନ କରାଯାଉନାହିଁ। ପୌରାଞ୍ଚଳର ଶହ ଶହ ଶିକ୍ଷତା ଯୁବତୀ ମାନଙ୍କୁ ଚୟନ କରି ଅଣ ଔପଚାରିକ ଭାବରେ କାମ କରାଇ ସମ୍ପୂର୍ଣ୍ଣ ଅନିଶ୍ଚିତତା ମଧ୍ୟରେ ଛାଡି ଦିଆଯାଇଛି । ସେମାନଙ୍କୁ ବିଧିବଦ୍ଧ ଭାବରେ ନିଯୁକ୍ତ କରାଯାଇନାହିଁ।
ପ୍ରକାଶ ଯେ, ଗତ ୨୦୨୨ ମସିହାରେ ଗୃହ ଓ ନଗର ଉନ୍ନୟନ ବିଭାଗ ତରଫରୁ ମିଶନ ଶକ୍ତି ଗ୍ରୁପ ଜରିଆରେ ୱାର୍ଡ ଅଫିସ ଗଠନ କରିବା ପାଇଁ ମ୍ୟୁନିସିପାଲଟି ଓ ଏନଏସି ଅଧିକାରୀ ମାନଙ୍କୁ ନିର୍ଦ୍ଧେଶ ଦିଆଯାଇଥିଲା। ତଦନୁଯାୟୀ ୱାର୍ଡ ଅଫିସ ଗଠନ କରି ତାର ପରିଚାଳନା ପାଇଁ ଜଣେ ଜଣେ ୱାର୍ଡ କୋର୍ଡିନେଟର ମାମାଙ୍କୁ ନିଯୁକ୍ତ କରାଯାଇଥିଲା। ପାରିଶ୍ରମିକ ବାବଦକୁ ୧୦ ହଜାର ଟଙ୍କା ଓ ଅଫିସ ପରିଚାଳନା ବାବଦକୁ ୨ ହଜାର ଟଙ୍କା ମିଳିବ ବୋଲି କୁହାଯାଇଥିଲା।
ଏହି ୱାର୍ଡ ଅଫିସର ମାନେ ୟୁଏଲବି ପକ୍ଷରୁ ହୋଲଡିଂ ଟିକସ ଆଦାୟ ଠାରୁ ଆରମ୍ଭ କରି ନୂତନ ଭୋଟର ପରିଚୟ ପତ୍ର, ରାସନ କାର୍ଡ ପ୍ରସ୍ତୁତି, ଟ୍ରେଡ଼ ଲାଇସେନ୍ସ, ମାସିକ ଭତ୍ତା ବଣ୍ଟନ, ନୂତନ ଏସ ଏଚ ଜି ଗଠନ, ଏସଏଚ ଜି ମାନଙ୍କର ଡାଟା ଏଣ୍ଟ୍ରି, ପରିମଳ ଅନୁଧ୍ୟାନ ଭଳି ଅନେକ, କାମ କରୁଛନ୍ତି। କିନ୍ତୁ ନିଯୁକ୍ତି ଦେବାର ୨ ବର୍ଷ ବିତିଯାଇଥିଲେ ହେଁ ବର୍ତ୍ତମାନ ସୁଦ୍ଧା ସେମାନଙ୍କୁ ପlରିଶ୍ରମିକ ପ୍ରଦାନ କରାଯାଇନାହିଁ। ତେଣୁକରି ଆସନ୍ତା ୨୯ ତାରିଖରେ ୩ ଦଫା ଦାବି ନେଇ ବିଧାନସଭାରେ ଦାବି ରଖିବେ । ରାଜ୍ୟର ସମସ୍ତ ୟୁ ଏଲ ବି ୱାର୍ଡ କୋର୍ଡିନେଟର ମାନଙ୍କୁ ବିଧିବଦ୍ଧ ଭାବରେ ନିୟୋଜନ କରିବା ସହିତ ସେମାନଙ୍କ ପ୍ରାପ୍ୟ ପ୍ରଦାନ କରିବାକୁ ସେମାନେ ଦାବି କରିଛନ୍ତି।