ବଲାଙ୍ଗିର ଜିଲ୍ଲାର ଏକ ମାତ୍ର କୃଷି ଭିତ୍ତିକ ଶିଳ୍ପ ଦେଓଗାଁ ବିଜୟାନନ୍ଦ ଚିନିକଳ ଖୋଲିବା ଦାବିରେ ଅନେକ ସମୟରେ ସ୍ୱର ଉତ୍ତୋଳନ ହେଉଛି। ଅନେକ ଚାଷୀ ସଂଗଠନ ତରଫରୁ ବାରମ୍ବାର ଚିନିକଳ ଖୋଲିବା ନେଇ ଦାବି ହୋଇଆସୁଛି। ଇତିମଧ୍ୟରେ ସରକାର ପରିବର୍ତ୍ତନ ହୋଇଛି ଏବଂ ନୂଆ ସରକାର ଏହି ଚିନିକଳ ଖୋଲିବା ନେଇ ଆଶା ପ୍ରକାଶ କରିଛନ୍ତି ଆଖୁଚାଷୀ। ନୂଆ ସରକାରଙ୍କୁ ନିଜ ଦାବି ଜଣାଇବା ଉଦ୍ଧେଶ୍ୟରେ ସ୍ଥାନୀୟ ସାମ୍ବାଦିକ ଭବନରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଛି।
ଦେଓଗାଁ ଚିନିକଳ ସଂଘ ସମିତି ତରଫରୁ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ସ୍ଥାନୀୟ ଅଞ୍ଚଳରେ ଆଖୁ ଚାଷରେ ଚିନିକଳର ଭୂମିକା ଏବଂ ସ୍ଥାନୀୟ ନିଯୁକ୍ତି ଉପରେ ଆଲୋଚନା କରାଯାଇଥିଲା। ଏବଂ ତୁରନ୍ତ ବିଜୟାନନ୍ଦ ଚିନିକଳ ଖୋଲିବାକୁ ଦାବି କରାଯାଇଥିଲା। ତେବେ ଏହି ଚିନିକଳ ଦୀର୍ଘ ଦଶନ୍ଧି ଧରି ବନ୍ଦ ପଡ଼ିଛି। ଋଣଭାର ଯୋଗୁଁ ଚିନିକଳ ବନ୍ଦ ପଡ଼ିଥିବା ବେଳେ ଏଥି ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ବେକାରୀ ସମସ୍ୟା ବୃଦ୍ଧି ପାଇଛି। ତେଣୁକରି ଏହାକୁ ତୁରନ୍ତ ପୁନଃ କାର୍ଯ୍ୟକ୍ଷମ କରାଯାଉ ବୋଲି ଦାବି କରାଯାଇଥିଲା।