କେନ୍ଦ୍ର ସଚିବାଳୟ ହାରରେ ଦରମା ଦାବିରେ ଫେବୃଆରୀ ୧୩ରୁ କଲମ ଛାଡ ଆନ୍ଦୋଳନ ଚଳାଇଥିବା ସଚିବାଳୟ କର୍ମଚାରୀମାନେ ମଙ୍ଗଳବାର ପୂର୍ବାହ୍ନରେ ଆନ୍ଦୋଳନରୁ ଓହରି ଯାଇଛନ୍ତି। ଗୃହ ବିଭାଗ ଦ୍ୱାରା ଏକ ନିର୍ଦ୍ଦେଶନାମା ଜାରି ହେବ ପରେ ସଚିବାଳୟ ସେବାସଂଘ ତରବରିଆ ଭାବେ ଆନ୍ଦୋଳନକୁ ସ୍ଥଗିତ ରଖିବାକୁ ଘୋଷଣା କରିଛି। ତେବେ ଏହା ରାଜ୍ୟ ସରକାରଙ୍କ ନାଲିଆଖି ଯୋଗୁଁ ନା ରାଜ୍ୟ ସରକାର ଉପରେ ଦୃଢ଼ ଆସ୍ଥା ଯୋଗୁଁ ହୋଇଛି ସେ ନେଇ ଚର୍ଚ୍ଚା ଜୋର ଧରିଛି।
ସୂଚନାଯୋଗ୍ୟ ଯେ, କେନ୍ଦ୍ର ସଚିବାଳୟ ହାରରେ ଦରମା ଦାବିରେ ୭ ଦିନ ଧରି ଆନ୍ଦୋଳନରେ ବସିଥିବା ସଚିବାଳୟର କର୍ମଚାରୀମାନେ ମଙ୍ଗଳବାର ଦିନ ଅଚାନକ ଆନ୍ଦୋଳନରୁ ଓହରି ଯାଇଛନ୍ତି। ସୋମବାର ଦିନ ଏକ ସାମ୍ବାଦିକ ସମ୍ମିଳନୀ କରି ସଂଘ ନିଜର ଦାବି ପୂରଣ ତଥା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ପ୍ରତିଶ୍ରୁତି ନମିଳିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ସେବାସଂଘର କର୍ମକର୍ତ୍ତାମାନେ ଘୋଷଣା କରିଥିବା ବେଳେ ନବନିଯୁକ୍ତ ASO(ଆସିଷ୍ଟାଣ୍ଟ ସେକ୍ସନ ଅଫିସର)ମାନଙ୍କୁ ଚାକିରିରୁ ବହିଷ୍କାର କରିବା ନିମନ୍ତେ ଗୃହ ବିଭାଗ ନିର୍ଦ୍ଦେଶନାମା ଜାରି କରିବା ପରେ ସଚିବାଳୟ ସେବାସଂଘ ତରବରିଆ ଭାବେ ନିଜ ଆନ୍ଦୋଳନକୁ ସ୍ଥଗିତ ରଖିବାକୁ ଘୋଷଣା କରିଥିବା ସୂଚନା ମିଳିଛି।
ଉକ୍ତ ନିର୍ଦ୍ଦେଶନାମା ଅନୁସାରେ ଯେଉଁ ଅଫିସରମାନେ ଡ୍ୟୁଟି କରୁନାହାନ୍ତି ସେମାନଙ୍କର ସେହି ଦିନର ଅନୁପସ୍ଥିତିକୁ ବିନା ଦରମା ଓ ସେବା ବନ୍ଦ ଭାବେ ବିବେଚନା କରାଯିବା ସହ ସେହି ଅଫିସରମାନଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନିମନ୍ତେ ପ୍ରସ୍ତାବ ପଠାଇବାକୁ ସଚିବମାନଙ୍କୁ ନିର୍ଦ୍ଦେଶ ଦିଅ ଯାଇଛି। ସେହିପରି ଯେଉଁ ନବନିଯୁକ୍ତ ଏଏସ୍ଓମାନେ ନିଜର ନିଯୁକ୍ତିପତ୍ର ଦାଖଲ କରିଛନ୍ତି ଏବଂ ଡ୍ୟୁଟିରେ ଯୋଗ ଦେଇନାହାନ୍ତି ସେମାନଙ୍କୁ ଚାକିରିରୁ ବହିଷ୍କାର କରିବା ଏବଂ ଯେଉଁ ଏଏସ୍ଓମାନେ ଏ ପର୍ଯ୍ୟନ୍ତ କାର୍ଯ୍ୟରେ ଯୋଗ ଦେଇନାହାନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସମ୍ପୂର୍ଣ୍ଣ ତଥ୍ୟ ଯୋଗାଇ ଦେବାକୁ ବିଭିନ୍ନ ବିଭାଗର ସଚିବ, ପ୍ରମୁଖ ସଚିବ ଓ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ଗୃହ ବିଭାଗ ପକ୍ଷରୁ ଚିଠି ଲେଖାଯାଇଛି।
ଏହି ନିର୍ଦ୍ଦେଶନାମା ଜାରି ହେବା ପରେ ସଚିବାଳୟ ସେବା ସଂଘର ସାଧାରଣ ସମ୍ପାଦକ ପ୍ରଯତ୍ନ ବରାଳ ଏକ ପ୍ରେସ୍ ବିଜ୍ଞପ୍ତି ଜାରି କରି ଆନ୍ଦୋଳନ ପ୍ରତ୍ୟାହୃତ ନିଷ୍ପତ୍ତି ନେଇଥିବା କଥା ଜଣାଇଛନ୍ତି।
ଅଧିକ ପଢନ୍ତୁ: ୬ ଦଫା ଦାବିରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣାରେ ରାଜସ୍ୱ ନିରୀକ୍ଷକ ସଂଘ